ଦୁର୍ଦ୍ଦାନ୍ତ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ରାଉରକେଲା : ରାଉରକେଲା, ସୁନ୍ଦରଗଡ଼, ବୀରମିତ୍ରପୁର, ରାଜଗାଙ୍ଗପୁର ଆଦି ଅଞ୍ଚଳରେ ବ୍ୟବସାୟୀଙ୍କୁ ଅପହରଣ, ହତ୍ୟା ଆଦି ଧମକ ଦେଇ ବିପୁଳ ଟଙ୍କା ବଟି ଆଦାୟ କରୁଥିବା ଅପରାଧୀ ସଙ୍ଗଠନ ‘ପିପୁଲ୍ସ ଲିବରେସନ୍‌ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ’ (ପିଏଲ୍‌ଏଫ୍‌ଆଇ)ର ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ରାଉରକେଲା ପୁଲିସ୍‌ ଗିରଫ କରିଛି। ସମ୍ପୃକ୍ତ ଅପରାଧୀ ନିକଟରୁ ଗୋଟିଏ କାରବାଇନ୍‌ ବା ସେମି ଅଟୋମେଟିକ୍‌ ରାଇଫଲ, ୨ଟି ୯ଏମ୍‌ଏମ୍‌ ପିସ୍ତଲ ଏବଂ ଜୀବନ୍ତ ଗୁଳି ଜବତ ହୋଇଛି।
ଅର୍ଜୁନ ରାଣା ଓରଫ କପିଳ ପାଠକ ଓରଫ ରାହୁଲ ନାମକ ଏହି ଦୁୁର୍ଦ୍ଦାନ୍ତ ଅପରାଧୀ ପିଏଲ୍‌ଏଫ୍‌ଆଇ ସୁପ୍ରିମୋ ଦିନେଶ ଗୋପର ଜଣେ ଅନ୍ତରଙ୍ଗ ସହଯୋଗୀ। ଦିନେଶ ଗୋପ ନିର୍ଦ୍ଦେଶରେ ସେ ସୁନ୍ଦରଗଡ଼ ଜିଲାର ବିଭିନ୍ନ ଖଣି, କଳକାରଖାନା, ଶିଳ୍ପପତି, ଖଣି ମାଲିକ, ବଡ଼ ବଡ଼ ଠିକାଦାରଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରୁଥିଲା। ଗତ ଅକ୍ଟୋବର ମାସରେ ଦିନେଶର ୩ ସହଯୋଗୀଙ୍କୁ ପୁଲିସ୍‌ ଗିରଫ କରିଥିଲା। ଆଜି ଅର୍ଜୁନ ରାଣାକୁ ରାଉରକେଲା ପୁଲିସ୍‌ ଗିରଫ କରିବାରେ ସମର୍ଥ ହୋଇଥିବା ରାଉରକେଲା ଆରକ୍ଷୀ ଅଧୀକ୍ଷକ ମୁକେଶ କୁମାର ଭାମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୁଲିସ୍‌ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭାମୁ କହିଲେ ଯେ, ପିଏଲ୍‌ଏଫ୍‌ଆଇ ସୁପ୍ରିମୋ ଦିନେଶ ଗୋପ ଝାଡ଼ଖଣ୍ଡରେ ରହି ସୁନ୍ଦରଗଡ଼ ଜିଲାର କଳକାରଖାନା ଓ ଖଣି ମାଲିକ, ବ୍ୟବସାୟୀ, ଶିଳ୍ପପତି ଓ ଠିକାଦାରଙ୍କୁ ଟାର୍ଗେଟ କରୁଥିଲା। ତାର ନିର୍ଦ୍ଦେଶକ୍ରମେ ଅର୍ଜୁନ ରାଣା ସୁନ୍ଦରଗଡ଼ ଜିଲାରେ ସକ୍ରିୟ ରହିଥିଲା। ଅର୍ଜୁନ ରାଉରକେଲା, ବୀରମିତ୍ରପୁର, କୁଆଁରମୁଣ୍ଡା, ରାଜଗାଙ୍ଗପୁର ଅଞ୍ଚଳରେ ତାର କିଛି କିଛି ଗୁପ୍ତଚର ନିଯୁକ୍ତ କରିଥିଲା। ସେମାନେ ସମ୍ପୃକ୍ତ ଅଞ୍ଚଳର ବଡ଼ ବଡ଼ ବ୍ୟବସାୟୀ, ସେମାନଙ୍କ କାରବାର ସ୍ଥଳ, କାର୍ଯ୍ୟାଳୟ ଓ ପରିବାର ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଅର୍ଜୁନ ରାଣାକୁ ଯୋଗାଇ ଦେଉଥିଲେ। ପରବର୍ତ୍ତୀ ସମୟରେ ଅର୍ଜୁନ ଓ ଦିନେଶ ବିଭିନ୍ନ ଉପାୟରେ ସମ୍ପୃକ୍ତ କଳକାରଖାନା ମାଲିକମାନଙ୍କୁ ଟାର୍ଗେଟ କରୁଥିଲେ। ସେମାନଙ୍କ ଠାରୁ ବଟି ଆଦାୟ କରିବାକୁ ଯୋଜନା କରୁଥିଲେ। ଟାର୍ଗେଟରେ ଥିବା ବ୍ୟବସାୟୀଙ୍କୁ ଭିଡିଓ କଲିଂ, ହ୍ୱାଟସଆପ୍‌ ଓ ଅଡ଼ିଓ ପଠାଇ ଧମକ ଦେଉଥିଲେ। ଏପରିକି ସେମାନେ ସେମି ଅଟୋମେଟିକ୍‌ ରାଇଫଲ ସଜେଇ ବିଭିନ୍ନ ଜଙ୍ଗଲରୁ ଭିଡିଓ ପଠାଇ ଲୋକମାନଙ୍କୁ ଭୟଭୀତ କରୁଥିଲେ। ବଟି ନ ଦେଲେ କାର୍‌ବାଇନ ବନ୍ଧୁକ ଓ ଏକେ-୪୭ ରାଇଫଲରେ ପରିବାର ସହ ଉଡ଼ାଇ ଦେବାକୁ କହୁଥିଲେ। ଲକ୍ଷ୍ୟଭୁକ୍ତ ବ୍ୟକ୍ତିଙ୍କ ପରିବାର ସଦସ୍ୟ, ପିଲାମାନେ କେଉଁଆଡ଼େ ଯାଉଛନ୍ତି ଓ କେତେବେଳେ ଯାଉଛନ୍ତି, ତାର ସୂଚନା ଥିବା ପ୍ରମାଣ ସହ ଭିଡିଓ, ଅଡିଓ ତଥା ହ୍ୱାଟସଆପ ଜରିଆରେ ଧମକ ଦେଉଥିଲେ। ବ୍ୟବସାୟୀମାନେ ପରିବାର ଓ ନିଜ ସୁରକ୍ଷା ଦୃଷ୍ଟିରୁ ଅର୍ଜୁନ ରାଣାର ସ୍ଥାନୀୟ ସହଯୋଗୀ ଜରିଆରେ ବଟି ପଠାଇ ଦେଉଥିଲେ। ଏ ସମ୍ପର୍କରେ ପୁଲିସ୍‌କୁ ଜଣାଇଲେ ପରିଣାମ ଭୟାବହ ହେବ ବୋଲି ଧମକ ଦେଉଥିଲେ। ତେଣୁ ବଟି ଦେଲା ପରେ ମଧ୍ୟ ବ୍ୟବସାୟୀମାନେ ପୁଲିସ୍‌ରେ ଖବର ଦେଉନଥିଲେ। ତେବେ ଗତ ଅକ୍ଟୋବର ମାସ ୧୦ ତାରିଖରେ ଅର୍ଜୁନ ରାଣାର ସହଯୋଗୀ ଅମିତ କୁମାର ଶାହା ସମେତ ଅନ୍ୟ ୨ ଜଣଙ୍କୁ ରଘୁନାଥପାଲି ପୁଲିସ୍‌ ଗିରଫ କରିଥିଲା। ପୁଲିସ୍‌ ସେମାନଙ୍କ ଠାରୁ ୪ଟି ପିସ୍ତଲ, ଗୋଟିଏ ଏସ୍‌ଏଲ୍‌ଆର୍‌, ୫୫ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ଆପାଚି ମୋଟର ସାଇକେଲ୍‌, କଳା ରଙ୍ଗର ପାଜେରୋ କାର୍‌ ଜବତ କରିଥିଲା। ଅମିତକୁ ଜେରା ପରେ ସେ ଅର୍ଜୁନ ରାଣା ସମ୍ପର୍କରେ ସୂଚନା ଦେଇଥିଲା। ଗତ ୪ ମାସ ହେଲା ପୁଲିସ୍‌ ଅର୍ଜୁନ ରାଣାକୁ ଧରିବା ପାଇଁ ଯୋଜନା ଚଳାଇଥିଲା। ଶେଷରେ ଆଜି ପୁଲିସ୍‌ ସେଥିରେ ସଫଳ ହୋଇଛି। ଅମିତ ସାହୁ ଅର୍ଜୁନ ରାଣାକୁ ଗୋଟିଏ ବି୍ରଜା କାର୍‌ ଉପହାର ସ୍ୱରୂପ ପ୍ରଦାନ କରିଥିଲା, ଯାହାକୁ ଆସାମର ଡେମ୍‌ଜି ଜିଲା ଅନ୍ତର୍ଗତ ଗୋଗାମୁଖ ଥାନା ଅଞ୍ଚଳରୁ ପୁଲିସ ଜବତ କରିଛି। ଅର୍ଜୁନ ରାଣା ନାଁରେ ବୀରମିତ୍ରପୁର ଥାନାରେ ୨୦୧୭ ମସିହାରେ ଗୁଳି ମାଡ଼, ହତ୍ୟା ଉଦ୍ୟମ, ଦଙ୍ଗା ଗଣ୍ଡଗୋଳ ଭଳି ସଙ୍ଗୀନ ମାମଲା ରହିଛି। ଏହାସହିତ ଝିରିପାଣି, କୋଇଡ଼ା ଓ ଉଦିତନଗର ଥାନାରେ ମଧ୍ୟ ତା ନାମରେ ମାମଲା ରହିଛି ବୋଲି ଶ୍ରୀ ଭାମୁ କହିଛନ୍ତି।

Comments are closed.