Patra electronics

ହିଟ ଆଣ୍ଡ ରନ: ୩ ଯୁବତୀ ଗୁରୁତର, କାର ଚାଳକ ଗିରଫ

ପାଟଣାଗଡ଼: ପାଟଣାଗଡ଼ ଅନ୍ତର୍ଗତ ବେଲପଡ଼ା ନୁନହାଡ଼ ଗାଁରେ ଜଣେ ନିଶାସକ୍ତ ଢାବା ମାଲିକ ‘ହିଟ ଆଣ୍ଡ ରନ’ ଦୁର୍ଘଟଣା ଘଟାଇବା ପରେ ୩ଜଣ ଯୁବତୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଆଜି ନିଶାସକ୍ତ ଅବସ୍ଥାରେ ଦ୍ରୁତ ଗତିରେ କାର ଆଣି ରାସ୍ତାରେ ଯାଉଥିବା ୩ଜଣ ଯୁବତୀଙ୍କୁ ଧକ୍କା ଦେଇଥିଲେ। ଏହାସହିତ ନିଶାସକ୍ତ ଢାବା ମାଲିକ ୩ ଯୁବତୀଙ୍କ ଉପରେ କାର ଚଢ଼ାଇଦେଇଥିଲେ। ଫଳରେ ୩ଜଣ ଯୁବତୀ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର ପରେ ପ୍ରଥମେ ଚିକିତ୍ସା ବେଲପଡ଼ା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଉଦବେଗଜନକ ଥିବାରୁ ପରବର୍ତ୍ତି ସମୟରେ ସେମାନଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଥିଲା।

ତେବେ ଗୁରୁତର ଆହତ ହୋଇଥିବା ୩ଜଣ ଯୁବତୀଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟାଇ କାର  ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Comments are closed.