ରାୟବରେଲିରୁ ନିର୍ବାଚନ ଲଢିବେ ପ୍ରିୟଙ୍କା !
ନୂଆଦିଲ୍ଲୀ : ଗାନ୍ଧୀ-ନେହରୁ ପରିବାରର ଦ୍ୱାଦଶ ସଦସ୍ୟ ଭାବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜାତୀୟ ରାଜନୀତିରେ ପ୍ରବେଶ କରିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦିକା ଏବଂ ପୂର୍ବ ଉତ୍ତରପ୍ରଦେଶ ପ୍ରଭାରୀ ଭାବେ ନିଯୁକ୍ତି ପରେ ଭଉଣୀ ପ୍ରିୟଙ୍କାଙ୍କ ନିର୍ବାଚନ ଲଢିବା ନେଇ କଂଗ୍ରେସ ଅଧ୍ୟକ୍ଷ ତଥା ଭାଇ ରାହୁଲ ଗାନ୍ଧୀ ଗୁରୁବାର ସଂକେତ ଦେଇଛନ୍ତି। ଅର୍ଥାତ ପ୍ରୟିଙ୍କା ତାଙ୍କ ମା’ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାରମ୍ପରିକ ସଂସଦୀୟ ଆସନ ରାୟବରେଲିରୁ ନିର୍ବାଚନ ଲଢିବେ ବୋଲି ଆଶା କରାଯାଉଛି। ରାୟବରେଲିର ଏକ ଜନସଭାରେ ରାହୁଲ କହିଛନ୍ତି ଯେ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ନେବା ପରେ ପ୍ରିୟଙ୍କା ସର୍ବପ୍ରଥମେ ରାୟବରେଲି ଆସିବେ ଓ ଲୋକଙ୍କ କଥା ବୁଝିବେ। ଅସୁସ୍ଥ ହେବା ପରଠାରୁ ସୋନିଆ ଗାନ୍ଧୀ ଆଉ ରାଜନୀତରେ ସକ୍ରିୟ ନାହାନ୍ତି। ତେଣୁ ତାଙ୍କ ସ୍ଥାନରେ ଝିଅ ରାୟବରେଲିରୁ ନିର୍ବାଚନ ଲଢିବେ ଓ ତାଙ୍କ ସ୍ଥାନ ପୂରଣ କରିବେ ବୋଲି ଆଲୋଚନା ହେଉଥିଲା। ଏବେ ରାହୁଲ ଗାନ୍ଧୀଙ୍କ ଘୋଷଣା ଏହି ଆଲୋଚନାକୁ ଖୋରାକ ଯୋଗାଇଛି।
୪୭ ବର୍ଷ ବୟସରେ ପ୍ରିୟଙ୍କାକୁ ଦଳୀୟ ଦାୟିତ୍ୱ ମିଳିଥିଲେ ବି ସେ ବହୁ ପୂର୍ବରୁ କଂଗ୍ରେସ ପାଇଁ କାର୍ଯ୍ୟ କରିଆସୁଛନ୍ତି। ସେ ୨୦୦୪ ଲୋକସଭା ନିର୍ବାଚନରେ ରାୟବରେଲି ଓ ଅମେଠିରେ ମା’ ସୋନିଆ ଓ ଭାଇ ରାହୁଲଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। କୁହାଯାଉଛି ନିକଟରେ ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନରେ ତାଙ୍କର ବଡ଼ ଭୂମିକା ରହିଥିଲା।
ଏହାସହ ରାହୁଲ ନିଜ ଅଭିଭାଷଣରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ଉପରେ ବର୍ଷିଥିଲେ। ରାଫେଲ ରାଜିନାମା, ବିମୁଦ୍ରାୟନ, ଜିଏସ୍ଟି ଭଳି ଅନେକ ପ୍ରସଙ୍ଗକୁ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଥିଲେ।