www.samajalive.in
Monday, December 15, 2025
26.1 C
Bhubaneswar

ଗିରଫ ହେବେ ରାଜା ଚକ୍ର ?

ଭୁବନେଶ୍ବର: ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଆଗୁଆ ଜାମିନ ଆବେଦନକୁ ଉଚ୍ଚ ନ୍ୟାୟାଳୟ ବୁଧବାର ଖାରଜ କରିଛନ୍ତି। ଅନ୍ତରୀଣ ସୁରକ୍ଷାକୁ ମଧ୍ୟ ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି। ରାଜାଙ୍କ ସମେତ ତାଙ୍କ ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି। ମଙ୍ଗଳବାର ମାମଲାର ଶୁଣାଣି ସରିଥିବା ବେଳେ ରାୟ ସଂରକ୍ଷିତ ରହିଥିଲା। ହାଇକୋର୍ଟ ଉପରୋକ୍ତ ରାୟ ପ୍ରକାଶ ପରେ ରାଜା ଗିରଫ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ଏଥିସହ ତାଙ୍କ ସହଯୋଗୀଙ୍କୁ ମଧ୍ୟ ଗିରଫ କରିବା ପାଇଁ ତଦନ୍ତକାରୀ ସଂସ୍ଥା ଯୋଜନା କରିଥିବା ଜଣାପଡ଼ିଛି। ମାମଲାର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ଜାରି ରଖିଛି। ରାଜାଙ୍କ ଅନ୍ତରୀଣ ଜାମିନ ଅବଧି ଗତ ୧୧ ତାରିଖରେ ସରିଛି। ତାଙ୍କୁ ଗିରଫ କରିବା ପାଇଁ ପ୍ରତିବନ୍ଧକ ଉଠିଛି। ରାଜାଙ୍କୁ ଇଓଡବ୍ଲ୍ୟୁ ପଚରାଉଚରା କରିସାରିଛି। ତାଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା ହାତରେ ତଥ୍ୟ ପ୍ରମାଣ ରହିଛି। ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ରାଜାଙ୍କୁ ଏବେ ଗିରଫ ଭୟ ଘାରିଛି। ଅନ୍ୟପଟେ ମାମଲାରେ ଇଓଡବ୍ଲ୍ୟୁ ଚଢ଼ଉ ପ୍ରକ୍ରିୟାକୁ ଜୋରଦାର କରିଛି। ବୁଧବାର ବିଭିନ୍ନ ଅଞ୍ଚଳରେ ଥିବା ରାଜାଙ୍କ କାର୍ଯ୍ୟାଳୟ ଓ ଘରେ ଚଢ଼ଉ କରି ତଦନ୍ତକାରୀ ସଂସ୍ଥା ୪୦ଟି ଗାଡ଼ି ଜବତ କରିଛି। ଜବତ ଗାଡ଼ି ମଧ୍ୟରେ ୩୪ଟି ଟ୍ରକ୍‌, ଦାମୀ ଗାଡ଼ି ଆଦି ରହିଛି। ଏଥିସହ ରାଜାଙ୍କର ୨୩ଟି ଆକାଉଣ୍ଟକୁ ଇଓଡବ୍ଲ୍ୟୁ ଠାବ କରିଛି। ଉକ୍ତ ଆକାଉଣ୍ଟରେ ଥିବା ୨୫ ଲକ୍ଷ ୩୬ ହଜାର ଟଙ୍କା ଜବତ କରାଯାଇଛି। ଖଣିଜ ପରିବହନ ନାଁରେ ଶହ ଶହ କୋଟି ଠକେଇ ହୋଇଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି। ଇଓଡବ୍ଲ୍ୟୁ ତଦନ୍ତ କରୁଥିବା ବେଳେ ମାମଲାରେ ସ୍ବତନ୍ତ୍ର କାର୍ଯ୍ୟବଳ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। କେନ୍ଦୁଝର ଶୁଆକାଟିରେ ଥିବା ‘ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି’ ଏବଂ ପରିବହନ ସମବାୟ ସମିତି ଲି. ୨୦୦୬ରେ ପଞ୍ଜିକୃତ ହୋଇଥିଲା। ସୋସାଇଟି ଦ୍ୱାରା ପ୍ରାପ୍ତ ଲାଭରୁ ଖଣି ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କ ଆର୍ଥିକ ଉନ୍ନତିମୂଳକ କାର୍ଯ୍ୟ ସହିତ କେନ୍ଦୁଝର ଖଣିରୁ ଲୁହାପଥର ଲୋଡିଂରେ ନିୟୋଜିତ ଥିଲା। ଅପରାଧିକ ଷଡ଼ଯନ୍ତ୍ର କରି ଶ୍ରମଦେୟ, ପରିଧି ବିକାଶ, ଭିତ୍ତିଭୂମି ଖର୍ଚ୍ଚ, ପ୍ରଭାବିତ ସଦସ୍ୟଙ୍କୁ ଦେୟ, ଇପିଏଫ କାଟ୍ ବାବଦରେ ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ତଦନ୍ତକାରୀ ସଂସ୍ଥା ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରିଥିଲା। ମାମଲାରେ ଇଓଡବ୍ଲ୍ୟୁ ସମିତିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ଗିରଫ କରିସାରିଛି। ରାଜାଙ୍କୁ ଦୀର୍ଘ ସମୟ ଧରି ଜେରା କରିଛି। ତାଙ୍କ ସହଯୋଗୀଙ୍କୁ ବି ତଦନ୍ତକାରୀ ସଂସ୍ଥା ପଚରାଉଚରା କରିଛି। ରାଜାଙ୍କ ଘର ସମେତ କାର୍ଯ୍ୟାଳୟ ଓ ର୍ଫାମ ହାଉସ୍‌ରେ ଚଢ଼ଉ କରିଛି। ଏକାଧିକ ମୂଲ୍ୟବାନ ଗାଡ଼ି ଓ ଯନ୍ତ୍ରାଂଶ ଜବତ କରାଯାଇଛି। ଇଓଡବ୍ଲ୍ୟୁ ଯେତେ ଖୋଳୁଛି ରାଜାଙ୍କର ସେତେ ସମ୍ପତ୍ତି ମିଳୁଛି। ହାଜର ହେବା ଲାଗି ଇଓଡବ୍ଲ୍ୟୁ ପୂର୍ବରୁ ରାଜାଙ୍କୁ ନୋଟିସ କରିଥିଲା। ରାଜା ପୁଣି ଜେରାର ସମ୍ମୁଖୀନ ହେବେ ବୋଲି ଜଣାପଡ଼ିଛି। ସବୁ ତଥ୍ୟ ପ୍ରମାଣ ସଂଗ୍ରହ ହେବା ପରେ ରାଜାଙ୍କୁ ଗିରଫ କରିବା ଲାଗି ତଦନ୍ତକାରୀ ସଂସ୍ଥା ଯୋଜନା କରିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories