ମା’ ବୋଡେନ ମାଉଲୀଙ୍କ ପୀଠରେ ପାରମ୍ପରିକ ପୋଢ ପୂଜା ପର୍ବ

କଲମପୁର: ଲୋକ ବିଶ୍ୱାସ ଓ ପରମ୍ପରାକୁ ନେଇ ପ୍ରତି ୧୨ ବର୍ଷରେ ବଙ୍କାପଲାଠାରେ ଥିବା ମା’ ବୋଡେନ ମାଉଲୀଙ୍କ ପୀଠରେ ପାଳନ କରାଯାଉଛି ପୋଢ ପୂଜା ପର୍ବ। ଗତ ୧୮ ତାରିଖରୁ ସପ୍ତାହବ୍ୟାପୀ ଚାଲିଥିବା ପର୍ବର ପ୍ରାଥମିକ ସୋପାନ ରବିବାର ଶେଷ ହୋଇଛି। ପୁଣି ଆଗାମୀ ବୈଶାଖ ମାସ ଦୁଆଁ ଧରା ପରେ ଦ୍ୱିତୀୟ ସୋପାନ ତଥା ଶେଷ ପର୍ବ ଆରମ୍ଭ ହେବ।

prayash

ଲୋକଶୃତି ଅନୁସାରେ ଏହି ପର୍ବ ପାଳନ ଦ୍ୱାରା ଗ୍ରାମର ମଙ୍ଗଳ ହେଇଥାଏ। ଚାଷରେ ଭଳ ଅମଳ ହେଇଥାଏ। ଏହାସହ ନଦୀ କୂଳରେ ଅବସ୍ଥିତ ଏହି ବଙ୍କାପଲା ଗ୍ରାମକୁ ଦେବୀଙ୍କ କରୁଣାରୁ ବନ୍ୟା ଜନିତ କ୍ଷୟକ୍ଷତି ହେଇନଥାଏ। ତେଣୁ ଲୋକଙ୍କ ବିଶ୍ୱାସ ଅନୁସାରେ ଏହି ପର୍ବ ପାଳନ କରାଯାଉଛି। ଗତ ୧୮ ତାରିଖ ଦିନ ସଂଧ୍ୟାରେ ଗ୍ରାମବାସୀଙ୍କ ସହ ଦେବୀଙ୍କ କାଳସୀ ସବାର ହେଉଥିବା ଗୁରୁମେ, ଦିଶାରୀ, ଗ୍ରାମ ପୂଝାରୀ, ଦେବୀ ବୋଡେନ ମାଉଲୀଙ୍କ ସ୍ୱତନ୍ତ୍ର ପୂଜକ ଏବଂ ଗୌନ୍ତିଆଙ୍କ ଉପସ୍ଥିତିରେ ହାତୀ ନଦୀରୁ ବାଲି ସଂଗ୍ରହ କରାଯାଇଥିଲା। ଉକ୍ତ ବାଲିକୁ ଦେବୀଙ୍କ ପୀଠରେ ସ୍ଥାପନ କରାଯିବା ସହ ଧାନ, ମକା, ମାଣ୍ଡିଆ, କାନ୍ଦୁଲ, ମୁଗ, ବିରି, ଗହମ ଆଦି ଶଷ୍ୟକୁ ବାଲିରେ ପୋତାଯାଇ ଗଜା କରାଯାଇଥିଲା। ଏହି ଗଜା ନିରୁପଣ କରେ ଆଗାମୀ ଦିନର ଫସଲର ପ୍ରଭାବ। ଯଦି ଗଜା ଶୁଖିଯାଇ କଳା ପଡେ ତେବେ ଆଗାମୀ ଦିନରେ ମରୁଡ଼ି ସ୍ଥିତି ଉପୁଜିବାର ଆକଳନ କରାଯାଇଥାଏ। ପୁଣି ଯଦି ଗଜା ପଚି ନଷ୍ଟ ହେଇଥିଲେ ବନ୍ୟା ଜନିତ କ୍ଷୟକ୍ଷତି ହେବାର ସମ୍ଭାବନା ଥାଏ। ଅନ୍ୟପଟେ ଗଜା ସତେଜ ରହିଥିଲେ ଚାଷ ଅନୁକୂଳ ସ୍ଥିତି ନିରୁପଣ କରାଯାଇଥାଏ। କୌଣସି ବାଧା ଉପୁଜିବାର ସମ୍ଭାବନା ଥିଲେ ଗୁରୁମେଙ୍କ ମାଧ୍ୟମରେ ତାର ସମାଧାନର ବାଟ ପାଇଁ ଦେବୀଙ୍କ ସନ୍ତୁଷ୍ଟ ପାଇଁ ପଦକ୍ଷେପ ନିଆଯାଇଥାଏ। ବାଲି ଗଜାର ସପ୍ତାହକ ପରେ ପୁଣି ବାଲି ଗଜାକୁ ପାରମ୍ପାରିକ ବାଜା ଓ ନାଚ ଗୀତ ସହ ଏକ ଶୋଭାଯାତ୍ରାରେ ହାତୀ ନଦୀରେ ବିସର୍ଜନ କରାଯାଇଥିଲା। ରବିବାର ପରମ୍ପରା ଅନୁସାରେ ଗ୍ରାମ ଦେବୀଙ୍କ ମୁଖ୍ୟ ପୂଜକ ପଦ୍ମ ଲୋଚନ ପୁଝାରୀ, ମା’ ବୋଡେନ ମାଉଲୀଙ୍କ ସ୍ୱତନ୍ତ୍ର ପୂଜକ ନୀଳକଣ୍ଠ ମାଝୀ, ଗ୍ରାମ ଗୌନ୍ତିଆ ତ୍ରିନାଥ ବଚ୍ଛା ପ୍ରମୁଖ ଗ୍ରାମର ସମସ୍ତ ଦେବା ଦେବୀଙ୍କ ପୀଠରେ ପୂଜା ଅର୍ଚ୍ଚନା କରି ବୋଡେନ ମାଉଲୀଙ୍କ ପୋଢ ପୂଜା ପର୍ବରେ ସାମିଲ ହେବା ନେଇ ଆବାହନ କରିଥାନ୍ତି।

