ବିକାଶର ବିକଳ ଚିତ୍ର; ବାହ୍ୟ ଜଗତରୁ ବିଚ୍ଛିନ୍ନ ଗାଁ ସହସିଆମାଲ

ଆମ୍ବୁଲାନ୍ସରେ ଯିବା ପାଇଁ ଖଟରେ ବୁହାହୋଇ ଆସୁଛନ୍ତି ରୋଗୀ

ରେଙ୍ଗାଲି: ଗ୍ରାମାଞ୍ଚଳର ବିକାଶ ଏବଂ ଶିଳ୍ପାୟନ ଜନିତ ପାରିପାର୍ଶ୍ବିକ ବିକାଶ ନେଇ ଚକାଚକ୍‌‌ ବିଜ୍ଞାପନ ଜରିଆରେ ଡେଙ୍ଗୁରା ବାଜୁଛି। କେତେବେଳେ ଡିଜିଟାଲ୍‌‌ ଇଣ୍ଡିଆ ତ କେତେବେଳେ ମେକ୍‌‌ ଇନ୍‌‌ ଓଡ଼ିଶା ଏପରି ଅଜସ୍ର ଯୋଜନାର ଝଲକରେ ଆଖି ଝଲସି ଯିବା ସହିତ କାନ ଅତଡା ପଡ଼ିଯାଉଛି। ତେବେ ବାସ୍ତବିକତା ଏବଂ ବିଜ୍ଞାପନ ମଧ୍ୟରେ ଆକାଶ ପାତାଳର ଫରକ୍‌‌ ଥିବା ଜଳଜଳ ହୋଇ ଦେଖାଯାଉଛି। ଅନେକ ଗାଁ ଅଛି ଯେଉଁଠି ନାଁ ସରକାରଙ୍କ ତଥାକଥିତ ଗ୍ରାମାଞ୍ଚଳ ବିକାଶ ପହଞ୍ଚିଛି ନାଁ ଶିଳ୍ପାୟନଜନିତ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ କାଣି କଉଡିଟିଏ ବିନିଯୋଗ ହୋଇପାରିଛି। ସମ୍ବଲପୁର ଜିଲାର ଶିଳ୍ପ ସମୃଦ୍ଧ ତଥା ଶିଳ୍ପ କରିଡର ବୋଲି କୁହାଯାଉଥିବା ରେଙ୍ଗାଲି ବ୍ଳକ୍‌‌ ଝାଙ୍କରପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସହସିଆମାଲ ଗାଁ ଏହାର ଏକ ଜ୍ୱଳନ୍ତ ଉଦାହରଣ। ବିକାଶର ଅଲୋକରୁ ସମ୍ପୂର୍ଣ୍ଣ ଭାବରେ ବଞ୍ଚିତ ଓ ଅବହେଳାର ଅନ୍ଧକାର ଭିତରେ ପଡ଼ି ରହିଥିବା ଗାଁର ନାଁ ସହସିଆମାଲ ହୋଇଥିଲେ ମଧ୍ୟ ଗ୍ରାମବାସୀଙ୍କ ଭାଗ୍ୟରେ ହସ ନାହିଁ। ଏହି ଗାଁକୁ ଯାତାୟତ ପାଇଁ ରାସ୍ତା ଖଣ୍ଡିଏ ତିଆରି ହୋଇ ପାରିନାହିଁ। ନିକଟସ୍ଥ ପଟାମାଲ ଗାଁଁରୁ ସହସିଆମାଲକୁ ସଂଯୋଗ ପାଇଁ ୮ବର୍ଷ ତଳେ ନରେଗା ଯୋଜନାରେ ଆରମ୍ଭ ହୋଇଥିବା ରାସ୍ତା କାମ ଅଧାପନ୍ତରିଆରେ ପଡ଼ିଛି। ଗାଁ ପାଖରେ ଥିବା ନାଳ ଉପରେ ୧୦ବର୍ଷ ତଳେ ଆରମ୍ଭ ହୋଇଥିବା ପୋଲ ନିର୍ମାଣ କାମ ମଧ୍ୟ ଅଧାପନ୍ତରିଆରେ ପକାଇ ଦିଆଯାଇଛି। ଫଳରେ ଜିଲା ସଦର ମହକୁମା ପଞ୍ଚାୟତ, ବ୍ଲକ, ତହସିଲ, ଡାକ୍ତରଖାନା, ଥାନା ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯାତାୟତରେ ଗ୍ରାମବାସୀଙ୍କ ପାଇଁ ବିଷମ ସମସ୍ୟା ସୃଷ୍ଟି କରୁଛି। ଗାଁକୁ ରାସ୍ତା ନଥିବାରୁ ଗ୍ରାମର କେହି ଗୁରୁତର ରୋଗଗ୍ରସ୍ତ ହେଲେ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଯାନ ଆସିପାରେ ନାହିଁ। ଗୁରୁତର ପୀଡିତ ରୋଗୀକୁ ଖଟରେ ବୁହା ହୋଇ ପଟାମାଳ ଗାଁକୁ ଅଣାଯାଏ ଏବଂ ସେଠାରୁ ଗାଡ଼ିରେ ରୋଗୀକୁ ଡାକ୍ତରଖାନାକୁ ନିଆଯାଇଥାଏ। ବିକାଶର ଏଭଳି ବିକଳ ଚିତ୍ର ପ୍ରଶାସନିକ ଅଧିକାରୀମାନଙ୍କ ନଜରକୁ ଅସୁଥିଲେ ମଧ୍ୟ ଜାଣି ନଜାଣିଲା ଭଳି ନୀରବଦ୍ରଷ୍ଟା ହୋଇ ରହୁଛନ୍ତି।

ରାଜ୍ୟ ସାରା ଗ୍ରାମାଞ୍ଚଳରେ ସ୍ୱଚ୍ଛ ପିଇବା ପାଣିର ବ୍ୟବସ୍ଥା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ପରିତାପର ବିଷୟ ଯେ, ସହସିଆମାଲ ଗାଁରେ ଏପର୍ଯ୍ୟନ୍ତ ନଳକୂଅଟିଏ ମଧ୍ୟ ଖୋଳାଯାଇ ନାହିଁ। ଗାଁରେ ପୋଖରୀ କି ବନ୍ଧକଁଟା କିଛିନାହିଁ। ୪ବର୍ଷ ହେଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା ପାଇପ୍‌‌ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଥିଲେ ମଧ୍ୟ ତାହା ବ୍ୟବହାର ଉପଯୋଗୀ ନୁହେଁ। ଯାହାଫଳରେ ପାଖ ଦେଇ ପ୍ରବାହିତ ହେଉଥିବା କହ ଯୋର ନାମକ ନାଳର ପାଣରେ ଖାଦ୍ୟପେୟ ପ୍ରସ୍ତୁତିଠାରୁ ଆରମ୍ଭ କରି ସ୍ନାନ, ଶୌଚାଦି କର୍ମ ସମ୍ପାଦନ କରିବାକୁ ଗାଁର ଲୋକେ ବାଧ୍ୟ ହେଉଛନ୍ତି। ଏହି ଗାଁରେ ମୋଟ ୧୬ଟି ପରିବାର ବସତି ସ୍ଥାପନ କରିଛନ୍ତି। ସମସ୍ତେ ଆଦିମ ଆଦିବାସୀ ସଂପ୍ରଦାୟର। ଆଦିବାସୀ ସଂପ୍ରଦାୟର ଶିକ୍ଷାସ୍ୱାସ୍ଥ୍ୟ ଆଦି ମୌଳିକ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ଡିଣ୍ଡିମ ବାଜୁଛି, ହେଲେ ସହସିଆମାଲ ଗାଁରେ ପ୍ରାଥମିକ ବିଦ୍ୟାଳୟ ତ ଦୂରର କଥା ଅଙ୍ଗନବାଡି କେନ୍ଦ୍ର ମଧ୍ୟ ନାହିଁ। ଗାଁର ଶିଶୁମାନେ ୪/୫ କିଲୋମିଟର ଦୂରରେ ଥିବା ବାସୁପାଲି କିମ୍ବା ରୁନିମହୁଲରେ ଥିବା ଅଙ୍ଗନବାଡି କେନ୍ଦ୍ର ଏବଂ ପ୍ରାଥମିକ ବିଦ୍ୟାଳୟକୁ ପାଠପଢ଼ିବା ପାଇଁ କିପରି ଯାଉଥିବେ ତାହା ସହଜେ ଅନୁମେୟ। ଗାଁ ଲୋକଙ୍କ କହିବା ଅନୁଯାୟୀ, ବଡବଡ ସରକାରୀ ବାବୁମାନଙ୍କ ପାଦ ଏହି ଗାଁରେ କେବେ ପଡ଼ିନାହିଁ। ସ୍ୱାଧିନତା ପରେ ଅନେକ ନିର୍ବାଚନ ଆସିଲାଣି ଗଲାଣି, କେତେ ନେତା ବିଧାୟକ ହେଲେଣି କିନ୍ତୁ ବିଡମ୍ବନାର ବିଷୟ ଯେ, ସହସିଆମାଲ ଗ୍ରାମରେ କେହି ଜଣେ ହେଲେ ବିଧାୟକ ଏପର୍ଯ୍ୟନ୍ତ ପାଦ ପକେଇ ନାହାନ୍ତି। ଏହି ଗାଁରୁ ୪ କିଲୋମିଟର ଦୂରରେ ଥିବା ବାସୁପାଲି ଗାଁରେ ପ୍ରାଥମିକ ସ୍କୁଲଥିବା ବେଳେ ୭/୮ କିଲୋମିଟତ ଦୂରରେ ଥିବା କତରବଗା ଏବଂ ଝାଙ୍କରପାଲି ଗାଁରେ ହାଇସ୍କୁଲ ଅଛି। ରାସ୍ତା ଘାଟର ସୁବିଧା ନ ଥିବାରୁ ଗାଁର ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି। ଗ୍ରାମବାସୀ ଏଭଳି ସର୍ବ ନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ରହିଥିବାରୁ ଏସବୁ ଜନସମସ୍ୟାର ସମାଧାନ ପାଇଁ ଝାଙ୍କରପାଲି ସରପଞ୍ଚ ସୁକାନ୍ତ କୁମାର ସାହୁ ବାରମ୍ବାର ଜିଲାପାଳଙ୍କ ନିକଟରେ ଦାବୀ ଉପସ୍ଥାପନ କରିବା ସହିତ ପଞ୍ଚାୟତ ସମିତି ବୈଠକରେ ମଧ୍ୟ ଅନେକଥର ଦାବି କରିଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ ଜନସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ସରପଞ୍ଚ କ୍ଷୋଭ ପ୍ରକାଶ କରିଛନ୍ତି।

