ନିଆଁରେ ପୋଡ଼ି ହୋଇ ନାବାଳିକା ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମେରୁବନ୍ଧ ପଞ୍ଚାୟତ ମିଙ୍ଗୁନପଦର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।

ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ସମୟରେ ମିଙ୍ଗୁନପଦର ଗାଁର କୃଷ୍ଣ କହଁରଙ୍କ ୯ ବର୍ଷର ଝିଅ ଲକ୍ଷ୍ମୀପ୍ରିୟା କହଁର ଘରେ କେହି ନଥିବା ସମୟରେ ଚୁଲି ମୁଣ୍ଡରେ ବସି ନିଆଁରେ ସେକି ହେଉଥିଲେ। ଠିକ୍ ଏହି ସମୟରେ ଅସାବଧାନତା କାରଣରୁ ଚୁଲିର ନିଆଁ ନାବାଳିକାଙ୍କ ଡ୍ରେସରେ ଲାଗିଯାଇଥିଲା। ଫଳରେ ଗୁରୁତର ଅବସ୍ଥାରେ ନାବାଳିକା ଜଣକ ବେହୋସ ହୋଇ ପଡିଯାଇଥିଲେ। ରୋଷେଇ ଘରୁ ଜୋରରେ ଧୂଆଁ ବାହାରିବା ଦେଖି ନାବାଳିକାଙ୍କ ମାଆ ଓ ବାପା ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଗ୍ରାମବାସୀଙ୍କ ସହଯୋଗରେ ଏକ ଅଟୋ ଯୋଗେ ପ୍ରଥମେ ଫିରିଙ୍ଗିଆ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ଚିକିତ୍ସିତ ଅବସ୍ଥାରେ ଫୁଲବାଣୀ ମେଡିକାଲରେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଘଟଣା ବିଷୟରେ ଖବର ପାଇ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନିର୍ଦେଶକ୍ରମେ ଫିରିଙ୍ଗିଆ ଥାନାରେ ୧୧/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଥାନା ଏଏସଆଇ ପ୍ରମୋଦ କୁମାର ପ୍ରଧାନ ଓ ସହଦେଵ ପାତ୍ର ଫୁଲବାଣୀ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରାଇ ଅଧିକ ତଦନ୍ତ ଜାରି ରଖିଥିବା ଫିରିଙ୍ଗିଆ ଥାନା ପକ୍ଷରୁ ସୂଚନା ମିଳିଛି। ଏହି ଘଟଣା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

Comments are closed.