ସୂଚନା ପ୍ରସାରଣ ମନ୍ତ୍ରାଳୟ ଉପରେ ରାଷ୍ଟ୍ରପତି କ୍ଷୁବ୍ଧ

0

ନୂଆଦିଲ୍ଲୀ : କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ମହୋତ୍ସବର ତ୍ରୁଟିପୂର୍ଣ୍ଣ ପରିଚାଳନା ପାଇଁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ବିବାଦ ମଧ୍ୟକୁ ଟାଣି ହୋଇଯାଇଥିବାରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଭବନ ନିଜର ଅସନ୍ତୋଷ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ଅବଗତ କରାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ରାଷ୍ଟ୍ରପତି କେବଳ ୧୧ ଜଣ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କୁ ପୁରସ୍କୃତ କରିବେ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ମନ୍ତ୍ରଣାଳୟକୁ ଏକ ସପ୍ତାହ ପୂର୍ବରୁ ସୂଚନା ଦିଆଯାଇଥିଲା। ମାତ୍ର ଗୁରୁବାର ପୁରସ୍କାର ବିତରଣ ମହୋତ୍ସବର ଦିନକ ପୂର୍ବରୁ ମନ୍ତ୍ରଣାଳୟ ଏହି ସୂଚନାକୁ ସାର୍ବଜନୀନ କରିଥିଲା। ଫଳରେ ପୁରସ୍କାର ବିଜେତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସାମାଜିକ ଗଣମାଧ୍ୟମଗୁଡିକରେ ମଧ୍ୟ ଏହି ଖବରକୁ ଏଭଳି ପ୍ରସାର କରାଗଲା, ଯାହାଦ୍ୱାରା ରାଷ୍ଟ୍ରପତି ଶେଷ ମୂହୂର୍ତ୍ତରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବାର ଧାରଣା ଲୋକଙ୍କ ମନରେ ସୃଷ୍ଟି ହୋଇଥିଲା। ଫଳରେ ରାଷ୍ଟ୍ରପତିଙ୍କ ହାତରୁ ପୁରସ୍କାର ନ ମିଳିବା କାରଣରୁ ପ୍ରାୟ ୬୦ଜଣ ବିଜେତା ମହୋତ୍ସବ ବର୍ଜନ କରିଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି। ତେବେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।
ଅନ୍ୟପଟେ ଯେଉଁ ବିଜେତାମାନେ ଉତ୍ସବରେ ଉପସ୍ଥିତ ପୂର୍ବକ ପୁରସ୍କାର ଗ୍ରହଣ କରିନାହାନ୍ତି ସେମାନଙ୍କ ଘରକୁ ପୁରସ୍କାର ପଠାଇବାର ବ୍ୟବସ୍ଥା କରିଛି ସୂଚନା ପ୍ରସାରଣ ମନ୍ତ୍ରଣାଳୟ। ମନ୍ତ୍ରଣାଳୟର ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ଯେ ବିଜେତାଙ୍କ ଘରକୁ ସେମାନଙ୍କର ପୁରସ୍କାର ଓ ମାନପତ୍ରକୁ ଡାକଯୋଗ ପଠାଇବାର ବ୍ୟବସ୍ଥା କରାଯାଇଛି।

Leave A Reply