ଅସହ୍ୟ ହେଲାଣି ପ୍ରଚଣ୍ଡ ତାତିକୁ ତୁହାକୁ ତୁହା ବିଦ୍ୟୁତ କାଟ

ଗୁରୁଡିଝାଟିଆ : ତାତି ଅସମ୍ଭାଳ। ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡୁଛି । ତା’ ସାଙ୍ଗକୁ ଅପରାହ୍ନରେ ଗୁଳୁଗୁଳି ଯନ୍ତ୍ରଣା ତାତିକୁ ବଳିପଡୁଛି। ଏଥିରେ ପୁଣି ତୁହାକୁ ତୁହା ବିଦ୍ୟୁତ୍ କାଟ । ଅସ୍ତବ୍ୟସ୍ତ ହୋଇପଡୁଛନ୍ତି ଲୋକେ। ରାଜ୍ୟ ସରକାର ବିଦ୍ୟୁତ୍ କାଟକୁ ବାରଣ କରିଥିବା ବେଳେ ଗୁରୁଡିଝାଟିଆ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଦିନକୁ ଏକାଧିକ ବାର ବିଦ୍ୟୁତ୍ କାଟ ହେଉଛି । କେତେବେଳେ ଅଧଘଣ୍ଟା ପୁଣି କେତେବେଳେ ଘଣ୍ଟାଏ। ସତେ ଅବା ବିଦ୍ୟୁତ୍ ବିଭାଗ ଲଗାମଛଡା ହୋଇ ଯାଇଛି । କେତେକ ସମୟରେ ବିଦ୍ୟୁତ ବିତରଣ କେନ୍ଦ୍ରର ଯନ୍ତ୍ରାଂଶ(ଫିଡର) ରଙ୍ଗହେବ ବୋଲି ଦିନ ଦ୍ୱିପ୍ରହରେ ବିଦ୍ୟୁତ୍ କାଟ ହେଉଛି । ବିଦ୍ୟୁତ୍ ବିଭାଗର ଏଭଳି ମନଇଚ୍ଛା ବିଦ୍ୟୁତ୍ କାଟ ଅସହ୍ୟ ତାତି ସମୟରେ ଯନ୍ତ୍ରଣାଦାୟକ ହେଉଥିବାରୁ ଉପଭୋକ୍ତାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସହଜେ ଘଡଘଡି ବର୍ଷା କି ପବନ ନାହିଁ କଣ ପାଇଁ ଶୁଖିଲା ପାଗରେ ଏତେ ବିଦ୍ୟୁତ୍ କାଟ ବୋଲି ଉପଭୋକ୍ତାମାନେ କହିବାକୁ ପଛାଉ ନାହାନ୍ତି। ବିଦ୍ୟୁତ୍ କାଟ ଯୋଗୁଁ ଲୋକେ କେବଳ ତାତି ଓ ଗୁଳୁଗୁଳିରେ ଦହଗଞ୍ଜ ହେଉଛନ୍ତି ତାହା ନୁହେଁ ପାନୀୟଜଳ ଯୋଗାଣରେ ଅସୁବିଧା ସାଙ୍ଗକୁ ବିଦ୍ୟାର୍ଥୀମାନେ ପାଠପଢାରେ ସମାସ୍ୟା ହେଉଛି । ଏଭଳି ସ୍ଥିତି ମଞ୍ଚେଶ୍ୱର, କଖଡି, ଅନନ୍ତପୁର, ଧୁରୁଷିଆ, ଘଣ୍ଟିଖାଲ, ମହାକାଳବସ୍ତ, ଗୁରୁଡିଝାଟିଆ, ଗୋବରା, କୁଷ୍ପଙ୍ଗି, ଛଅଗାଁ, ଓରନ୍ଦା, କୁମାରପୁର ଓ ରାଧାକିଶୋରପୁର ଆଜି ପଞ୍ଚାୟତମାନଙ୍କରେ ଦେଖାଦେଇଛି । ବିଦ୍ୟୁତ୍ ବିଭାଗର (ଟିପିସିଓଡିଏଲ) କର୍ତ୍ତୃପକ୍ଷ ଏଭଳି ବିଦ୍ୟୁତ୍ କାଟରୁ ବିରତ ନରହିଲେ ଆଗାମୀ ଦିନରେ ଜନଆନ୍ଦୋଳନ ମୁଣ୍ଡଟେକିବାକୁ ବେଶୀ ସମୟ ଲାଗିବ ନାହିଁ ବୋଲି ଆଲୋଚନା ହେଉଛି।

Comments are closed.