ପିପିଲି ରାଜନୈତିକ ହିଂସା ଘଟଣାରେ ୩ ମାମଲା ରୁଜୁ, ୨ଅଟକ
ସହଜପୁର, ନୂଆଗୋଡି ଓ ପୋଟଳ ଗ୍ରାମରେ ପୁଲିସର ଫ୍ଲାଗମାର୍ଚ
ପିପିଲି:ପଞ୍ଚାୟତ ନିର୍ବାଚନ ଭୋଟ୍ ପ୍ରଚାର ବେଳେ ପିପିଲି ବ୍ଳକର ୨୪ନଂ ଜିଲା ପରିଷଦ ଜୋନ୍ରେ ସୋମବାର ଘଟିଥିବା ରାଜନୈତିକ ହିଂସା ଘଟଣାରେ ପିପିଲି ଥାନାରେ ୩ଟି ମାମଲା ରୁଜୁ ହୋଇଛି। ଏହି ଘଟଣାରେ ପୁଲିସ ଉଭୟ ପକ୍ଷର ୨ଜଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ଏହି ରାଜନୈତିକ ଗଣ୍ଡଗୋଳକୁ ନେଇ ସମଗ୍ର ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପରିସ୍ଥିତି ଉପରେ ପୁଲିସ କଡା ନଜର ରଖିଛି। ଆଜି ପିପିଲି ପୁଲିସ ଓ ସାତଶଙ୍ଖ ଫାଣ୍ଡି ପୁଲିସ ପକ୍ଷରୁ ସହଜପୁର, ନୂଆଗୋଡି ଓ ପୋଟଳ ଗ୍ରାମରେ ଫ୍ଲାଗମାର୍ଚ କରାଯାଇଛି।
ଗତକାଲି ଅପରାହ୍ଣରେ ପିପିଲି ବ୍ଲକର ୨୪ନଂ ଜିଲା ପରିଷଦ ଜୋନ ଅନ୍ତର୍ଗତ ସହଜପୁର ପଞ୍ଚାୟତରେ ଭୋଟ୍ ପ୍ରଚାର ସମୟରେ ଉଭୟ ଦୁଇ ରାଜନୈତିକ ଦଳ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ନେଇ ପିପିଲି ପୁଲିସରେ ଉଭୟ ପକ୍ଷରୁ ୨ଟି ଅଭିଯୋଗ ହୋଇଛି। ଏହି ଗଣ୍ଡଗୋଳରେ ଜଣେ ସମର୍ଥକଙ୍କ ମୁଣ୍ଡ ଫାଟିବା ସହ ଗୁରୁତର ଅବସ୍ଥାରେ ସେ ସାକ୍ଷୀଗୋପାଳ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ସେହିପରି ତେଇସିପୁର ପଞ୍ଚାୟତର ପୋଟଳ ଗ୍ରାମରେ ଘରକୁ ଘର ବୁଲି ଭୋଟ୍ ପ୍ରଚାର କରୁଥିବା ଜଣେ ପ୍ରାର୍ଥୀଙ୍କୁ ବିପକ୍ଷ ଗୋଷ୍ଠୀର କେତେକ ଯୁବକ ଗୋଡାଇ ଗୋଡାଇ କାଠ ଫାଳିଆରେ ମାଡ ମାରିଥିଲେ। ଏଥିରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା ଓ ସାତଶଙ୍ଖ ଫାଣ୍ଡି ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏହି ହିଂସା ଘଟଣାରେ ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତି କରି ପିପିଲି ଥାନାରେ ବିଭିନ୍ନ ସଙ୍ଗୀନ ଦଫାରେ ୩ଟି ପୃଥକ ମାମଲା ରୁଜୁ ହୋଇଛି।
ଏହି ଗଣ୍ଡଗୋଳକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାବେଳେ ପୁଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି। ପରିସ୍ଥିତି ଉପରେ ପୁଲିସ କଡା ନଜର ରଖିଛି। ଆଜି ପୂର୍ବାହ୍ନରେ ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ ଓ ଆଇଆଇସି ଅଭିମନ୍ୟୁ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାତଶଙ୍ଖ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ଭୂୟାଁ, ପିପିଲି ଥାନା ଏସ୍ଆଇ ସନ୍ଦୀପ ଦାସ, ଏଏସ୍ଆଇ ପ୍ରକାଶ କୁମାର ମଲ୍ଲିକ ପ୍ରମୁଖ ପୁଲିସ ଫୋର୍ସ ସହ ସହଜପୁର, ନୂଆଗୋଡି ଓ ପୋଟଳ ଗ୍ରାମରେ ଫ୍ଲାଗମାର୍ଚ କରିଥିଲେ। ଅତିରିକ୍ତ ଏସ୍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଆଜି ସହଜପୁର, ନୂଆଗୋଡି ଓ ପୋଟଳ ଗ୍ରାମକୁ ଯାଇ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ଉଭୟ ପକ୍ଷର ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ସଂପର୍କରେ ଆଇଆଇସି ଶ୍ରୀନାୟକ ସୂଚନା ଦେଇଛନ୍ତି।
Comments are closed.