ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ, କାର୍ଯ୍ୟାବଳୀ ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ
ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ସହ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ଉପରେ ପ୍ରାଥମିକତା ଦେବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ଓସ୍ୱାନ ହଲରେ ବିଭାଗର ମାସିକ ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଅଧ୍ୟକ୍ଷତା କରି କହିଲେ ଯେ ଗ୍ରାମୀଣ ଭିତ୍ତିଭୂମୀ ବିକାଶ କ୍ଷେତ୍ରରେ ବିଭାଗ ଗୁରୁଦାୟିତ୍ୱ ବହନ କରିଥାଏ। ଏଣୁ ସମସ୍ତ ନିର୍ମାଣ କାମ ତ୍ୱରାନ୍ୱିତ ପ୍ରକ୍ରିୟାରେ ଏବଂ ଧାର୍ଯ୍ୟ ସମୟରେ ସମ୍ପୁର୍ଣ୍ଣ ହେବା ବିଭାଗର ଗୁରୁଦାୟିତ୍ୱ। ଏ ଦିଗରେ ବିଭାଗର ସମସ୍ତ ଯନ୍ତ୍ରୀମାନେ ଯତ୍ନବାନ ହେବା ଆବଶ୍ୟକ। ସେହିପରି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଆସୁଥିବା ବିଭାଗ ସମ୍ବନ୍ଧୀୟ ସମସ୍ତ ଅଭିଯୋଗଗୁଡିକର ତୁରନ୍ତ ସମାଧାନ ଦିଗରେ ବିଭାଗ ଧ୍ୟାନ ଦେବା ଜରୁରୀ ବୋଲି ଶ୍ରୀ ସିଂହ ପ୍ରକାଶ କରିଥିଲେ। ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ବିଭାଗ ସମ୍ଭନ୍ଧୀୟ ସମସ୍ତ ଅଭିଯୋଗଗୁଡିକର ତର୍ଜମା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ତନ୍ମଧ୍ୟରୁ ୧୫୬ ଗୋଟି ବ୍ରିଜ ପାଇଁ ୧୨୩୧.୩୬ କୋଟି, ୪୫ ଗୋଟି ରାସ୍ତା ପ୍ରକଳ୍ପ ପାଇଁ ୨୯୨.୭୩ କୋଟି ବ୍ୟୟ ଅଟକଳ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି। ସେଥିମଧ୍ୟରୁ ୧୨ ଗୋଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ୪୬ଟିର ଟେଣ୍ଡର ପ୍ରକ୍ରିୟା ଏବଂ ୩୭ଟିର ଡିପିଆର ପ୍ରସ୍ତୁତି ସମାପ୍ତ ହୋଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଅକ୍ଷୟ କୁମାର ପ୍ରଧାନ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ।
ସେହିପରି ଆର.ଆଇ.ଡି.ଏଫ ଯୋଜନା ଅଧିନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକ ଧାର୍ଯ୍ୟ ସମୟରେ ସାରିବା ସହ ପିସିଆର ପ୍ରଦାନ କରିବାକୁ ଶ୍ରୀ ସିଂହ ନିର୍ଦ୍ଦେଶ ଦେବା ସହ ରୋଡ ଏବଂ ବ୍ରିଜ ସେକଫରରେ ସ୍ଥଗିତ ରହିଥିବା ଡିପିଆର ଆସନ୍ତା ଏକ ସପ୍ତାହ ମଧ୍ୟରେ ଦାଖଲ କରିବାକୁ କହିଥିଲେ। ପାରିପାର୍ଶ୍ବିକ କାରଣ ପାଇଁ ଯଦି ଧାର୍ଯ୍ୟ ସମୟ ମଧ୍ୟରେ କୌଣସି ପ୍ରକଳ୍ପ ସମ୍ପୁର୍ଣ୍ଣ ହେଇ ପାରୁ ନଥିବ ତେବେ ଆବଶ୍ୟକ ପଡିଲେ ପିସିଆର ପାଇଁ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟ ଅବଧି ବୃଦ୍ଧି କରିବାକୁ ଅର୍ଥ ବିଭାଗକୁ ଅନୁରୋଧ କରାଯିବ। ଅକ୍ଟୋବର ମାସ ସୁଦ୍ଧା ବିଭାଗୀୟ ବଜେଟର ୬୦ ପ୍ରତିଶତ ଡିଭିଜନମାନଙ୍କୁ ପ୍ରଦାନ କରାଯିବ। ବର୍ତ୍ତମାନ ସୁଦ୍ଧା ବିଭାଗର ପ୍ରକଳ୍ପଜନିତ ବ୍ୟୟ ୫୦ ପ୍ରତିଶତ ରହିଛି। ଆସନ୍ତା