ନୂଆଦିଲ୍ଲୀ : ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଦେଶରେ କରୋନାର ତୃତୀୟ ଲହର ଶେଷ ହେବ । ବିଭିନ୍ନ ମଡେଲକୁ ସମୀକ୍ଷା ଓ ବିଶ୍ଲେଷଣ କରିବା ପରେ ଆକଳନ କରିଛନ୍ତି ବିଶେଷଜ୍ଞ ଦଳ। ବିଶେଷଜ୍ଞଙ୍କ ଏଭଳି ଆକଳନ ଦେଶବାସୀଙ୍କୁ ଏକପ୍ରକାର ଆଶ୍ୱସ୍ତ କରିଛି। ଦେଶରେ ତୃତୀୟ ଲହରର ସଂକ୍ରମଣ କ୍ରମଶଃ ହ୍ରାସ ପାଉଥିବା ବେଳେ ଏବେ ବି ମୃତ୍ୟୁହାର ବଢିବା ଦେଖାଯାଉଛି। ବିଶେଷକରି ମହାରାଷ୍ଟ୍ର ଓ ଦିଲ୍ଳୀରେ କରୋନା ଦୈନିକ ସଂକ୍ରମଣ ନିମ୍ନଗାମୀ ହୋଇଥିବାବେଳେ ଓଡ଼ିଶାରେ ମଧ୍ୟ ଅନୁରୂପ ସ୍ଥିତି ଆଡ଼କୁ ଯାଉଛି। କେରଳ ଓ ମିଜୋରାମ ଭଳି କେତେକ ରାଜ୍ୟକୁ ବାଦ୍ ଦେଲେ ପ୍ରାୟ ଅଧିକାଂଶ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ପରିସ୍ଥିତି ଏଭଳି ରହିଲେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଦେଶରେ ତୃତୀୟ ଲହର ମହାମାରୀ ପ୍ରଭାବହୀନ ହୋଇଯିବ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର) ପକ୍ଷରୁ ଆକଳନ କରାଯାଇଛି। ଆଇସିଏମଆର ପକ୍ଷରୁ ପ୍ରସ୍ତୁତ ଏକ ମଡେଲ ଅନୁସାରେ ଫେବୃଆରୀ ଶେଷ ସୁଦ୍ଧା ମହାରାଷ୍ଟ୍ର, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ତୃତୀୟ ଲହରର ପରିସମାପ୍ତି ଘଟିବ। ଫେବୃଆରୀ ଶେଷକୁ ବେଳକୁ ଏସବୁ ରାଜ୍ୟରେ ସଂକ୍ରମଣ ସର୍ବନିମ୍ନ ସ୍ତରକୁ ଆସିଯିବ। ସେହିପରି ଆଇସିଏମଆର ଓ ଲଣ୍ଡନ ଇମ୍ପେରିଆଲ କଲେଜ ଦ୍ୱାରା ବିକଶିତ ଏକ ମଡେଲ ଅନୁସାରେ, ମାର୍ଚ୍ଚ ବେଳକୁ କରୋନା ସଂକ୍ରମଣ ଦେଶରେ ଏକ ସ୍ଥାନୀୟ ସଂକ୍ରମଣ(ଏଣ୍ଡେମିକ୍)ରେ ପହଞ୍ଚିଯିବ ଓ ଏହା ପ୍ରଭାବହୀନ ହୋଇପଡିବ। ତେବେ ଯଦି କରୋନାର ନୂଆ ପ୍ରକରଣ ନ ଆସେ, ତେବେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ ବୋଲି ଜଣାପଡିଛିି। ସେପଟେ ଦେଶରେ କରୋନାର ଦୈନିକ ସଂକ୍ରମଣ କମ୍ ହେଉଥିବାବେଳେ ମୃତ୍ୟୁ ସଂଖ୍ୟା ଏବେ ବି ୧ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୨୭ ହଜାର ୯୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୧,୦୫୯ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩ ଲକ୍ଷ ୬୧ ହଜାର ୬୪୮କୁ ଖସିଥିବାରୁ ଆଗାମୀ ୩ରୁ ୪ସପ୍ତାହ ଭିତରେ ସମଗ୍ର ଭାରତରେ ତୃତୀୟ ଲହରର ପ୍ରଭାବହୀନ ହେବା ଆଶା କରାଯାଉଛି। ଏଭଳି ଆଶ୍ବସ୍ତିକର ଖବର ସତ୍ତ୍ବେ ଲୋକମାନେ କରୋନା ମାର୍ଗଦର୍ଶିକା ପାଳନ ସହ ତୁଣ୍ଡି ପିନ୍ଧିବା ଓ ଶାରୀରିକ ଦୂରତ୍ବ ରକ୍ଷା କରିବା ଏବଂ ଭିଡ଼ ସ୍ଥାନକୁ ନ ଯିବାକୁ ବାରଣ କରାଯାଇଛି। ଏହାଦ୍ୱାରା ଭୂତାଣୁର ସମ୍ଭାବ୍ୟ ନୂତନ ପ୍ରକରଣ ସହ ମୁକାବିଲା ମଧ୍ୟ ସହଜ ହୋଇ ପାରିବ ବୋଲି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।
Popular Categories


