ଦିନ ୯ଟା ୩୦ରେ ପହଣ୍ଡି, ୪ଟାରେ ରଥଟଣା

0

ପୁରୀ  : ଶ୍ରୀଜୀଉଙ୍କ ରଥଯାତ୍ରା ନୀତିନିର୍ଘଣ୍ଟ ରବିବାର ପ୍ରସ୍ତୁତ କରାଯାଇଛି। ଛତିଶା ନିଯୋଗ ଏବଂ ନୀତି ସବ୍‍କମିଟି ବୈଠକରେ ତାହାକୁ ଅନୁମୋଦନ କରାଯାଇଛି। ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସେଥିରେ ଅଧ୍ୟକ୍ଷତା କରିଥିଲେ। ଆଗାମୀ ଜୁଲାଇ ୧୪ତାରିଖରେ ଶ୍ରୀଗୁଣ୍ଡିଚାଯାତ୍ରା ଅନୁଷ୍ଠିତ ହେବ। ସେଦିନ ସକାଳ ୬ଟାରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି କରାଯିବ। ମଇଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା ଏବଂ ଦ୍ୱାରପାଳ ପୂଜାପରେ ପ୍ରଭୁଙ୍କୁ ବେଶ କରାଯିବ। ସକାଳ ୮ଟାରୁ ୯ଟା ମଧ୍ୟରେ ଗୋପାଳବଲ୍ଲଭ ସମେତ ସକାଳଧୂପ ଅନୁଷ୍ଠିତ ହେବ। ଖେଚୁଡିଭୋଗ ଖାଇ ଚତୁର୍ଦ୍ଧାମୂର୍ତ୍ତି ଘୋଷଯାତ୍ରାକୁ ବାହାରିବେ। ଦିନ ୯ଟାରେ ରଥ ପ୍ରତିଷ୍ଠା ଏବଂ ୯ଟା ୧୫ରେ ମଙ୍ଗଳାର୍ପଣ ନୀତି ସମ୍ପନ୍ନ ହେବ। ଦିନ ୯ଟା ୩୦ରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇ ୧୨ଟା ୩୦ସୁଦ୍ଧା ଶେଷହେବ। ୧୨ଟା ୩୦ରୁ ୧ଟା ମଧ୍ୟରେ ମଦନ ମୋହନ ରଥ ଉପରକୁ ବିଜେ କରିବେ। ଏହାପରେ ରଥଉପରେ ତିନି ଠାକୁରଙ୍କୁ ଚିତାଲାଗି ଓ ବେଶ କରାଯିବ। ଦିନ ୨ଟାରୁ ୩ଟା ମଧ୍ୟରେ ଗଜପତି ମହାରାଜା ରଥରେ ଛେରାପହଁରା କରିବେ। ଚାରମାଳ ଫିଟାଯାଇ ଘୋଡା ଓ ସାରଥି ଲଗାଯିବ। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ପାଇଁ ସ୍ଥିର ହୋଇଛି। ଶ୍ରୀଜୀଉଙ୍କ ରଥଯାତ୍ରା ନୀତି ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସବୁ ସେବକ ନିଯୋଗର ସହଯୋଗ ଲୋଡିଛି। ସେହିପରି ହେରାପଞ୍ଚମୀ, ରଥ ଦକ୍ଷିଣମୋଡ, ସନ୍ଧ୍ୟାଦର୍ଶନ, ବାହୁଡାଯାତ୍ରା, ହରିଶୟନ ଏକାଦଶୀ ସୁନାବେଶ, ଅଧରପଣା ଏବଂ ନୀଳାଦ୍ରି ବିଜେ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଜୁଲାଇ ୨୨ରେ ହେବାକୁଥିବା ବାହୁଡାଯାତ୍ରାରେ ଦିନ ୧୧ଟାରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇ ୨ଟାରେ ଶେଷହେବ। ଦିନ ୨ଟା ୩୦ରେ ଛେରାପହଁରା ଏବଂ ୪ଟାରେ ରଥଟଣା କରାଯିବାକୁ ସ୍ଥିର କରାଯାଇଛି।
ଜିଲାପାଳ ତଥା ଉପମୁଖ୍ୟ ପ୍ରଶାସକ ଅରବିନ୍ଦ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଡାକ୍ତର ସାର୍ଥକ କୁମାର ଷଡ଼ଙ୍ଗୀ, ପ୍ରଶାସକ (ନୀତି) ପ୍ରଦୀପ କୁମାର ଦାଶ, ପ୍ରଶାସକ (ସୁରକ୍ଷା) ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ପ୍ରଶାସକ (ରାଜସ୍ୱ) ମଧୁସୂଦନ ଦାସ, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ସମେତ ବିଭିନ୍ନ ସେବକ ନିଯୋଗ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ।

Leave A Reply