ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ, ୧୧ବର୍ଷ ଧରି ଅନୁଦାନରୁ ବଞ୍ଚିତ ଓଡ଼ିଶା

କଟକ:ରାଜ୍ୟରେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକର ଉନ୍ନତି ପାଇଁ କେନ୍ଦ୍ର ସରକାର ଦ୍ବାରା ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ(ପିଏମ-ଉଷା) ଆରମ୍ଭ ହୋଇଛି; ମାତ୍ର ଏହି ଅଭିଯାନରେ ମିଳୁଥିବା ଅନୁଦାନରୁ ଓଡ଼ିଶା ବଞ୍ଚିତ ହେଉଛି। ଦୀର୍ଘ ୧୧ ବର୍ଷ ଧରି ଦେଶର ଅନ୍ୟ ରାଜ୍ୟଗୁଡିକର ଉଚ୍ଚଶିକ୍ଷାନୁଷ୍ଠାନଗୁଡିକ କୋଟି କୋଟି ଟଙ୍କା ଅନୁଦାନ ପାଉଥିଲେ ମଧ୍ୟ ଓଡ଼ିଶାର କୌଣସି ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ଅନୁଦାନ ଅର୍ଥ ପାଇପାରିନାହାନ୍ତି। ଏଥିପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ସହ ବୁଝାମଣା ପତ୍ର ସ୍ବାକ୍ଷର ହୋଇପାରିନାହିଁ।

୨୦୧୩ ମସିହାରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା)ଆରମ୍ଭ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ଏହା କାର୍ଯ୍ୟକାରୀ କରାଯାଇଥିଲା। ନିକଟ ଅତୀତରେ ଏହାର ନାମ ପରିବର୍ତ୍ତନ କରାଯାଇ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ- ଉଷା) ଭାବେ କାର୍ଯ୍ୟକାରୀ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ବିଭିନ୍ନ ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ଉନ୍ନତ, ଦକ୍ଷ, ପାରଦର୍ଶୀ କରିବା ଲକ୍ଷ୍ୟ ରଖାଯାଇଛି। ଏହାବାଦ୍‌ ଉଚ୍ଚଶିକ୍ଷା ପରେ କର୍ମନିଯୁକ୍ତି ସମ୍ଭାବନାକୁ ବୃଦ୍ଧି କରିବା ପାଇଁ ବଜାର ଓ ଶିଳ୍ପର ଚାହିଦା ଅନୁଯାୟୀ ପାଠ୍ୟକ୍ରମ ଖୋଲିବା, ଦକ୍ଷତାଭିତ୍ତିକ କାର୍ଯ୍ୟକ୍ରମ, ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗକୁ ମଧ୍ୟ ଏହି ଅଭିଯାନରେ ଗୁରୁତ୍ବ ଦିଆଯାଇଛି।

prayash

ସବୁ ପାଇଁ ଆବଶ୍ୟକ ଅର୍ଥ ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟଗୁଡିକୁ ଯୋଗାଇ ଦିଆଯିବା ବ୍ୟବସ୍ଥା ରହିଛି। ଯେଉଁ ଅଞ୍ଚଳରେ ଉଚ୍ଚଶିକ୍ଷା ଅନୁଷ୍ଠାନ ନଥିବ, ସେହି ଅଞ୍ଚଳରେ ଉଚ୍ଚଶିକ୍ଷାର ବିକାଶ ପାଇଁ ବ୍ୟୟବରାଦକୁ ଅଗ୍ରାଧିକାର ଦିଆଯିବ। ପିଏମ ଉଷାରୁ ଉପକୃତ ହେବା ପାଇଁ କିଛି ନିର୍ଦିଷ୍ଟ ମାର୍ଗଦର୍ଶିକା ରହିଛି। ବିଶେଷ କରି ପ୍ରଥମେ ରାଜ୍ୟ ସରକାର ବା ରାଜ୍ୟର ଉଚ୍ଚଶିକ୍ଷା ପରିଷଦକୁ ଏକ ବୁଝାମଣା ପତ୍ର ସ୍ବାକ୍ଷର କରିବାକୁ ହେବ। ଏହା ପରେ ସମ୍ପୃକ୍ତ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟଗୁଡ଼ିକୁ ଅନୁଦାନ ମିଳିପାରିବ।

ଏହା ମଧ୍ୟରେ ଆନ୍ଧ୍ର ପ୍ରଦେଶ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ ଓ ତ୍ରିପୁରା ଭଳି ରାଜ୍ୟ ଏହି ଅଭିଯାନ ବା ଯୋଜନାରୁ ଆର୍ଥିକ ଅନୁଦାନ ପାଉଛନ୍ତି; କିନ୍ତୁ ଓଡ଼ିଶା ଏ ପର୍ଯ୍ୟନ୍ତ ଓଡ଼ିଶା କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସହିତ ଏମଓୟୁ କରିନାହିଁ। ଯାହା ଫଳରେ ବାର୍ଷିକ ଯେଉଁ ଅନୁଦାନ ଓଡ଼ିଶାର ଉଚ୍ଚଶିକ୍ଷା ଅନୁଷ୍ଠାନର ଉନ୍ନତି ପାଇଁ ମିଳିପାରନ୍ତା, ସେଥିରୁ ଓଡ଼ିଶା ବଞ୍ଚିତ ହେଉଛି।

ପୂର୍ବରୁ ମଧ୍ୟ ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏହି କେନ୍ଦ୍ରୀୟ ଯୋଜନାକୁ ଲାଗୁ କରିବାକୁ ପାଇଁ ଚିଠି କରିଥିଲେ; ମାତ୍ର କୌଣସି କାରଣ ବଶତଃ ଆଜି ପର୍ଯ୍ୟନ୍ତ ଏହା ଓଡ଼ିଶାରେ ଲାଗୁ ହୋଇପାରିନାହିଁ। ରାଜ୍ୟର ରେଭେନ୍ସା ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, ଫକୀରମୋହନ ବିଶ୍ବବିଦ୍ୟାଳୟ ଭଳି ରାଜ୍ୟ ଅନ୍ୟ ପ୍ରମୁଖ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ନାକ୍‌ ଦ୍ବାରା ଭଲ ଗ୍ରେଡ ପାଇଥିଲେ ସୁଦ୍ଧା ଅନୁଦାନ ପାଇପାରୁନାହାନ୍ତି। ୨୦୨୬ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପିଏମ ଉଷା କାର୍ଯ୍ୟକ୍ଷମ ରହିବ। ଏଥିରେ ୧୨ ହଜାର ୯୨୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ସହ ବୁଝାମଣାପତ୍ର ସ୍ବାକ୍ଷର କଲେ ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡିକ ଅନୁଦାନ ପାଇପାରନ୍ତେ ବୋଲି ଶିକ୍ଷାବିତ୍‌ମାନେ ମତ ଦେଇଛନ୍ତି।

Comments are closed.