www.samajalive.in
Saturday, December 6, 2025
16.1 C
Bhubaneswar

‘ଯୁବଗୋଷ୍ଠୀ ବିଶ୍ବରେ ପରିବର୍ତ୍ତନ ଆଣିପାରିବେ’

କଟକ : ଯୁବଗୋଷ୍ଠୀଙ୍କ ନିମନ୍ତେ ସାମ୍ପ୍ରତିକ ସମୟରେ ଅସମ୍ଭବ ବୋଲି କିଛି ନାହିଁ। ସେମାନେ ଚାହିଁଲେ ବିଶ୍ବରେ ପରିବର୍ତ୍ତନ ଆଣି ପାରିବା ସହ ଦିଗ୍‌ଦର୍ଶନ ଦେଇପାରିବେ। ଠିକ୍‌ ଭାବେ ସେମାନେ ନିଜର ଭୂମିକା ନିର୍ବାହ କଲେ ଆର୍ଥିକ,ସାମାଜିକ ଏବଂ ଶାସନ ବ୍ୟବସ୍ଥାରେ ନୂତନତ୍ୱ ଆସିପାରିବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ସ୍ବାମୀ ବିବେକାନନ୍ଦ ସାରା ବିଶ୍ବର ଯୁବ ସମାଜକୁ ପ୍ରଭାବିତ କରିପାରିଥିଲେ। ତେଣୁ ଯୁବପିଢ଼ି ସବୁ ଆହ୍ବାନକୁ ଗ୍ରହଣ କରି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କଲେ, ଲକ୍ଷ୍ୟ ହାସଲ ହେବା ସହ ରାଷ୍ଟ୍ର ନିର୍ମାଣ ହୋଇପାରିବ ବୋଲି କଟକ ମହାନଗର ନିଗମ ମେୟର ସୁବାସ ସିଂହ କହିଛନ୍ତି। ଲୋକସେବକ ମଣ୍ଡଳ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ବୁଧବାର ‘ରାଷ୍ଟ୍ର ଗଠନରେ ଯୁବ ସମାଜର ଭୂମିକା’ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ମୁଖ୍ୟ ଅତିଥି ମେୟର ଶ୍ରୀ ସିଂହ ଉଦ୍‌ଘାଟନ କରି ଉପରୋକ୍ତ ମତ ରଖିଥିଲେ। ସେ କହିଲେ, ଏକବିଂଶ ଶତାବ୍ଦୀରେ ଯୁବ ସମାଜ ସବୁଠାରୁ ସଙ୍କଟରେ ରହିଛି। ସେମାନଙ୍କ ମଧ୍ୟରେ ଆତ୍ମ ବିଶ୍ବାସ ହ୍ରାସ ପାଉଛି। ମାନସିକ ଅବସାଦ ଓ ହତାଶା ଭାବ ବଢ଼ିବାରେ ଲାଗିଛି। ଠିକ୍‌ ନିଷ୍ପତ୍ତି ନ ନେଇ ପାରି ଭୁଲ ରାସ୍ତାରେ ଯାଉଛନ୍ତି। ଏବେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଆତ୍ମ ବିଶ୍ବାସ ବୃଦ୍ଧି କରାଯିବା ଆବଶ୍ୟକ। ଯାହାଦ୍ବାରା ସେମାନେ ସମାଜର ଉନ୍ନତି ଏବଂ ସଂସ୍କାରରେ ପ୍ରମୁଖ ଭୂମିକା ନେଇପାରିବେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜକୁମାର କର୍ମଶାଳାରେ ସଭାପତିତ୍ବ କରି କହିଲେ, ରାଷ୍ଟ୍ର ନିର୍ମାଣରେ ଯୁବ ସମାଜର ପ୍ରମୁଖ ଭୂମିକା ରହିଛି। ଯୁବଗୋଷ୍ଠୀ ପ୍ରଥମେ ରାଷ୍ଟ୍ରକୁ ଭଲ ପାଇବା ସହ ଯାହା ଦେଶର ହିତ ତାହା କରିବା ଦରକାର। ଗୋଟିଏ ରାଷ୍ଟ୍ର ସେତେବେଳେ ଉନ୍ନତି କରିବ, ଯେତେବେଳେ ଲୋକଙ୍କ ସମସ୍ୟା ଦୂର ହେବ। ଯୁବପିଢ଼ି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକଙ୍କ ସମସ୍ୟା ଦୂର ପାଇଁ କାର୍ଯ୍ୟ କରିବା ସହ ସମୟର ସଦୁପଯୋଗ କଲେ ରାଷ୍ଟ୍ର ନିର୍ମାଣ ହୋଇପାରିବ ବୋଲି ଶ୍ରୀ ରାଜକୁମାର କହିଥିଲେ। ସମ୍ମାନିତ ଅତିଥି ‘ସମାଜ’ ରିଲିଫ୍‌ କମିଟିର ସମ୍ପାଦକ ରାଜେନ୍ଦ୍ର ଜେନା ଭାରତ ସ୍ବାଧୀନତା ପାଇଁ ସେ ସମୟର ଯୁବକମାନଙ୍କ ତ୍ୟାଗକୁ ଆଜିର ଯୁବପିଢ଼ି ମନେ ପକାଇବା ଆବଶ୍ୟକ ବୋଲି କହିଥିଲେ। ରାଷ୍ଟ୍ର ନିର୍ମାଣ ପାଇଁ କିଭଳି ଗଠନମୂଳକ କାର୍ଯ୍ୟ କରିପାରିବେ, ଯୁବପିଢ଼ି ଚିନ୍ତା କରନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ବକ୍ତା ଚର୍ମ ଓ ଯୌନ ବିଭାଗର ସହକାରୀ ପ୍ରାଧ୍ୟାପକ ଡା.ଜୀବନଜ୍ୟୋତି ମିଶ୍ର ଯୋଗଦେଇ ଯାହା ବି କାର୍ଯ୍ୟ କରୁଛନ୍ତି, ତାହା ଦେଶ ପାଇଁ ସମର୍ପିତ ହେବା ଉଚିତ୍‌ ବୋଲି ମତ ପ୍ରକାଶ କରିଥିଲେ। ପ୍ରାଥମିକ ସ୍ତରରୁ ରାଷ୍ଟ୍ର ପ୍ରେମ ବିଷୟରେ ଶିକ୍ଷା ଦିଆଗଲେ ପରବର୍ତ୍ତୀ ସମୟରେ ରାଷ୍ଟ୍ର ନିର୍ମାଣରେ ଏହା ସହାୟକ ହୋଇପାରିବ ବୋଲି ସହକାରୀ ବାଣିଜ୍ୟ କର ଆୟୁକ୍ତ ଅଙ୍କିତ ମହାପାତ୍ର କହିଥିଲେ। ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘର ଓଡ଼ିଶା ଶାଖା ସଭାପତି ସଚିନ ମହାପାତ୍ର କହିଲେ, ଶିକ୍ଷା ସହ କୃଷିକୁ ସଂଯୋଗ କଲେ ରାଷ୍ଟ୍ର ଆଗକୁ ବଢ଼ିବ। ଆଇନଜୀବୀ ଓମ୍‌ ପ୍ରକାଶ ପଣ୍ଡା କହିଲେ, ଯୁବକମାନେ ଦେଶର ମେରୁଦଣ୍ଡ। ଯୁବକଙ୍କ ପାଖରେ ଅଦମ୍ୟ ସାହସ ଓ ନିର୍ଭୀକତା ଅଛି। ସମସ୍ତ କାର୍ଯ୍ୟ ସୁଚାରୁରୂପେ କଲେ ଦେଶ ଆଗକୁ ଯାଇପାରିବ।
ଏହି ଅବସରରେ ସମ୍ମାନିତ ବକ୍ତାଙ୍କ ଦ୍ବାରା ରାଷ୍ଟ୍ରଗଠନରେ ଯୁବ ସମାଜ ଭୂମିକାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ବିଶେଷ କରି ମହିଳା ସଶକ୍ତୀକରଣ, କୃଷିକ୍ଷେତ୍ରରେ ମହିଳାଙ୍କ ଭୂମିକା, ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣ ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ ସେମାନେ ମତ ରଖିଥିଲେ। ବିଭିନ୍ନ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟରୁ ଯୋଗଦେଇଥିବା ଛାତ୍ରଛାତ୍ରୀ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ.ପ୍ରଭାସ ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିବାବେଳେ ଲୋକସେବକ ମଣ୍ଡଳର ମୁଖ୍ୟ ପରାମର୍ଶଦାତା ରାମନାଥ ଝା ଉପସ୍ଥିତ ଥିଲେ। ସମାଜସେବୀ ମହେଶ ମଲ୍ଲ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories