www.samajalive.in
Sunday, December 14, 2025
17.1 C
Bhubaneswar

ସାମୁଦ୍ରିକ ଜୈବ ସମ୍ବଳରୁ ତିଆରି ହେବ ଔଷଧ

ଭୁବନେଶ୍ୱର : ୨୦୨୦ରୁ ସମଗ୍ର ଦେଶ କରୋନା ମହାମାରୀରେ ତ୍ରସ୍ତ। ଗୋଟିଏ ପରେ ଗୋଟିଏ କରୋନା ଭୂତାଣୁ ତା’ର ରୂପ ବଦଳାଇ ସଂକ୍ରମଣ ସହ ଅନେକଙ୍କ ଜୀବନ ନେଇଛି। ପ୍ରଥମେ ନମୁନା ପରୀକ୍ଷା ସରକାରଙ୍କ ପାଇଁ ବଡ଼ ଆହ୍ୱାନ ଥିଲା। ଏଭଳି ସମୟରେ ଭୁବ‌େ‌ନଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ(ଆଇଏଲଏସ) କରୋନା ପରୀକ୍ଷା, ଜିନୋମ ସି‌େ‌କ୍ୱନ୍ସିଂ, ଟିକା ବିକାଶ ଏବଂ ଔଷଧ ଗବେଷଣା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିଛି। ଭବିଷ୍ୟତରେ କରୋନା ପରି ଅନ୍ୟାନ୍ୟ ଭୂତାଣୁ ମହାମାରୀ ରୂପ ନେଇ ଆସିଲେ ଏହା ଉପରେ ତୁରନ୍ତ ପରୀକ୍ଷା, ଟିକା, ଔଷଧ ଏବଂ ରୋଗ ପ୍ରତିରୋଧକ ଶକ୍ତି ସମ୍ବନ୍ଧରେ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ। ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସଞ୍ଜୀବନୀ ଯୋଗାଇବାକୁ ଆଇଏଲଏସ ଲକ୍ଷ୍ୟ ରଖିଛି। ଉତ୍ତର-ପୂର୍ବାଞ୍ଚଳ ଭାରତରେ ଆଇଏଲଏସ ପ୍ରମୁଖ ଭୂମିକା ନିର୍ବାହ କରିବ। ୧୧ ଫେବୃଆରୀ,୧୯୮୯ରେ ଆଇଏଲଏସ ପ୍ରତିଷ୍ଠା ହୋଇ ଓଡ଼ିଶା ସରକାରଙ୍କ ଅଧୀନରେ ଥିଲା; କିନ୍ତୁ ସଂସ୍ଥାନରେ ଗବେଷଣା କାର୍ଯ୍ୟଦକ୍ଷତା ବୃଦ୍ଧି ଯୋଗୁଁ ୨୦୦୨ରେ କେନ୍ଦ୍ର ସରକାର ଅଧୀନକୁ ନେଇଥିଲେ। ଜୁଲାଇ ୨୦୦୩ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଦେଶ ଉଦ୍ଦେଶ୍ୟରେ ଆଇଏଲଏସକୁ ଉତ୍ସର୍ଗୀକୃତ କରିଥିଲେ। କରୋନା ମହାମାରୀ ବିଶ୍ବ ପାଇଁ ଆହ୍ବାନ ପାଲଟିଥିବାରୁ ଭବିଷ୍ୟତରେ ଯେକୌଣସି ଭୂତାଣୁ ମହାମାରୀ ରୂପ ନେଲେ ତା’ର ତୁରନ୍ତ ମୁକାବିଲା ନେଇ ଟିକା, ଔଷଧ, ପରୀକ୍ଷା, ରୋଗପ୍ରତିରୋଧକ ଶକ୍ତି ଉପରେ ଗବେଷଣା ଦିଗରେ ଆଇଏଲଏସ ପଦକ୍ଷେପ ଆରମ୍ଭ କରିଛି। ସଂସ୍ଥାନ ଭୂତାଣୁର ଜିନ୍‌ (ଗୁଣସୂତ୍ର), ଔଷଧ କ୍ଲିନିକ, ପଶୁ ଜୈବ ନିରାପତ୍ତା ଏବଂ ରୋଗ ପ୍ରତିରୋଧକ ଶକ୍ତି ଗବେଷଣା ପାଇଁ ପରୀକ୍ଷାଗାର ପ୍ରତିଷ୍ଠା ହୋଇଛି। ଏଥିରେ ଗବେଷଣା କରାଯାଇ ବିଭିନ୍ନ ଭୂତାଣୁ ଓ ଜିନ୍ ସୁରକ୍ଷିତ ଭାବେ ରଖାଯିବ। ଆଇଏଲଏସକୁ ଛାଡ଼ି ଦେଲେ ଅନ୍ୟ କୌଣସିଠାରେ ଏହି ଗବେଷଣା ବ୍ୟବସ୍ଥାନାହିଁ।
