ମେଲେରିଆ ଓ ଡେଙ୍ଗୁ ତୁଳନାରେ ସର୍ପଦଂଶନରେ ମରୁଛନ୍ତି ଅଧିକ
ନୂଆଦିଲ୍ଲୀ: ଗ୍ରାମାଞ୍ଚଳର ଗରିବ ଲୋକଙ୍କ ପାଇଁ ସର୍ପଦଂଶନ ଏବେ ମଧ୍ୟ ଘାତକ ସମସ୍ୟା ହୋଇ ରହିଛି। ଦେଶରେ ମେଲେରିଆ ଓ ଡେଙ୍ଗୁରେ ଯେତିକି ଲୋକ ମରୁଛନ୍ତି, ତା’ଠାରୁ ଅଧିକ ସର୍ପଦଂଶନରେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏମିତିକି କୌଣସି ହିଂସ୍ର ଜନ୍ତୁଙ୍କ ଆକ୍ରମଣରେ ବି ଏତିକି ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟୁନାହିଁ। ଏହି ମୃତ୍ୟୁ ପଛରେ ଅନ୍ଧବିଶ୍ବାସ ଓ ସ୍ବାସ୍ଥ୍ୟସେବାର ଅଭାବ ପ୍ରମୁଖ କାରଣ ରହିଆସିଛି। କିଛି ବିଶେଷଜ୍ଞ ଏଥିପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ତାରତମ୍ୟକୁ ଦାୟୀ କରୁଛନ୍ତି। ମେଲେରିଆ ଓ ଡେଙ୍ଗୁ ନିରାକରଣ ପାଇଁ ସରକାର ସ୍ବତନ୍ତ୍ର ସଚେତନତା ତଥା ଚିକିତ୍ସା ଅଭିଯାନ ଚଳାଉଛନ୍ତିଟ୍ଟ କିନ୍ତୁ ସର୍ପଦଂଶନ କ୍ଷେତ୍ରରେ ଏଭଳି ବିଶେଷ ଉଦ୍ୟମ ହେଉନଥିବା ଅନେକ ମତ ଦେଉଛନ୍ତି।
ନିକଟରେ ସଂସଦରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ଦେଶରେ ସର୍ପଦଂଶନରେ ପ୍ରାୟ ୫୦ ହଜାର ଲୋକଙ୍କର ମୃତ୍ୟୁ ଘଟୁଛିଟ୍ଟ କିନ୍ତୁ ସର୍ବେକ୍ଷଣ ଅନୁଯାୟୀ, ଏହି ସଂଖ୍ୟା ୫୮ହଜାର ପାଖାପାଖି। ଏମିତିକି ସାରା ବିଶ୍ବରେ ସର୍ପଦଂଶନ ଜନିତ ମୃତ୍ୟୁ ସଂଖ୍ୟା ଭାରତରେ ସର୍ବାଧିକ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏକ ରିପୋର୍ଟ ଅନୁଯାୟୀ, ସର୍ପଦଂଶନରେ ଯେତିକି ମୃତ୍ୟୁ ଘଟୁଛି, ତାହାର ୯୦ପ୍ରତିଶତରୁ ଅଧିକ ଗ୍ରାମାଞ୍ଚଳରେ ଏବଂ ଡାକ୍ତରଖାନାକୁ ନଆସି ମରୁଛନ୍ତି ପ୍ରାୟ ୭୭ ପ୍ରତିଶତ।
ଉଲ୍ଲେଖଯୋଗ୍ୟ ଯେ ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ଗୋଆରେ ସର୍ବାଧିକ ସର୍ପଦଂଶନ ଜନିତ ମୃତ୍ୟୁ ଘଟୁଛି। ଉତ୍ତର ପ୍ରଦେଶରେ ସର୍ବାଧିକ ପ୍ରାୟ ୯ହଜାର ମୃତ୍ୟୁ ଘଟୁଥିବା ପ୍ରକାଶ। ସରକାରୀ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୨୦୨୧-୨୨ ବର୍ଷରେ ମୋଟ ୮୪୪ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୭ବର୍ଷ ମଧ୍ୟରେ ଏହି ସଂଖ୍ୟା ୫ହଜାରରୁ ଅଧିକ। ରାଜ୍ୟରେ ପ୍ରାକୃତିକ ଦୁର୍ବିପାକରେ ଯେତିକି ଲୋକ ମୃତ୍ୟୁମୁଖରେ ପଡ଼ନ୍ତି, ତା’ର ୪୦ ପ୍ରତିଶତ ସର୍ପଦଂଶନରେ ମରୁଥିବା ଜଣାଯାଏ। ସେ ଦୃଷ୍ଟିରୁ ଦେଖିଲେ ମେଲେରିଆରେ ଓଡ଼ିଶା ଦେଶର ସର୍ବାଧିକ ସଂକ୍ରମିତ ରାଜ୍ୟ ମଧ୍ୟରେ ରହିଛି। ୨୦୨୩ରେ ରାଜ୍ୟରେ ସରକାରୀ ଭାବେ ପ୍ରାୟ ୪୨ହଜାର ମାମଲା ପଞ୍ଜିକୃତ ହୋଇଥିବାବେଳେ ମାତ୍ର ୫ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ଦେଶର ମୋଟ ମେଲେରିଆ ଆକ୍ରାନ୍ତଙ୍କ ସଂଖ୍ୟାର ୧୮ ପ୍ରତିଶତ ଥିଲା। ସେହିପରି ଡେଙ୍ଗୁ ମାମଲା ଗତ ବର୍ଷ ପ୍ରାୟ ୧୩ ହଜାର ସାମ୍ନାକୁ ଆସିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୫ ଥିବା ପ୍ରକାଶ।
ମୃତ୍ୟୁର କାରଣ ହେଉଛି, ଅଧିକାଂଶ ଅନ୍ଧବିଶ୍ବାସ କାରଣରୁ ଡାକ୍ତରଖାନା ଆସୁନାହାନ୍ତି। ଗୁଣିଗାରେଡି ଓ ଈଶ୍ବର ବିଶ୍ବାସ ଦ୍ବାରା ଭଲ ହୋଇଯିବ ଭାବୁଛନ୍ତି। ଯେଉଁମାନେ ବି ଡାକ୍ତରଖାନା ଆସୁଛନ୍ତିି, ସେମାନେ ଆସିଲାବେଳକୁ ସମୟ ଗଡ଼ିଯାଉଛି। ଦଂଶନର ୪ଘଣ୍ଟା ମଧ୍ୟରେ ଡାକ୍ତରଖାନା ଆସିଲେ ଏବଂ ତୁରନ୍ତ ଉପଯୁକ୍ତ ଚିକିତ୍ସା ଆରମ୍ଭ ହେଲେ ରୋଗୀ ବଞ୍ଚିଯିବାର ଆଶା ରହିଥାଏ। ପୁନଶ୍ଚ ସେମାନଙ୍କ ଚିକିତ୍ସା ପାଇଁ ଗ୍ରାମାଞ୍ଚଳ ଡାକ୍ତରଖାନାଗୁଡ଼ିକରେ ଉପଯୁକ୍ତ ଭିତ୍ତିଭୂମି ଓ ତାଲିମପ୍ରାପ୍ତ ଡାକ୍ତରଙ୍କ ଅଭାବ ରହିଛି। ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି,
ଡାକ୍ତରଖାନାଗୁଡ଼ିକରେ ସାପ ବିଷର ଚିକିତ୍ସା ପାଇଁ ଯଥେଷ୍ଟ ପରିମାଣର ‘ଆଣ୍ଟି-ଭେନମ୍’ ଇଞ୍ଜେକସନ୍ ଉପଲବ୍ଧ ହେଉନାହିଁ।
ଚଳିତ ବର୍ଷ କେନ୍ଦ୍ର ସରକାର ସର୍ପଦଂଶନ ନିରାକରଣ ପାଇଁ ‘ନ୍ୟାସନାଲ ଆକ୍ସନ୍ ଫର ପ୍ରିଭେନ୍ସନ୍ ମାଣ୍ଡ କଣ୍ଟ୍ରୋଲ ଅଫ ସ୍ନେକ୍ବାଇଟ୍ ଏନ୍ଭେନୋମିଂ’ ଯୋଜନା କାର୍ୟ୍ୟକାରୀ କରିଛନ୍ତି। ୨୦୩୦ ସୁଦ୍ଧା ସର୍ପଦଂଶନ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ଏହି ଯୋଜନାରେ ପଦକ୍ଷେପ ନିଆଯିବ। ପୁନଶ୍ଚ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ବତନ୍ତ୍ର ସର୍ପଦଂଶନ ହେଲ୍ପଲାଇନ୍ ବା ଫୋନ୍ ନମ୍ବର ଜାରି କରାଯାଇଛି। ଏହାଦ୍ବାରା ଆଘାତପ୍ରାପ୍ତଙ୍କୁ ତ୍ବରିତ ଚିକିତ୍ସା ଯୋଗାଇ ଦିଆଯିବା ସହ ଜୀବନ ରକ୍ଷା କରାଯାଇପାରିବ। ଅପରପକ୍ଷରେ ଏହି ଯୋଜନାରୁ ବିଶେଷ ସୁଫଳ ମିଳିନାହିଁଟ୍ଟ କାରଣ ରାଜ୍ୟ ସରକାରମାନେ ସର୍ପଦଂଶନରେ ମୃତକଙ୍କୁ ଆର୍ଥିକ ଅନୁକମ୍ପା ଯୋଗାଇ ଦେଉଛନ୍ତି। ମଧ୍ୟପ୍ରଦେଶ ସରକାର ଏପରି ଅନୁକମ୍ପା ରାଶି ଯୋଗାଇବାରେ ପ୍ରଥମରେ ରହିଛନ୍ତି। କର୍ଣ୍ଣାଟକ ପ୍ରଥମ ରାଜ୍ୟ ଭାବେ ଗତ ମାର୍ଚ୍ଚରେ ସର୍ପଦଂଶନକୁ ଏକ ରୋଗ ଭାବେ ମାନ୍ୟତା ଦେଇଛନ୍ତି।
Comments are closed.