ଠଣଠଣା ଗ୍ରୀଡ୍‌‌ରୁ ପିପିଲିକୁ ୩୩କେଭି ବିଦ୍ୟୁତ ଯୋଗାଣ ଖୁବ୍‌ଶୀଘ୍ର

ଭୂତଳ କେବୁଲ ସଂଯୋଗୀକରଣ କାର୍ଯ୍ୟ ସରିଲା, ଇନ୍‌‌ସ୍ପେକ୍ସନ ରିପୋର୍ଟ ଓ ଚାର୍ଜିଂ ଅର୍ଡରକୁ ଅପେକ୍ଷା

ପିପିଲି: ଖୁବ୍‌ଶୀଘ୍ର ଦୂର ହେବାକୁ ଯାଉଛି ପିପିଲି ଅଞ୍ଚଳର ଦୀର୍ଘ ୪୦ବର୍ଷର ବିଦ୍ୟୁତ୍‌‌ ସମସ୍ୟା। ମଙ୍ଗଳପୁର ନିକଟ ଠଣଠଣା ସ୍ଥିତ ୧୩୨/୩୩ କେଭି ବିଦ୍ୟୁତ ଗ୍ରୀଡ୍‌‌ ସବ୍‌‌ଷ୍ଟେସନରୁ ପିପିଲିକୁ ୩୩କେଭି ବିଦ୍ୟୁତ୍‌‌ ଯୋଗାଣ ଖୁବ୍‌‌ଶୀଘ୍ର ହେବାକୁ ଯାଉଛି। ଏଥିପାଇଁ ଭୂତଳ କେବୁଲ ସଂଯୋଗୀକରଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ ହୋଇଛି। ଇତିମଧ୍ୟରେ କେବୁଲ୍‌‌ ଟେଷ୍ଟିଂ ଓ ଇଲେକ୍ଟ୍ରିକାଲ ଇନ୍‌‌ସ୍ପେକ୍ସନ ସରିଥିବା ବେଳେ ଉକ୍ତ ଇନ୍‌‌ସ୍ପେକ୍ସନ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହି ରିପୋର୍ଟ ମିଳିବାର ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଚାର୍ଜିଂ ଅର୍ଡର ମିଳିବା ପରେ ଉକ୍ତ ଗ୍ରୀଡ୍‌‌ରୁ ପିପିଲି ଓ ମଙ୍ଗଳପୁର ଝିଲିମିଲିପାଟଣା ସ୍ଥିତ ୩୩/୧୧ କେଭି ସବ୍‌‌ଷ୍ଟେସନକୁ ୩୩କେଭି ବିଦ୍ୟୁତ୍‌‌ ଯୋଗାଣ ହେବ ବୋଲି ଟିପିସିଓଡିଏଲ ଟିମ୍‌‌ ଲିଡ୍‌‌ ପ୍ରୋଜେକ୍ଟ ମୁଖ୍ୟ ଜିତେନ କୁମାର ମିଶ୍ର ସୂଚନା ଦେଇଛନ୍ତି।

prayash

ପିପିଲି ବିଦ୍ୟୁତ୍‌‌ ସବ୍‌‌ଡିଭିଜନକୁ ନିମାପଡ଼ାର ଦିଘାଳ ଠାରେ ଥିବା ୧୩୨/୩୩ କେଭି ବିଦ୍ୟୁତ୍‌‌ ଗ୍ରୀଡ୍‌‌ରୁ ଦୀର୍ଘ ୨୮ କିଲୋମିଟର ଅତିକ୍ରମ କରି ୪ଶହରୁ ଊର୍ଦ୍ଧ୍ବ ଖୁଣ୍ଟିରେ ୩୩କେଭି ବିଦ୍ୟୁତ୍‌‌ ଆସୁଛି। ତେବେ ବର୍ଷା ଏବଂ ଅନ୍ୟାନ୍ୟ ଦୁର୍ବିପାକ ସମୟରେ ସୃଷ୍ଟି ହେଉଥିବା ବିଦ୍ୟୁତ୍‌‌ ବିଭ୍ରାଟର ମରାମତି ପାଇଁ ସମୟ ସାପେକ୍ଷ ହେବା ଯୋଗୁଁ ପିପିଲି ବିଦ୍ୟୁତ୍‌‌ ଉପଖଣ୍ଡ ଅଞ୍ଚଳର ୩୫ହଜାରରୁ ଊର୍ଦ୍ଧ୍ବ ଉପଭୋକ୍ତାମାନେ ବହୁ ସମୟରେ ବିଦ୍ୟୁତ୍‌‌ ସେବାରୁ ବଞ୍ଚିତ ହେଉଛନ୍ତି। ଅନେକ ସମୟରେ ଦିନକୁ ୮ରୁ ୧୫ଘଣ୍ଟା ପିପିଲିବାସୀ ବିଦ୍ୟୁତ୍‌‌ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ଲାଗି ୩୮କୋଟି ଟଙ୍କା ବ୍ୟୟ ଅଟକଳରେ ଠଣଠଣା ଠାରେ ୨୦୧୬ ମସିହାରେ ଏକ ନୂତନ ୧୩୨/୩୩ କେଭି କ୍ଷମତା ସଂପନ୍ନ ବିଦ୍ୟୁତ୍‌‌ ଗ୍ରୀଡ୍‌‌ ସବଷ୍ଟେସନର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ୨୦୧୯ ମସିହାରେ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା। ୨୦୨୦ ଜୁନ ୨୫ ତାରିଖରେ ଏହି ଗ୍ରୀଡ୍‌‌କୁ ୧୩୨ କେଭି ବିଦ୍ୟୁତ୍‌‌ ଯୋଗାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ସେହିବର୍ଷ ନଭେମ୍ବର ୬ ତାରିଖରେ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ଏହି ଗ୍ରୀଡ୍‌‌କୁ ଓପିଟିସିଏଲକୁ ହସ୍ତାନ୍ତର କରାଯାଇଥିଲା।

