ବିଜେପି ବିରୋଧରେ ହାତ ମିଳାଇଲେ ଆର୍ଏଲ୍ଡି, ଏସ୍ପି
ଲକ୍ଷ୍ନୌ : ଉତ୍ତରପ୍ରଦେଶର କୈରାନା ଏବଂ ନୂପୁର ଆସନ ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନରେ ବିଜେପିକୁ ପରାଜିତ କରିବା ଲାଗି ରାଷ୍ଟ୍ରୀୟ ଲୋକ ଦଳ (ଆର୍ଏଲ୍ଡି) ଏବଂ ସମାଜବାଦୀ ପାର୍ଟି (ଏସ୍ପି) ପରସ୍ପର ହାତ ମିଶାଇଛନ୍ତି। ଆର୍ଏଲ୍ଡି ଉପାଧ୍ୟକ୍ଷ ଜୟନ୍ତ ଚୌଧୁରୀ ଏବଂ ଏସ୍ପି ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟରେ ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ଦୁଇ ନେତା ତିନି ଘଣ୍ଟା ଧରି ଆଲୋଚନା କରିଥିଲେ। ଆଗାମୀ ଗୋରଖପୁର ଏବଂ ଫୁଲପୁର ଉପନିର୍ବାଚନ ମଧ୍ୟ ଏକତ୍ର ଲଢିବା ଲାଗି ଦୁଇ ନେତା ଆଶାବ୍ୟକ୍ତ କରିଛନ୍ତି। ଏପରିକି ୨୦୧୯ ଲୋକ ସଭା ନିର୍ବାଚନରେ ସମସ୍ତ ବିରୋଧୀ ଦଳ ଏକତ୍ର ହୋଇ ପ୍ରତିଦ୍ୱନ୍ଦ୍ୱିତା କରିବା ଆବଶ୍ୟକ ବୋଲି ସେମାନଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି।
ବିଜେପି ନେତା ହୁକୁମ୍ ସିଂହ ଏବଂ ଲୋକେନ୍ଦ୍ର ସିଂହଙ୍କ ପରଲୋକ ପରେ କୈରାନା ଏବଂ ନୂପୁର ଆସନ ଖାଲିପଡିଛି। କୈରାନା ଲୋକସଭା ଆସନରୁ ଆର୍ଏଲ୍ଡି ଜୟନ୍ତ ଚୌଧୁରୀଙ୍କୁ ପ୍ରାର୍ଥୀ କରିବ। ସେହିଭଳି ନୂପୁର ବିଧାନସଭା ଆସନରେ ଏସ୍ପି ପ୍ରାର୍ଥୀଙ୍କୁ ଦଳ ସମର୍ଥନ ଦେବା ବୋଲି ଦଳୀୟ ବରିଷ୍ଠ ନେତା ପ୍ରକାଶ କରିଛନ୍ତି। ଏ ସମ୍ବନ୍ଧରେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ଏହା ପୂର୍ବରୁ ଦୁଇ ଦଳ ବିଏସ୍ପି ମୁଖ୍ୟ ମାୟାବତୀଙ୍କ ସହିତ ମେଣ୍ଟ କରିବାକୁ ଆଲୋଚନା କରିବେ ବୋଲି ଜଣାପଡିଛି। ଯଦିଓ ବିଏସ୍ପି କୌଣସି ଉପନିର୍ବାଚନରେ ସକ୍ରିୟ ଅଂଶଗ୍ରହଣ କରିବ ନାହିଁ ବୋଲି ମାୟାବତୀ ପୂର୍ବରୁ ଘୋଷଣା କରିଥିଲେ; ତଥାପି ବିଜେପି ବିରୋଧରେ ମେଣ୍ଟକୁ ମଜବୁତ କରିବା ନିମନ୍ତେ ସମସ୍ତ ଦଳ ନିଜ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି।