ରୋହିତ ଭେମୁଲାକୁ ନେଇ ପୁଣି ରାଜନୀତି
ନୂଆଦିଲ୍ଲୀ : ହାଇଦରାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ରୋହିତ ଭେମୁଲାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପୁଣି ଥରେ ରାଜନୀତି ଆରମ୍ଭ ହୋଇଯାଇଛି। ନୂତନ ଘଟଣାକ୍ରମେ ଭେମୁଲାଙ୍କ ମାଆଙ୍କ ପ୍ରତିକ୍ରିୟାକୁ ଉଲ୍ଲେଖ କରି ବିଜେପି ବିରୋଧୀଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛି। ଭେମୁଲାଙ୍କ ମାଆ ରାଧିକା ଭେମୁଲା ଅଭିଯୋଗ କରିଛନ୍ତି ଯେ ମୁସ୍ଲିମ୍ ଲିଗ୍ ଘର ନିର୍ମାଣ ପାଇଁ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ହେଲେ ମୁସ୍ଲିମ୍ ଲିଗ୍ ପ୍ରତିଶ୍ରୁତି ପୂରଣ କରିନାହିଁ। ଏହାକୁ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲ ସାମ୍ବାଦିକ ସମ୍ମିଳନୀ ଡାକି ବିରୋଧୀଙ୍କ ଉପରେ ବର୍ଷିଥିଲେ। ପିୟୁଷ ଗୋଏଲ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ମାମଲାରେ ରାଜନୀତି କରୁଥିବାରୁ ଏବେ କ୍ଷମା ପ୍ରାର୍ଥନା କରନ୍ତୁ। ଆମ ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନ ମୂଲ୍ୟବାନ, ହେଲେ ଏହାକୁ ନେଇ ରାଜନୀତି ହେବା ଅନୁଚିତ। ଭେମୁଲାଙ୍କ ମାଆର ବୟାନ ସାମ୍ନାକୁ ଆସିଛି। ଏବେ ଅର୍ଥ ଲୋଭ ଦେଖାଇ ତାଙ୍କୁ ପୁଣି ଥରେ ବୟାନ ବଦଳାଇବାକୁ କୁହାଯାଇଥିବ। ରାହୁଲ ଗାନ୍ଧି ମଧ୍ୟ ତାଙ୍କ ସହ ମଞ୍ଚରେ ଏକାଠି ହୋଇଥିଲେ। ତେବେ ଏହା ପଛରେ କି ଉଦ୍ଦେଶ୍ୟ ରହିଥିଲା ତାହା ପଦାକୁ ଆସିବା ଆବଶ୍ୟକ। ମିଥ୍ୟାକୁ ନେଇ କଦର୍ଥ ରାଜନୀତି କରୁଥିବା ରାହୁଲ ଗାନ୍ଧି କ୍ଷମା ମାଗିବା ଉଚିତ୍। ଗୋଏଲଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଭେମୁଲାଙ୍କ ମାଆ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ମୁସଲିମ୍ ଲିଗ୍ ତାଙ୍କୁ ୨.୫ ଲକ୍ଷ ଟଙ୍କାର ଦୁଇଟି ଚେକ୍ ଦେଇଥିଲା। ସେଥିମଧ୍ୟରୁ ଗୋଟିଏ ଚେକ୍ ବାଉନ୍ସ ହୋଇଯାଇଛି।