ଗ୍ରୀଡ୍‌‌ କାର୍ଯ୍ୟକ୍ଷମ ହେବାର ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରୁ ପିପିଲିକୁ ୩୩କେଭି ଲାଇନ୍‌‌ ସଂଯୋଗ ହୋଇନପାରିବା କାରଣରୁ ଏହା ଲୋକଙ୍କ ସେବାରେ ଲାଗିପାରିନାହିଁ। ଏସଂପର୍କରେ ବାରମ୍ବାର ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଆମରଣ ଅନଶନ କରାଯାଇଥିବା ବେଳେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ଭେଟି ଏହି ବିଦ୍ୟୁତ୍‌‌ ସମସ୍ୟାର ସ୍ଥାୟୀ ସମାଧାନ ସଂପର୍କରେ ଆଲୋଚନା ମଧ୍ୟ କରିଥିଲେ। ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଗତ ଅଗଷ୍ଟ ୨୦ ତାରିଖରେ ପିପିଲିର ବିଦ୍ୟୁତ୍‌‌ ସମସ୍ୟା ସଂପର୍କରେ କ୍ଷେତ୍ର ପରିଦର୍ଶନ ପୂର୍ବକ ସମୀକ୍ଷା କରିଥିଲେ। ଯଥାଶୀଘ୍ର ଠଣଠଣା ଗ୍ରୀଡ୍‌‌ରୁ ପିପିଲିକୁ ୩୩କେଭି ବିଦ୍ୟୁତ୍‌‌ ଯୋଗାଣ ପାଇଁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିମାସ ୨୮ ତାରିଖରୁ ଠଣଠଣାଠାରୁ ପିପିଲିକୁ ଭୂତଳ କେବୁଲ ଯୋଗେ ୩୩ କେଭି ବିଦ୍ୟୁତ୍‌‌ ସଂଯୋଗୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଟିପିସିଓଡିଏଲ୍‌‌ ଟିମ୍‌‌ ଲିଡ୍‌‌ ପ୍ରୋଜେକ୍ଟ ମୁଖ୍ୟ ଜିତେନ କୁମାର ମିଶ୍ର, ପ୍ରକଳ୍ପ ଯନ୍ତ୍ରୀ ସାନ୍ତନୁ ନାଥ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ନିମାପଡ଼ା ବିଦ୍ୟୁତ୍‌‌ ବିଭାଗର ନିର୍ବାହୀ ଯନ୍ତ୍ରୀ ବିଶ୍ୱରଞ୍ଜନ ବେହେରା, ପିପିଲି ଉପଖଣ୍ଡ ଅଧିକାରୀ ବିପିନ କୁମାର ସାହୁଙ୍କ ସହଯୋଗରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଆସନ୍ତା ୧୦ ତାରିଖ ସୁଦ୍ଧା ଏହି ଠଣଠଣା ଗ୍ରୀଡ୍‌‌ରୁ ପିପିଲି ଓ ମଙ୍ଗଳପୁର ଝିଲିମିଲିପାଟଣା ସ୍ଥିତ ୩୩/୧୧ କେଭି ସବ୍‌‌ଷ୍ଟେସନକୁ ୩୩କେଭି ବିଦ୍ୟୁତ୍‌‌ ଯୋଗାଣ ହେବ ବୋଲି ଆଶା କରାଯାଉଛି। ଯାହାକୁ ନେଇ ପିପିଲିର ବିଦ୍ୟୁତ୍‌‌ ଉପଭୋକ୍ତାଙ୍କ ମହଲରେ ଖୁସି ପ୍ରକାଶ ପାଇଛି।

Comments are closed.