ପିପିଲି ଡାକ୍ତରଖାନା ମୁଖ୍ୟ ଫାଟକରେ ଝୁଲୁଛି ତାଲା, ୨ମାସ ଧରି ବନ୍ଦ ରହିଛି ନିର୍ମାଣ କାର୍ଯ୍ୟ

ପିପିଲି:ପିପିଲି ଅଞ୍ଚଳର ମୁଖ୍ୟ ସରକାରୀ ଚିକିତ୍ସାଳୟ କୁହାଯାଉଥିବା ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟଫାଟକର ନିର୍ମାଣ କାର୍ଯ୍ୟ ଗତ ୨ମାସ ଧରି ବନ୍ଦ ରହିଥିବା ବେଳେ ମୁଖ୍ୟଫାଟକରେ ତାଲା ଝୁଲୁଛି। ଫଳରେ ଡାକ୍ତରଖାନାକୁ ଯିବା ପାଇଁ ନିର୍ମିତ ଅଣଓସାରିଆ ଅସ୍ଥାୟୀ ରାସ୍ତାରେ ଯାତାୟତ ସମସ୍ୟା ଯୋଗୁଁ ଡାକ୍ତରଖାନାକୁ ରୋଗୀଙ୍କ ସଂଖ୍ୟା କମୁଥିବା ସୂଚନା ମିଳିଛି। ଯାତାୟତ ସମସ୍ୟା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଅଧିକାଂଶ ରୋଗୀମାନେ ଏହି ଡାକ୍ତରଖାନାକୁ ନଆସି ଜରୁରୀ ସମୟରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‌‌ପିଟାଲକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏଥିପାଇଁ ସେମାନେ ଅଧିକ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। ଏହାକୁ ନେଇ ପ୍ରବଳ ଜନଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ପିପିଲି ଅଞ୍ଚଳର ଏହି ପ୍ରମୁଖ ସରକାରୀ ଡାକ୍ତରଖାନା ତଥା ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପିପିଲି ଏନ୍‌‌ଏସି ସମେତ ପିପିଲି ବ୍ଲକର ୧୪ରୁ ଉର୍ଦ୍ଧ ପଞ୍ଚାୟତ, ନିମାପଡା ବ୍ଲକର ୨ଟି ପଞ୍ଚାୟତ, ବାଲିପାଟଣା ବ୍ଲକର ନିର୍ଦ୍ଧିଷ୍ଟ କେତେକ ଅଞ୍ଚଳ ଓ ଡେଲାଙ୍ଗ ବ୍ଲକର କେତେକ ପଞ୍ଚାୟତବାସୀ ନିର୍ଭର କରନ୍ତି । ଦୈନିକ ଏହି ଡାକ୍ତରଖାନାକୁ ୩୫୦ରୁ ଉର୍ଦ୍ଧ ରୋଗୀ ଆସୁଥିବା ବେଳେ ଗତ ୪ମାସ ହେବ ଏଥିରେ ବ୍ୟତିକ୍ରମ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟସେବା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ଏହାକୁ ୫ଟି ଅନ୍ତର୍ଭୁ୍କ୍ତ କରିବା ସହ ‘ଆମ ହସ୍ପିଟାଲ’ ଯୋଜନାରେ ଏହାର ନବୀକରଣ, ସୌନ୍ଦର୍ଯ୍ୟକରଣ ଓ ପୁନଃନିର୍ମାଣ ଆଦି କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ଅର୍ଥ ମଞ୍ଜୁର କରିବା ସହ ଏହାର ଟେଣ୍ଡର କରିଥିଲେ।

