ଆହତ ସାମ୍ବାଦିକଙ୍କୁ ସାହାଯ୍ୟ କଲେ ରାହୁଲ, ପ୍ରିୟଙ୍କା
କେଲପେଟ୍ଟା (କେରଳ) : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ୱାଇନାଡରୁ ପ୍ରାର୍ଥିପତ୍ର ଦାଖଲ ପରେ ସଡକ ଶୋଭାଯାତ୍ରା କରିଥିଲେ। ରାହୁଲଙ୍କ ସହିତ ଭଉଣୀ ପ୍ରିୟଙ୍କା ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ସମୟରେ ରିପୋର୍ଟିଂ କରୁଥିବା ଗଣମାଧ୍ୟମର କେତେକ ପ୍ରତିନିଧି ଗାଡିରୁ ଖସିପଡି ଆହତ ହୋଇଥିଲେ। ରାହୁଲ ଓ ପ୍ରିୟଙ୍କା ଆହତ ସାମ୍ବାଦିକଙ୍କୁ ସାହାଯ୍ୟ କରିଥିଲେ। ରାହୁଲ ଆହତ ଜଣେ ସାମ୍ବାଦିକଙ୍କୁ ଷ୍ଟ୍ରେଚରରେ ଧରି ଆମ୍ବୁଲାନ୍ସକୁ ନେଉଥିବା ଦେଖାଯାଇଥିଲା। ସେହିପରି ପ୍ରିୟଙ୍କା ସାମ୍ବାଦିକଙ୍କ ଚପଲକୁ ରାସ୍ତାରୁ ଉଠାଇ ନେଉଥିବା ଦେଖାଯାଇଛି। ଘଟଣା ସମ୍ପର୍କିତ ଭିଡିଓକୁ ଯୁବ କଂଗ୍ରେସର ଜଣେ ନେତା ତାଙ୍କ ଫେସବୁକ୍ ପୃଷ୍ଠାରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ରାହୁଲଙ୍କ ଶୋଭାଯାତ୍ରାର ରିପୋର୍ଟିଂ ପାଇଁ ସାମ୍ବାଦିକମାନେ ଏକ ଖୋଲା ଗାଡିରେ ଯାଉଥିବାବେଳେ ଏହାର ବାରିକେଡ ଭାଙ୍ଗି ଯାଇଥିଲା। ଫଳରେ ୫ଜଣ ସାମ୍ବାଦିକ ତଳେ ପଡିଯାଇଥିଲେ। ଦୁଇଜଣ ସାମ୍ବାଦିକଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କଂଗ୍ରେସ ସୂତ୍ରରୁ କୁହାଯାଇଛି। ନିକଟରେ ରାହୁଲଙ୍କ ଓଡିଶା ଗସ୍ତ ସମୟରେ ଭୁବନେଶ୍ବର ବିମାନବନ୍ଦରରେ ଜଣେ ସାମ୍ବାଦିକ ତାଙ୍କ ଫଟୋ ଉଠାଇବା ସମୟରେ ତଳେ ପଡି ଯାଇଥିଲେ। ରାହୁଲ ଉକ୍ତ ସାମ୍ବାଦିକଙ୍କୁ ତଳୁ ଉଠାଇବା ପୂର୍ବକ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।
Comments are closed.