ଅପର ପକ୍ଷରେ ଶିଳ୍ପ ସମୃଦ୍ଧ ରେଙ୍ଗାଲି ଅଞ୍ଚଳରେ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ଦ୍ୱାରା ପ୍ରତିଷ୍ଠିତ ବିଭିନ୍ନ କଳକାରଖାନା, ଖଣିଖାଦାନରୁ କୋଟି କୋଟି ଟଙ୍କା ମୁନାଫା ହେଉଥିଲେ ମଧ୍ୟ ଏହି କମ୍ପାନୀର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିର ଟଙ୍କା ସହସିଆମାଲ ଭଳି ଅବହେଳିତ ଓ ଅପହଞ୍ଚ ଇଲାକାର ଉନ୍ନୟନ ପାଇଁ ବିନିଯୋଗ ହେଉନାହିଁ। ରେଙ୍ଗାଲି ଅଞ୍ଚଳରେ ଥିବା କଳକାରଖାନା, ଖଣି ଖାଦାନ, କ୍ରସର ୟୁନିଟଗୁଡିକର ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିର ଟଙ୍କା ବହୁ ଦୂରରେ ଥିବା ସହରର ବିକାଶରେ ତେଳିଆ ମୁଣ୍ଡରେ ତେଳ ଦେଲା ଭଲି ବିନିଯୋଗ କରାଯାଇଛି ପଛକେ ଶିଳ୍ପ ପ୍ରଭାବିତ ଗାଁ ସହସିଆମାଲ ଗାଁର ଉନ୍ନୟନରେ କାହିଁକି ଖର୍ଚ୍ଚ କରାଯାଉ ନାହିଁ ବୋଲି ଝାଙ୍କରପାଲି ସରପଞ୍ଚ ସୁକାନ୍ତ କୁମାର ସାହୁ ପ୍ରଶ୍ନ କରିଛନ୍ତି।

Comments are closed.