prayash

୨୦୨୩ ମସିହା ଜୁନମାସରେ ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଥିଲା। ନବୀକରଣ ଆଳରେ ଏହି ଡାକ୍ତରଖାନାର ମୁଖ୍ୟଫାଟକକୁ ଭାଙ୍ଗି ଦିଆଯିବା ସହ ଏକ ସୁଉଚ୍ଚ ଅତ୍ୟାଧୁନିକ ଫାଟକର ନିର୍ମାଣକାର୍ଯ୍ୟ ଗତ ୫ମାସ ତଳୁ ଆରମ୍ଭ କରାଯାଇଥିଲା। ଏଥିପାଇଁ ଡାକ୍ତରଖାନାର ପାଚେରୀକୁ ଭାଙ୍ଗି ଏକ ଅଣଓସାରିଆ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା। ଯେଉଁ ରାସ୍ତାରେ ଆମ୍ବୁଲାନ୍ସ ଯିବା କଷ୍ଟସାଧ୍ୟ ହେଉଥିବା ବେଳେ ବଡ ବଡ ରୋଗୀବୁହା ଯାନ ଯିବା ଆଦୈା ସମ୍ଭବପର ହେଉନାହିଁ। ଉକ୍ତ ଅସ୍ଥାୟୀ ରାସ୍ତାଟି ଅଙ୍କା ବଙ୍କା ହୋଇଥିବାରୁ ସେଠାରେ ଦୈନିକ ଦୁର୍ଘଟଣାମାନ ଘଟୁଛି। ସେହିରାସ୍ତା ଦେଇ ଡାକ୍ତରଖାନା ଭିତରକୁ ଗାଡିମୋଟର ଯିବାବେଳେ ସମସ୍ୟା ସୃଷ୍ଟି ହେଉଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ରୋଗୀମାନେ ଏହି ଡାକ୍ତରଖାନାକୁ ଆସିବାକୁ ପସନ୍ଦ କରୁନାହାନ୍ତି। ଅଧିକ ଖର୍ଚ୍ଚାନ୍ତ ହୋଇ ସେମାନେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ଯିବାକୁ ବାଧ୍ୟ ହେଉଥିବା ସୂଚନା ମିଳିଛି।

ଗତ ଦୁଇମାସ ତଳେ ଡାକ୍ତରଖାନାର ମୁଖ୍ୟଫାଟକ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ଗାଇଗୋରୁଙ୍କ ପ୍ରବେଶକୁ ରୋକିବା ପାଇଁ ଫାଟକ ଠାରେ ରାସ୍ତା ଉପରେ ଲୁହା ପାଇପ ବିଛାଇବା କାର୍ଯ୍ୟ କେବଳ ବାକି ରହିଛି। ଏହି ଲୁହା ପାଇପ ବିଛାଇବା ପାଇଁ ଫାଟକ ନିକଟରେ ୪ଫୁଟ ମାଟି ଖୋଳାଯାଇ କଂକ୍ରିଟ୍‌‌ ଷ୍ଟ୍ରକଚର ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ଅଦ୍ୟାବଧି ସଂପୂର୍ଣ୍ଣ ହୋଇନାହିଁ। ଏହି କାର୍ଯ୍ୟରେ ନିୟୋଜିତ ଠିକାଦାର ଜଣକ ଅସଂପୂର୍ଣ୍ଣ କାର୍ଯ୍ୟକୁ ସାରୁନଥିବା ବେଳେ ଏବାବଦରେ ବିଭାଗୀୟ ଅଧିକାରୀମାନେ ମଧ୍ୟ ନିରବ ରହୁଥିବା ଅଭିଯୋଗ ହୋଇଛି।

ଏଥିଯୋଗୁଁ ମୁଖ୍ୟଫାଟକରେ ତାଲା ଝୁଲୁଛି। ଡାକ୍ତରଖାନା ପରିସରରେ ନିର୍ମାଣ ସାମଗ୍ରୀସବୁ ଗଦା ହୋଇ ରହିଥିବା ବେଳେ ଏହା ରୋଗୀଙ୍କ ଚଳପ୍ରଚଳରେ ବ୍ୟାଘାତ ସୃଷ୍ଟି କରୁଥିବା ଜଣାଯାଇଛି। ଏହି ଡାକ୍ତରଖାନାର ମୁଖ୍ୟଫାଟକର ନିର୍ମାଣକାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ସାଧାରଣରେ ଦାବି କରାଯାଇଛି। ତେବେ ଖୁବ୍‌‌ ଶିଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ପିପିଲି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

Comments are closed.