ଓଡ଼ିଶାରେ ୪୮୦ କିମି ଦୀର୍ଘ ସାମୁଦ୍ରିକ ବେଳାଭୂମି ରହିଛି। ଭିତରକନିକା ଅଭୟାରଣ୍ୟ ଓ ଗହୀରମଥା ସହିତ ଚିଲିକା ହ୍ରଦରୁ ମାଛ, ଦଳ, ଘାସ, ଶିଉଳି, କଇଁଛ, କଙ୍କଡା ଏବଂ ଶାମୁକା ପରି ଅନ୍ୟାନ୍ୟ ସାମୁଦ୍ରିକ ଜୈବ ସମ୍ବଳ ଆଣି ଆଇଏଲଏସ ଜିନମ ସି‌େ‌କ୍ବନ୍ସି ଉପରେ ଗବେଷଣା କରିବ। ସାମୁଦ୍ରିକ ଜୈବ ସମ୍ବଳରୁ ବାହାରିବାକୁ ଥିବା ଜିନ୍‌ ଔଷଧ ତିଆରି ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ସାମୁଦ୍ରିକ ମାଛ, କଇଁଛ, ଶାମୁକା ଏବଂ ଦଳର ଜିନ୍‌ ଓ ଏଞ୍ଜାଇମ୍‌ରୁ ରୋଗ ପ୍ରତିରୋଧକ ଶକ୍ତିକୁ ନେଇ ବିଭିନ୍ନ ରୋଗ ନିମନ୍ତେ ଔଷଧ ତିଆରି କରାଯାଇ ପାରିବ। ପୁଣି ଏଞ୍ଜାମିନକୁ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବ୍ୟବହାର ଦ୍ବାରା ଅନେକ ଯୁବ ଉଦ୍ୟୋଗୀ ଖାଦ୍ୟ ପ୍ରକ୍ରିୟାକରଣ କାର୍ଯ୍ୟରେ ଆତ୍ମନିର୍ଭରଶୀଳ ହୋଇପାରିବେ। ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ ପାଇଁ ଆଇଏଲଏସ ନୀଳାଦ୍ରିବିହାରରେ ୧୦ହଜାର ବର୍ଗଫୁଟରେ ଏକ କ୍ୟାମ୍ପସ ନିର୍ମାଣ କରିଛି। ଏଠାରେ ୪ ହଜାର ବର୍ଗଫୁଟ ଜାଗାରେ ବାଓ-ଇନକୋଭେଟର ପରୀକ୍ଷାଗାର କରାଯାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କୁ ପ୍ରାଥମିକସ୍ତରରେ ପ୍ରୋତ୍ସାହିତ କରିବା ନିମନ୍ତେ ପରୀକ୍ଷାଗାର ସହାୟକ ହୋଇପାରିବ। ଉଦ୍ୟୋଗୀମାନେ ବାଓ-ଇନକୋଭେଟରରେ ପରୀକ୍ଷା କରି ବ୍ୟବସାୟକୁ ବୃଦ୍ଧି କରିପାରିବେ। ଏବେ ୨୧ଟି ଏମଏସଏମଇ ଉଦ୍ୟୋଗ ଆଇଏଲଏସ ସହ ଯୋଡି ହୋଇ ଔଷଧ ତିଆରି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।
ଓଡ଼ିଶା ଏକ ଆଦିବାସୀ ଅଧ୍ୟୁଷିତ ରାଜ୍ୟ। ଜାତୀୟ ହାରରୁ ଓଡ଼ିଶାରେ ୮ରୁ ୧୦ ପ୍ରତିଶତ ଆଦିବାସୀ ବସବାସ କରୁଥିବାବେଳେ ଏହା ଦେଶରେ ଦ୍ବିତୀୟ ଆଦିବାସୀ ବହୁଳ ରାଜ୍ୟ। ଆଇଏଲଏସ ଆଦିବାସୀ ଜନଜାତିଙ୍କୁ ଆର୍ଥିକ, ସାମାଜିକ ଏବଂ କୃଷିବିକାଶ କ୍ଷେତ୍ରରେ ସମୃଦ୍ଧଶାଳୀ କରିବାକୁ ଗବେଷଣା କରୁଛି। କୋରାପୁଟ, କନ୍ଧମାଳ, କଳାହାଣ୍ଡି, ରାୟଗଡା ଏବଂ ନବରଙ୍ଗପୁର ଜିଲାରେ ବସବାସ କରୁଥିବା ଆଦିବାସୀଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ମହିଳା ଓ ଶିଶୁ ରକ୍ତହୀନତାର ଶିକାର। ସେମାନଙ୍କ ପାଇଁ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣି ପୁଷ୍ଟିସାର ଜାତୀୟ ଖାଦ୍ୟ ଚାଷ କରିବାକୁ ପ୍ରୋତ୍ସାହିତ କରୁଛି। ଧାନ ପରିବର୍ତ୍ତେ ମାଛ, ସାରୁ ଏବଂ କନ୍ଦମୂଳ ପରି ଅନ୍ୟାନ୍ୟ ପୁଷ୍ଟିକର ଖାଦ୍ୟ ପଦାର୍ଥ ଉପରେ ଚାଷ କରିବାକୁ ପ୍ରୋତ୍ସାହିତ କରାଯାଉଛି। ଆଦିବାସୀମାନେ ଜମିରୁ ଉତ୍ପାଦିତ ଏହି ପୁଷ୍ଟିକର ଖାଦ୍ୟ ଖାଇଲେ ସେମାନଙ୍କଠାରେ ରକ୍ତହୀନତା ଦୂର ହୋଇପାରିବ। ଏନେଇ ଆଇଏଲଏସ ନିର୍ଦେଶକ ଅଜୟ ପରିଡା କହିଛନ୍ତି ସଂସ୍ଥାନ ଭୂତାଣୁ, କର୍କଟ, କୃଷି, ସ୍ବାସ୍ଥ୍ୟ, ଔଷଧ, ଟିକା ଆଦି କ୍ଷେତ୍ର ପାଇଁ ଗବେଷଣା କରୁଛି। ସଂସ୍ଥାନ ଗବେଷଣା କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories