ବିଦ୍ୟୁତ୍ ବିଭାଗର ଉଦାସୀନତା; ଅଭାବୀ ବିକ୍ରି ଜାଲରେ ଛନ୍ଦି ହେଉଛନ୍ତି ଚାଷୀ
ରେଙ୍ଗାଲି: ସରକାର କୃଷି ଏବଂ କୃଷକ ମାନଙ୍କ ସ୍ୱାର୍ଥ ପ୍ରତି ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି ବୋଲି ବ୍ୟାପକ ପ୍ରଚାର ପ୍ରସାର ହେବା ସହିତ ବିଭିନ୍ନ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି । ଜମିକୁ ଜଳ ଯୋଜନାରେ ଚାଷ ଜମିରେ ଗଭୀର ନଳକୂପ ଖନନ ପାଇଁ ସରକାର ଚାଷୀ ମାନଙ୍କୁ ବ୍ୟାପକ ସବ୍ସିଡି ଦେଇ ପ୍ରୋତ୍ସାହିତ କରୁଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଯେ ତୃଣମୂଳ ସ୍ତରରେ ଥିବା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁ ସରକାରୀ ପ୍ରୋତ୍ସାହନ ସତ୍ତ୍ବେ ଚାଷୀ ଶୋଷଣର ଶିକାର ହେଉଛନ୍ତି ।
ରେଙ୍ଗାଲି ବ୍ଳକରେ ଏହାର ଅନେକ ଉଦାହରଣ ଦେଖିବାକୁ ମିଳୁଛି । ଅନୁସନ୍ଧାନରୁ ଜଣାପଡ଼ିଛି ସରକାରୀ ପ୍ରୋତ୍ସାହନରେ ଗଭୀର ନଳକୂପ ଖନନ କରିଥିବା ଚାଷୀ ମାନଙ୍କୁ ବର୍ଷାଧିକ କାଳ ବିତିଯାଇଥିଲେ ହେଁ ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା ବିଦୁତ୍ ବିଲ୍ ଦେଉ ନଥିବାରୁ ଗଭୀର ନଳକୂପ ମାଧ୍ୟମରେ ରବିଋତୁରେ ଧାନ ଚାଷ କରିଥିବା ଚାଷୀଙ୍କୁ ଟୋକନ୍ ମିଳୁନାହିଁ । ଫଳରେ ସଂପୃକ୍ତ ଚାଷୀ ମାନେ ଅଭାବୀ ବିକ୍ରି ଜାଲରେ ଛନ୍ଦି ହେବାକୁ ବାଧ୍ୟ ହେଉଛନ୍ତି । ଉପାୟ ଶୂନ୍ୟ ଚାଷୀ ଅଣ୍ଡର ରେଟରେ ଧାନ ବିକ୍ରି କରି ଶୋଷଣର ଶିକାର ହେଉଛନ୍ତି । ସରକାରୀ ନିୟମ ଅନୁଯାୟୀ ଗଭୀର ନଳକୂପରୁ ରବି ଋତୁରେ ଧାନ ଚାଷ କରିଥିବା ଚାଷୀ ଉକ୍ତ ଗଭୀର ନଳକୂପର ବିଦ୍ୟୁତ୍ ବିଲର କପି ଦାଖଲ କଲେ ଯାଇ ସଂପୃକ୍ତ ଚାଷୀର ନାମ ଧାନ ବିକ୍ରି ସକାଶେ ପଞ୍ଜିକରଣ ହେଉଛି ଏବଂ ଟୋକନ୍ ମିଳୁଛି ।
ଏହି ପରିପ୍ରେକ୍ଷୀ ରେ ରେଙ୍ଗାଲି ବ୍ଳକ୍ ଅଞ୍ଚଳରେ ଗତ ବର୍ଷ ଠାରୁ ଗଭୀର ନଳକୂପ ଖନନ କରି ରବିଋତୁରେ ଧାନ ଚାଷ କରି ଆସୁଥିବା ଅନେକ ଚାଷୀ ମାନଙ୍କୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ଦିଆଯାଇ ନାହିଁ । ଫଳରେ ସଂପୃକ୍ତ ଚାଷୀ ବୃନ୍ଦ ଧାନ ବିକ୍ରି କରିବା ପାଇଁ ନିଜ ନାମ ପଞ୍ଜିକରଣରୁ ବଞ୍ଚିତ ହେବା ସହିତ ଟୋକନ୍ ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ବିନା ଟୋକନରେ ଧାନକ୍ରୟ କେନ୍ଦ୍ରରେ ଧାନବିକ୍ରି ଅସମ୍ଭବ ହେଉଥିବାରୁ ଚାଷୀ ମାନେ ଅଭାବୀ ବିକ୍ରି ଜାଲରେ ଛନ୍ଦି ହୋଇ ଦଲାଲ୍ ମାନଙ୍କ ପାଖରେ ଅଣ୍ଡର ରେଟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଏବଂ ଶୋଷଣର ଶିକାର ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।
Comments are closed.