ସାକ୍ଷୀଗୋପାଳ: ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରୁ ଚୋରି ଘଟଣାରେ ଚୋରକୁ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ସତ୍ୟବାଦୀ ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ମୁନା ମିଶ୍ର(୨୩) ଓ ବିଶ୍ୱନାଥପୁର ଗ୍ରାମର ଶ୍ରୀଧର ମିଶ୍ର(ଲିପା)। ସାକ୍ଷୀଗୋପାଳ ମନ୍ଦିରରୁ ଶନିବାର ରାତିରେ ଚୋରି ହୋଇଥିଲା। ପୁରୀ ଆରକ୍ଷୀ ଅଧିକ୍ଷକଙ୍କ ତରଫରୁ ଏହି ଚୋରମାନଙ୍କୁ ଧରିବା ପାଇଁ ୨ ଗୋଟି ସ୍ୱତନ୍ତ୍ର ପୁଲିସ ଦଳ ଗଠିତ ହୋଇଥିଲା। ପୁଲିସ ଏହି ଘଟଣାର ତଦନ୍ତ ଓ ସିସିଟିଭି ହାର୍ଡ ଡିସ୍କ ଯାଞ୍ଚ କରି ସତ୍ୟବାଦୀ ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ମୁନା ମିଶ୍ର(୨୩) ଓ ବିଶ୍ୱନାଥପୁର ଗ୍ରାମର ଶ୍ରୀଧର ମିଶ୍ର(ଲିପା)ଙ୍କୁ ଥାନାକୁ ଆଣି ଜେରା କରିଥିଲା। ଜେରା ସମୟରେ ଉଭୟ ଏହି ଚୋରି କରିଥିବା ସ୍ୱୀକାର କରିଥିଲେ। ନଗଦ ୬୭,୧୧୦ ଟଙ୍କା, ୨୦୮ ଗ୍ରାମ ସ୍ବର୍ଣ୍ଣ ଅଳଙ୍କାର, ସିସିଟିଭି ମନିଟର ଓ ଚେକ୍ ବହି ଉଦ୍ଧାର କରିଥିଲେ। ଏଥି ସହିତ ଏହି ଚୋରି କାର୍ଯ୍ୟରେ ବ୍ୟବହୃତ ଅଟୋଟିକୁ ପୁଲିସ ଜବତ କରିଛି।
ଏହି ଅପରାଧୀ ଦ୍ବୟଙ୍କ ନାମରେ ୪୫୭ ଓ ୩୮୦ ଦଫାରେ ମାମଲା ରୁଜୁ କରାଯାଇଛି। ଅପରାଧୀ ଦ୍ବୟଙ୍କୁ ପୁରୀ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ପୁରୀ ଜେଲକୁ ପଠାଇ ଦିଆଯାଇଛି। ପୁଲିସ ସୂଚନା ମୁତାବକ, ମନ୍ଦିର ଦକ୍ଷିଣ ଦ୍ୱାର ପ୍ରାଚୀର ଡେଇଁ ସେମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ। ସିସିଟିଭି ଭାଙ୍ଗିଥିଲେ। ଠାକୁରଙ୍କ ବିଜେ ପ୍ରତିମା ଶ୍ରୀ ଶ୍ରୀ ମଦନ ମୋହନ ଦେବଙ୍କ ମନ୍ଦିର ତାଲା ଭାଙ୍ଗି ଚୋରି କରିଥିଲେ। ପରେ ମନ୍ଦିର ପରିଦର୍ଶକଙ୍କ କାର୍ଯ୍ୟାଳୟ ତାଲା ଭାଙ୍ଗି ସିସିଟିଭି ମନିଟରଟିକୁ ନେଇ ଯାଇଥିଲେ।



