ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ ଧୁମ୍‍ଧାମରେ ସଂପନ୍ନ

0

ପିପିଲି : ପିପିଲି କୋର୍ଟଛକ ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ ରବିବାର ସଂନ୍ଧ୍ୟାରେ ଧୁମ୍‍ଧାମରେ ସଂପନ୍ନ ହୋଇଛି।
ପୂର୍ବାହ୍ନ ୧୦ଟାରେ ଶତାଧିକ ମହିଳା ଶ୍ରଦ୍ଧାଳୁଙ୍କ ଦ୍ୱାରା କଳସ ଶୋଭାଯାତ୍ରା ସହ ମା’ପଢେଇଶୁଣି ଠାକୁରାଣୀଙ୍କ ପୀଠରେ ହାଣ୍ଡିମଙ୍ଗୁଳା କାର୍ଯ୍ୟ ଓ ଦିଅଁ ଗଣେଶ କାର୍ଯ୍ୟ ବିଧି ମୁତାବକ ସଂପନ୍ନ ହୋଇଥିଲା। ପରେ ହୁଙ୍କେଶ୍ୱର ଦେବ ଯୁବ ପରିଷଦର କର୍ମକର୍ତ୍ତା ଓ ଖଣ୍ଡିଆଗିରୀ ଗ୍ରାମବାସୀମାନେ ମଧ୍ୟାହ୍ନରେ ବାଜା, ବାଣ ସହ ଏକ ଶୋଭାଯାତ୍ରାରେ ଆସି ପ୍ରଭୁ ଶ୍ରୀବାଲୁଙ୍କେଶ୍ୱରଦେବଙ୍କୁ ପରମ୍ପରା ଅନୁଯାଇ ବର ନିମନ୍ତ୍ରଣ କରିବାକୁ ତାଙ୍କ ମନ୍ଦିରରେ ପହଞ୍ଚିବା ପରେ ସେଠାରେ ବାଲୁଙ୍କେଶ୍ୱରଦେବ ବିବାହ ଉତ୍ସବ କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପରେ ଅପରାହ୍ନ ସାଢେ ୫ଟା ସମୟରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ପାଲିଙ୍କିରେ ବରଯାତ୍ରୀ ଦଳ ସହ ଖଣ୍ଡିଆଗିରୀ ସ୍ଥିତ ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବଙ୍କ ମନ୍ଦିରକୁ ନିଆଯାଇଥିଲା। ସେଠାରେ ବରଯାତ୍ରୀ ଦଳଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ ଓ ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବଙ୍କ ମହାମିଳନ ହୋଇଥିଲା। ଶହଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହରିବୋଲ୍‍, ହୁଳହୁଳି ଧ୍ୱନିରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଥିବା ବେଳେ ବେଦ ଓ ମନ୍ତ୍ର ଉଚ୍ଚାରଣରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବରଯାତ୍ରୀ ଦଳଙ୍କୁ ସେଠାରେ ଠାକୁରଙ୍କ ପ୍ରସାଦରେ ଆପ୍ୟାୟିତ କରାଯିବା ପରେ ସଂନ୍ଧ୍ୟା ୬ଟାରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱରଦେବ ସେଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବରଯାତ୍ରୀଙ୍କ ସହ ବାହାରି ଫାୟାର ଷ୍ଟେସନ ଛକ, ବ୍ଲକଛକ, ଡାକ୍ତରଖାନା ଛକ, ମଢିଆଳି ଛକ ଦେଇ ନିଜ ମନ୍ଦିରରେ ପହଞ୍ଚିଥିଲେ। ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ, ଢୋଲ ମାଡରେ ପିପିଲିର ରାଜରାସ୍ତା ପ୍ରକମ୍ପିତ ହୋଇଥିବା ବେଳେ ବହୁ ସଂଖ୍ୟକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ମାନେ ରାସ୍ତାର ଉଭୟ ପାର୍ଶ୍ବରେ ଠିଆହୋଇ ଠାକୁରଙ୍କୁ ଦର୍ଶନ କରିବା ସହ ତାଙ୍କ ଶୋଭାଯାତ୍ରାକୁ ମନଭରି ଉପଭୋଗ କରିଥିଲେ। ପରେ ସଂନ୍ଧ୍ୟା ସାଢେ ୮ଟାରେ ମନ୍ଦିର ପରିସରରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ସହ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ଧୁମ୍‍ଧାମରେ ସଂପନ୍ନ ହୋଇଥିଲା। ଆଡ୍‍ଭୋକେଟ୍‍ ପ୍ରମୋଦ କୁମାର ସାହୁ ଓ ତାଙ୍କ ପତ୍ନୀ ପ୍ରମିଳା ସାହୁ ବରପକ୍ଷ ହୋଇଥିବା ବେଳେ ସମାଜସେବୀ ସୁଶାନ୍ତ କୁମାର ସାହୁ ଓ ତାଙ୍କ ପତ୍ନୀ ବିଦୁଲତା ସାହୁ କନ୍ୟାପକ୍ଷର ପିତାମାତା ଭାବେ ଦାୟିତ୍ୱ ତୁଳାଇଥିଲେ। ସଂପୂର୍ଣ୍ଣ ରୀତିନୀତି ଅନୁଯାଇ ଦେବ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିବା ବେଳେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏହାକୁ ମନଭରି ଉପଭୋଗ କରିଥିଲେ। ଏହି ଅବସରରେ ସେଠାରେ ପ୍ରାଚୀ ସଂଗୀତ ବିଦ୍ୟାଳୟ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସୋମବାର ସଂନ୍ଧ୍ୟାରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ ଶୀତଳଷଷ୍ଠୀ ଯାତ୍ରାରେ ନଗର ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି। ଏଥି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ଜଣାଯାଇଛି।

Leave A Reply