ପୁଲିସର ଗୋଇଠା ମାଡରେ ଗାଡ଼ିରୁ ପଡି ଗର୍ଭବତୀଙ୍କ ମୃତ୍ୟୁ

0

ତିରୁଚିରାପାଲି : ବିଶ୍ୱ ମହିଳା ଦିବସ ଅବସରରେ ଗୁରୁବାର ଏକ ଅମାନବୀୟ ଘଟଣା ଲୋକଲୋଚନକୁ ଆସିଛି। ଜନୈକ ପୁଲିସ ଅଧିକାରୀଙ୍କ ଗୋଇଠା ମାଡ଼ରେ ଜଣେ ଗର୍ଭବତୀ ମହିଳା ଗାଡ଼ିରୁ ପଡି ପ୍ରାଣ ହରାଇଛନ୍ତି। ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି। ଘଟଣାଟି ଘଟିଛି ତାମିଲନାଡୁରେ। ବୁଧବାର ତିରୁଚିରାପାଲିଠାରେ ଉଷା ନାମ୍ନୀ ଜଣେ ଗର୍ଭବତୀ ମହିଳା ତାଙ୍କ ସ୍ୱାମୀ ରାଜାଙ୍କ ସହ ବାଇକ୍‌ ଯୋଗେ ଯାଉଥିବା ବେଳେ ଟ୍ରାଫିକ୍‌ ପୁଲିସ ତାଙ୍କୁ ଅଟକାଇଥିଲା। ରାଜା ହେଲ୍‌ମେଟ୍‌ ପିନ୍ଧି ନ ଥିବାରୁ ଟ୍ରାଫିକ୍‌ ପୁଲିସ ତାଙ୍କୁ ପଚରା ଉଚୁରା କରିଥିଲା। ପରେ ଟ୍ରାଫିକ୍‌ ପୁଲିସ ସେମାନଙ୍କୁ ଯିବାକୁ ଦେଇଥିଲା। କିନ୍ତୁ ଏହି ସମୟରେ ଅନ୍ୟ ଜଣେ ଟ୍ରାଫିକ୍‌ ପୁଲିସ ତାଙ୍କୁ ଅଟକାଇବା ସହିତ ତାଙ୍କ ବାଇକ୍‌କୁ ଗୋଇଠା ମାରିଥିଲେ। ଫଳରେ ୪ ମାସର ଗର୍ଭବତୀ ଥିବା ଉଷା ଗାଡିରୁ ଖସିପଡିଥିଲେ। ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଟ୍ରାଫିକ ପୁଲିସ ବିରୋଧରେ ହତ୍ୟା ମାମଲା ରୁଜୁ କରିବାକୁ ସେମାନେ ଦାବି କରିଥିଲେ। ସେମାନଙ୍କୁ ଘଉଡାଇବା ଲାଗି ପୁଲିସ ଲାଠି ଚାଳନା କରିଥିଲା। ଏଥିରେ ବହୁ ଲୋକ ଆହତ ହୋଇଥିଲେ। କାମରାଜ ନାମକ ଉକ୍ତ ଟ୍ରାଫିକ୍‌ ପୁଲିସ ଅଧିକାରୀଙ୍କୁ ଇତିମଧ୍ୟରେ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଉଦ୍ଦେଶ୍ୟ ନ ଥାଇ ହତ୍ୟା ଅଭିଯୋଗ ଅଣାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କାଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ପିଏମ୍‌କେ ନେତା ଅନ୍‌ବୁମଣି ରାମଦୋଷ ଦାବି କରିଛନ୍ତି।

Leave A Reply