ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ ଧୁମ୍ଧାମରେ ସମ୍ପନ୍ନ
ପିପିଲି :ପିପିଲି କୋର୍ଟଛକ ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ ମଙ୍ଗଳବାର ରାତିରେ ଧୁମ୍ଧାମରେ ସଂପନ୍ନ ହୋଇଛି । ବୁୁଧବାର ସଂନ୍ଧ୍ୟାରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ ଶୀତଳଷଷ୍ଠୀ ଯାତ୍ରାରେ ନଗର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଶତାଧିକ ମହିଳା ଶ୍ରଦ୍ଧାଳୁଙ୍କ ଦ୍ୱାରା କଳସ ଶୋଭାଯାତ୍ରା ସହ ମା’ପଢେଇଶୁଣି ଠାକୁରାଣୀଙ୍କ ପୀଠରେ ଦିଅଁ ମଙ୍ଗୁଳା କାର୍ଯ୍ୟ ବିଧି ମୁତାବକ ସଂପନ୍ନ ହୋଇଥିଲା । ମଧ୍ୟାହ୍ନରେ ହୁଙ୍କେଶ୍ୱର ଦେବ ଯୁବ ପରିଷଦର କର୍ମକର୍ତ୍ତା ଓ ଖଣ୍ଡିଆଗିରୀ ଗ୍ରାମବାସୀମାନେ ଏକ ଶୋଭାଯାତ୍ରାରେ ଆସି ପ୍ରଭୁ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କୁ ପରମ୍ପରା ଅନୁଯାଇ ବର ନିମନ୍ତ୍ରଣ କରିବାକୁ ତାଙ୍କ ମନ୍ଦିରରେ ପହଞ୍ଚିଥିଲେ।
ସେଠାରେ ବାଲୁଙ୍କେଶ୍ୱର ଦେବ ପୂଜା କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ଅପରାହ୍ନ ୬ଟା ସମୟରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ବରଯାତ୍ରୀ ଦଳ ସହ ଖଣ୍ଡିଆଗିରୀ ସ୍ଥିତ ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବଙ୍କ ମନ୍ଦିରକୁ ନିଆଯାଇଥିଲା । ସେଠାରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ ଓ ପ୍ରଭୁ ଶ୍ରୀ ହୁଙ୍କେଶ୍ୱରଦେବଙ୍କ ଭେଟଭାଟ କାର୍ଯ୍ୟକ୍ରମ ବିଧି ମୁତାବକ ଅନୁଷ୍ଠିତ ହୋଇଥିଲା । ଶହଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ଧ୍ୱନିରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଥିବା ବେଳେ ବେଦ ଓ ମନ୍ତ୍ର ଉଚ୍ଚାରଣରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।
ବରଯାତ୍ରୀ ଦଳଙ୍କୁ ସେଠାରେ ଠାକୁରଙ୍କ ପ୍ରସାଦରେ ଆପ୍ୟାୟିତ କରାଯିବା ପରେ ସଂନ୍ଧ୍ୟା ସାଢେ ୭ଟାରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱରଦେବ ସେଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବରଯାତ୍ରୀଙ୍କ ସହ ବାହାରି ଫାୟାର ଷ୍ଟେସନ ଛକ, ବ୍ଲକଛକ, ଡାକ୍ତରଖାନା ଛକ, ମଢିଆଳି ଛକ ଦେଇ ନିଜ ମନ୍ଦିରରେ ପହଞ୍ôଚଥିଲେ । ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ, ଢୋଲ ବାଦ୍ୟରେ ପିପିଲିର ରାଜରାସ୍ତା ପ୍ରକମ୍ପିତ ହୋଇଥିବା ବେଳେ ବହୁ ସଂଖ୍ୟକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ମାନେ ରାସ୍ତାର ଉଭୟ ପାଶ୍ୱର୍ରେ ଠିଆହୋଇ ଠାକୁରଙ୍କୁ ଦର୍ଶନ କରିବା ସହ ତାଙ୍କ ଶୋଭାଯାତ୍ରାକୁ ମନଭରି ଉପଭୋଗ କରିଥିଲେ । ପରେ ରାତି ସାଢେ ୯ଟାରେ ମନ୍ଦିର ପରିସରରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ସହ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ଧୁମ୍ଧାମରେ ସଂପନ୍ନ ହୋଇଥିଲା ।
ସମାଜସେବୀ ଗୌରାଙ୍ଗ ଚନ୍ଦ୍ର ମହାନ୍ତି ଓ ତାଙ୍କ ପତ୍ନୀ ଜ୍ୟୋର୍ତିମୟୀ ମହାନ୍ତି ବରପକ୍ଷ ହୋଇଥିବା ବେଳେ ସମାଜସେବୀ ଲକ୍ଷ୍ମୀଧର ପ୍ରଧାନ ଓ ତାଙ୍କ ପତ୍ନୀ ଯଶୋଦା ପ୍ରଧାନ କନ୍ୟାପକ୍ଷର ପିତାମାତା ଭାବେ ଦାୟିତ୍ୱ ତୁଳାଇଥିଲେ । ସଂପୂର୍ଣ୍ଣ ରୀତିନୀତି ଅନୁଯାଇ ଦେବ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିବା ବେଳେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏହାକୁ ମନଭରି ଉପଭୋଗ କରିଥିଲେ । ଏହି ଅବସରରେ ସେଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
ସମସ୍ତ କାର୍ଯ୍ୟକୁ କମିଟିର ମୁଖ୍ୟ ଉପଦେଷ୍ଠା ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ସଭାପତି ପ୍ରଭାକର ପଣ୍ଡା, ଉପସଭାପତି ଆଡ୍ଭୋକେଟ୍ ସୁଧିର କୁମାର ମହାନ୍ତି, ସଂପାଦକ ସମୀର କୁମାର ଦାଶ, କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ଜୟକୃଷ୍ଣ ପ୍ରଧାନ, ଆଡ୍ଭୋକେଟ୍ ବିଭୂପ୍ରସାଦ ବୈରୀଗଞ୍ଜନ, ମନୋଜ କୁମାର ପ୍ରଧାନ, ସୁଶାନ୍ତ କୁମାର ସାହୁ, ପ୍ରଦୀପ ବାରିକ, ପ୍ରଫୁଲ୍ଲ ପ୍ରଧାନ, ପରିକ୍ଷିତ ପ୍ରଧାନ, ଛଇଳ ପ୍ରଧାନ, ରମେଶ ପ୍ରଧାନ, ସୁରେଶ ମହାରଣା ପ୍ରମୁଖ ପରିଚାଳନା କରିଥିଲେ।
Comments are closed.