ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ କାର୍ଯ୍ୟାଳୟ ପରିସରରେ ଗୁରୁବାର ମିଶନ ଶକ୍ତିର ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମୀକ୍ଷାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସି ପାତ୍ର ଯୋଗଦେଇଥିଲେ। ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ତାଣ୍ଡି, ବିପିଏମ୍ ଶଙ୍କର ଚାଳାନ, ଡିପିସି ଅନିଲ ଧାଙ୍ଗା, ସିଡିପିଓ ଉର୍ମିଳା ପରିଡ଼ା, ଏନଏସି ଅଧ୍ୟକ୍ଷ ବନମାଳୀ ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ବ୍ଲକର ୨୪ଟି ପଞ୍ଚାୟତର ଏମବିକେ, ବ୍ୟାଙ୍କ୍ ମିତ୍ର, ସିଆରପି, ଜିପିଏଲଏଫ ଓ ବିଏଲଏଫର ସଭାପତି, ସମ୍ପାଦକମାନଙ୍କୁ ନେଇ ଏହି ମିଶନ ଶକ୍ତି ସମୀକ୍ଷା କରାଯାଇଥିଲା।
ରାଜ୍ୟର ୨୧ ଟି ବିଭାଗରେ ମହିଳାମାନଙ୍କୁ ନିୟୋଜିତ କରାଯାଇଛି। ହେଲେ ଏହି ଯୋଜନାଗୁଡିକ ଉପରେ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଉପରେ ନେଇଥିବା ପଦକ୍ଷେପଗୁଡିକ ବିଷୟରେ ରାଜ୍ୟ ଉପଦେଷ୍ଟା ଲୋପାମୁଦ୍ରା ପାତ୍ର ଆଲୋଚନା କରିଥିଲେ। ମିଶନ ଶକ୍ତି ମାଧ୍ୟମରେ ମହିଳାମାନଙ୍କୁ ସ୍ବାବଲମ୍ବି କରିବା ସହିତ ଆର୍ଥିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଗୁରୁତ୍ବ ଦେବାସହ ଅନେକ ବ୍ୟବସ୍ଥା କରିଛନ୍ତି। ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରାଯାଇ ବିନା ସୁଧରେ ଋଣ ପ୍ରଦାନ କରାଯାଇ ବିଭିନ୍ନ କର୍ମସଂସ୍ଥାନ ଯୋଗାଇବା ସହ ପରିବାରରେ ଆର୍ଥିକ କ୍ଷେତ୍ରରେ ସ୍ବଛଳତା ଆଣିବାରେ ସହାୟକ ହୋଇପାରିବ ବୋଲି ନିଜ ବକ୍ତବ୍ୟରେ ସେ ପ୍ରକାଶ କରିଥିଲେ। ବ୍ୟାଙ୍କରୁ ଋଣ ନେଇ ଉପଯୁକ୍ତ କାର୍ଯ୍ୟରେ ବିନିଯୋଗ କରିବାସହ ଠିକ୍ ସମୟରେ ଋଣ ପରିଷୋଧ କରିବା ଉଚିତ ବୋଲି କହିଥିଲେ। ପ୍ରତି ମାସରେ ଦୁଇଟି ସଭା ଆୟୋଜନ କରି ମହିଳାମାନଙ୍କୁ ଏ ବିଷୟରେ ସୂଚନା ଦେବା, ସେମାନେ ସାମିଲ ହୋଇଥିବା ଯୋଜନାରେ ଉପକୃତ ହେଉଛନ୍ତି ନା ନାହିଁ, ପୁଞ୍ଜି ବିନିଯୋଗ ଠିକ ଭାବରେ ହେଉଛି ନା ନାହିଁ ତା’ର ତଦାରଖ କରିବା, ମୁକ୍ତା ଯୋଜନା ଉପରେ ମହିଳାମାନଙ୍କୁ ବୁଝାଇବା ତଥା ତାଙ୍କର ଆଗ୍ରହ ସୃଷ୍ଟି କରିବା, ଏ ସମସ୍ତ କ୍ଷେତ୍ରରେ ମହିଳାମାନେ କେମିତି ତାଲିମ ନେବେ ତାର ଯୋଜନା କରିବା, ଯେଉଁ ପଞ୍ଚାୟତରେ ମିଶନ ଶକ୍ତି ଗଠନ ହୋଇନାହିଁ, ସେଠାରେ ତୁରନ୍ତ ଗଠନ କରି ସର୍ବ ସମ୍ମୁଖରେ ତାର ସଭାପତି, ସମ୍ପାଦକ ବାଛିବା ଆଦି ଉପରେ ବିଶେଷ ଧ୍ୟାନ ଦେବା ପାଇଁ ବିପିଏମ ମାନଙ୍କୁ ତାଗିଦ୍ କରିଥିଲେ।



