ଶ୍ରୀମନ୍ଦିରରେ ଲୁହାଗ୍ରିଲ ଭାଙ୍ଗି ଦାନବାକ୍ସ ଚୋରି

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତରୁ ସୋମବାର ରାତିରେ ଚୋରି ହୋଇଛି। ଦକ୍ଷିଣଦ୍ବାର ନିକଟରେ ଥିବା ରାମଚନ୍ଦ୍ରଙ୍କ ମନ୍ଦିର ଲୁହାଗ୍ରିଲ ଭାଙ୍ଗି ଦୁର୍ବୃତ୍ତମାନେ ଦାନବାକ୍ସରୁ ଟଙ୍କା ଚୋରି କରିଛନ୍ତି। ଏହାଛଡା ରାଧାକୃଷ୍ଣ ଓ ଗଣେଶଙ୍କ ମୂର୍ତ୍ତି ଚୋରି ଅଭିଯୋଗ ହୋଇଛି। ଦେବୀସୀତାଙ୍କ ଅଷ୍ଟଧାତୁ ମୂର୍ତ୍ତି ଚୋରି ଉଦ୍ୟମ ବିଫଳ ହୋଇଛି। ସିଂହଦ୍ବାର ଥାନା ପୁଲିସ ଏକ ମୋକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜକୁ ଭିତ୍ତିକରି ଅପରାଧୀଙ୍କୁ ଚିହ୍ନଟ ପାଇଁ ପୁଲିସ ଉଦ୍ୟମ ଚଳାଇଛି। ମନ୍ଦିର ଛାତ ଉପରୁ ଭଙ୍ଗା ଦାନବାକ୍ସ ସମେତ ରେଜାପାଇସା ପଡିଥିବା ଦେଖିବାକୁ ମିଳିଛି।
ବୈଦ୍ୟନାଥ ମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ ମନ୍ଦିର ସମ୍ମୁଖ ଲୁହାଗ୍ରୀଲ ତଡାଯାଇଛି। ଦୁର୍ବୃତ୍ତମାନେ ଦାନବାକ୍ସ ଭାଙ୍ଗି ଟଙ୍କା କାଢିନେବା ପରେ ଛାତଉପରେ ରେଜା ପଇସା ଛାଡି ଯାଇଛନ୍ତି। ଦକ୍ଷିଣଦ୍ବାରଠାରୁ ରାମଚନ୍ଦ୍ରଙ୍କ ମନ୍ଦିରର ଦୂରତ୍ବ ମାତ୍ର ୫୦ମିଟର ହେବ। ଶ୍ରୀମନ୍ଦିରର ଚାରୋଟି ଦ୍ବାରରେ ମେଟାଲ ଡିଟେକ୍ଟର ଲଗାଯିବା ସହ ଦିନରାତି ୨୪ଘଣ୍ଟା ସଶସ୍ତ୍ର ପୁଲିସଫୋର୍ସ ମୁତୟନ କରାଯାଇଛି। ଏହାସତ୍ତ୍ବେ ମନ୍ଦିର ପରିସରରେ ଥିବା ରାମଚନ୍ଦ୍ର ମନ୍ଦିରରୁ ଚୋରିହେବା ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିରର ଚୋରାବାଟ ସମ୍ପର୍କରେ ଅବଗତ ଥିବା କୌଣସି ବ୍ୟକ୍ତି ଏଭଳି କରିଥିବା ଏସ୍‌ପି ଉମାଶଙ୍କର ଦାଶ ଗଣମାଧ୍ୟମକୁ କହିଛନ୍ତି।

Comments are closed.