ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଲୋକାର୍ପିତ

ପିପିଲି: ଦେଶର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ଅବସରରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ତରାକାଜ ଛକଠାରେ ଆମ୍ବେଦକରଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ଲୋକାର୍ପିତ ହୋଇଛି। ରାଜ୍ୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଶତୃଘ୍ନ ପୂଜାହାରୀ ବୁଧବାର ଏହାକୁ ଲୋକାର୍ପଣ କରିଛନ୍ତି।

ଏହି ଅବସରରେ ପିପିଲିର ଆମ୍ବେଦକର ସ୍ମୃତି କମିଟି ସଭାପତି ସମାଜସେବୀ ଗଙ୍ଗାଧର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଜଷ୍ଟିସ ପୂଜାହାରୀ, ଅନ୍ୟତମ ଅତିଥି ଭାବେ ପଶ୍ଚିମବଙ୍ଗ ରାଜ୍ୟର ଜିଲା ବିଚାରପତି ଡ. ତାପସୀ ମିଶ୍ର, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ବରିଷ୍ଠ ସମାଜସେବୀ ସେକ୍‌‌ ଅବଦୁଲ ୱାଲି, ପିପିଲି ତହସିଲଦାର ପୁନମ୍‌‌ ମହାପାତ୍ର, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ବରିଷ୍ଠ ଆଇନଜୀବୀ କବିରାଜ ପ୍ରଧାନ ପ୍ରମୁଖ ଯୋଗଦେଇ ଆମ୍ବେଦକରଙ୍କ ଦେଶ ପ୍ରତି ରହିଥିବା ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ଏଥି ସହ ତାଙ୍କ ଜୀବନୀ ଉପରେ ଅଭିଭାଷଣ ରଖିଥିଲେ। ଆମ୍ବେଦକର ସ୍ମୃତି କମିଟିର ସଂପାଦକ ବିଜୟ କୁମାର ସେଠୀ ବିବରଣୀ ପାଠ କରିଥିବା ବେଳେ ସଦସ୍ୟ ସର୍ବେଶ୍ୱର ଭାରତୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଆଦିବାସୀ ନୃତ୍ୟ ସଂଗୀତରେ ପରିପୂର୍ଣ୍ଣ ଏକ ବିରାଟ ଶୋଭାଯାତ୍ରା ପିପିଲି ପେଟ୍ରୋଲ ପମ୍ପ ଛକଠାରୁ ବାହାରି ଶୋଭାଯାତ୍ରା ପର୍ଯ୍ୟନ୍ତ ଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ସୋନିଲତା ସେଠୀ, କାହ୍ନୁଚରଣ ବେହେରାଙ୍କ ସମେତ ଆମ୍ବେଦକର ସ୍ମୃତି କମିଟିର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ।

Comments are closed.