ମା’ ବୋଡେନ ମାଉଲୀଙ୍କ ପୀଠରେ ବିଭିନ୍ନ ଉପଚାରରେ ପୂଜା ଅର୍ଚ୍ଚନା କରାଯିବା ପରେ ପୋଢ ବଳି ଦିଆଯାଇଥିଲା। ପରବର୍ତ୍ତୀ ବୈଶାଖ ମାସରେ ପୁଣି ଦୁଆଁ ଧରା ପର୍ବ ପାଳନ ହେବା ପରେ ଅନ୍ୟ ଏକ ପୋଢ ବଳି ଦିଆଯିବ। ଏହି ପର୍ବ ପାଳନ ପାଇଁ ଗ୍ରାମରେ ସପ୍ତାହବ୍ୟାପୀ ଉତ୍ସାହ ଲାଗି ରହିଥିଲା। ଅନ୍ୟତ୍ର ବିବାହ କରିଥିବା ଗାଁର ଝିଅ, ଭଉଣୀଙ୍କ ସମେତ ବନ୍ଧୁବାନ୍ଧବମାନେ ଉପସ୍ଥିତ ରହିଥିଲେ। ଅନ୍ୟପଟେ ହଜାର ହଜାର ସଂଖ୍ୟକ ମାନସିକଧାରୀ ଏବଂ ଶ୍ରଦ୍ଧାଳୁ ମାନେ ଏହି ପର୍ବ ଦେଖିବା ପାଇଁ ସମବେତ ହେଇଥିଲେ। ଗ୍ରାମ କମିଟିର ସଭାପତି ଦୁଷ୍ମନ୍ତ ସାହୁ, ବିଜନ ସୁନ୍ଦର ପଣ୍ଡା, କମଳ ବାଗ, କୈଳାଶ ନାଏକ ପ୍ରମୁଖଙ୍କ ସମେତ ସମସ୍ତ ଗ୍ରାମବାସୀ ଏହି ପର୍ବ ପାଳନ ନେଇ ସକ୍ରିୟ ସହଯୋଗ କରିଛନ୍ତି।

Comments are closed.