ମହାରଥୀଙ୍କ ଜନସମ୍ପର୍କ ପଦଯାତ୍ରା
ପିପିଲି : ପିପିଲି ବ୍ଲକର ତିନୋଟି ପଞ୍ଚାୟତ ଦୁର୍ଗାଦାସପୁର, ଚନ୍ଦ୍ରାଦେଇପୁର ଓ ରୂପଦେଇପୁରରେ ବୁଧବାର ଦିନ ବିଜେଡି କର୍ମୀ, ସମର୍ଥକ ଓ ଦଳୀୟ ନେତୃବୃନ୍ଦଙ୍କୁ ନେଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଜନସମ୍ପର୍କ ପଦଯାତ୍ରାରେ ଯାଇ ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ମଙ୍ଗଳପୁର ବଜାର ସ୍ଥିତ ଦୁର୍ଗାଦାସପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଶ୍ରୀମହାରଥୀ ପଦଯାତ୍ରାରେ ବାହାରି ମାଳିକପାଳି, ଠଣାଠଣା, ଜେନାସାହି, ବେଲପୋଖରୀ ସାହି, ବଧି, ବାରବାଟି, ସରଣପଞ୍ଜର, ଭୋଗପାଟଳି, କମାକନ୍ତିଆ, ଦକ୍ଷିଣସାହି, ଚନ୍ଦ୍ରାଦେଇପୁର, ଡେରିକି, ମଉଜିବେଗ, ରୂପଦେଇପୁର, ଅଲାରପୁର ଆଦି ଗ୍ରାମ ପରିକ୍ରମା କରିବା ସହ ବିଭିନ୍ନ ସ୍ଥାନରେ ଆୟୋଜିତ ପଥପ୍ରାନ୍ତ ସଭାରେ ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀମହାରଥୀଙ୍କ ସହିତ ପିପିଲି ବ୍ଳକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସ୍ୱାଇଁ, ବ୍ଳକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ପିପିଲି ବ୍ଲକ ଆତ୍ମାର ଅଧ୍ୟକ୍ଷ ତଥା ସମିତି ସଭ୍ୟ ଧରଣୀଧର ସାହୁ, ଜିଲା ପରିଷଦ ସଭ୍ୟା ଗୀତାଞ୍ଜଳୀ ଦାଶ, ରାଧାମଣୀ ପ୍ରଧାନ, ବରିଷ୍ଠ ନେତା ସଦାଶିବ ଦାଶ, ଶ୍ରୀଧର ପ୍ରଧାନଙ୍କ ସମେତ ଦଳୀୟ ନିର୍ବାଚିତ ଜନପ୍ରତିନିଧି, କର୍ମୀ ଓ ସମର୍ଥକ ମାନେ ଯୋଗ ଦେଇଥିଲେ। ସେ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ସେମାନଙ୍କ ଠାରୁ ପଚାରି ବୁଝିଥିଲେ। ଶେଷରେ ରୂପଦେଇପୁର ବଜାର ଠାରେ ଆୟୋଜିତ ସାଧାରଣ ସଭାରେ ଶ୍ରୀମହାରଥୀ ଓ ଅନ୍ୟ ନେତାମାନେ ବିଜୁ ଜନତା ଦଳ ତଥା ନବୀନ ସରକାରଙ୍କ ସଫଳତା ଓ ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଠଣାଠଣା ଜେନା ସାହି ଠାରେ ଅନ୍ୟ ଏକ ପ୍ରମୁଖ ରାଜନୈତିକ ଦଳର କେତେକ ପୁରୁଖା କର୍ମୀ ଶ୍ରୀମହାରଥୀଙ୍କ ନିକଟରେ ବିଜେଡିରେ ଯୋଗ ଦେଇଥିଲେ।