ଅକେଫାବର ଶେଷ ସୁଦ୍ଧା ସମସ୍ତ ଡିଭିଜନ ଅନ୍ୟìନ ୬୦ ପ୍ରତିଶତ ଅନୁଦାନ ଖର୍ଚ୍ଚ କରିବା ସହ ସମସ୍ତ ଡିଭଜନ ସର୍ବନିମ୍ନ ୧୫ କୋଟି ଟଙ୍କା ଖର୍ଚ୍ଚ କରି ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ସିଂହ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଶତପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ବାକି ରହିଥିବା ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ କହିଥିଲେ। ସେହିପରି ବିଜୁସେତୁ ଯୋଜନା ଅଧିନରେ ବିଭିନ୍ନ ଜିଲ୍ଲାରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ପଚାରି ବୁଝିବା ସହ ଆପ୍ରୋଚ ରୋଡଗୁଡିକୁ ଆସନ୍ତା ଅକେcାବର ଶେଷ ସୁଦ୍ଧା ସାରିବାକୁ ବୈଠକରେ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
୨୦୨୧-୨୨ ଆର୍ଥିକ ବର୍ଷ ପୂର୍ବରୁ ବାକି ରହିଥିବା ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ସାରିବା ସହ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ସମସ୍ତ ପ୍ରକଳ୍ପଗୁଡିକର ଡିପିଆର ଫାଇନାଲ କରି ଟେଣ୍ଡର ପ୍ରକ୍ରିୟା ଶୀଘ୍ର ସାରିବାକୁ ଶ୍ରୀ ସିଂହ ପରାମର୍ଶ ଦେଇଥିଲେ। ବିଜୁ ସେତୁ ଯୋଜନା ଅଧିନରେ ଥିବା ଅସମ୍ପୂର୍ଣ୍ଣ କାମ ଆସନ୍ତା ଅକ୍ଟୋବର ଶେଷ ସୁଦ୍ଧା ସାରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧିନରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସାରିବା ସହିତ ୨୦୨୧-୨୨ ପୂର୍ବରୁ ଅସମ୍ପୂର୍ଣ୍ଣ ଥିବା ପ୍ରକଳ୍ପକୁ ଆସନ୍ତା ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବା ଜରୁରୀ ବୋଲି ଶ୍ରୀ ସିଂହ କହିଥିଲେ। ଏଥି ସହିତ ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଶତପ୍ରତିଶତ ପ୍ରଶାସନିକ ଅନୁମୋଦନ ସହ ସମସ୍ତ ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ କରିବାକୁ କହିଥିଲେ । ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅଧିନରେ ନିର୍ମାଣ କରାଯାଉଥିବା ରାସ୍ତାରେ ବ୍ୟବହୃତ ପିଚୁ ଉଚ୍ଚମାନର ହେବା ଜରୁରୀ । ଏଥିପାଇଁ ଅଧିକୃତ ସଂସ୍ଥା ଯଥା ଆଇ.ଓ.ସି.ଏଲ, ଏଚ.ପି.ସି.ଏଲ ଠାରୁ ପିଚୁ ବା ବିଟୁମେନ କିଣି ବ୍ୟବହାର କରିବାକୁ ବିଭାଗୀୟ ନିର୍ଦ୍ଦେଶ ରହିଛି । ଏଥିରେ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ସିଂହ ବୈଠକରେ ସତର୍କ କରାଇଥିଲେ।
ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପଚାରି ବୁଝିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ, ସ୍ୱତନ୍ତ୍ର ଶାସନ ସଚିବ ସୁଦର୍ଶନ ପରିଡା, ଇଆଇସି ଅକ୍ଷୟ କୁମାର ପ୍ରଧାନ, ଇଆଇସି ଜୀବନାନନ୍ଦ ନାୟକଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Comments are closed.