www.samajalive.in
Tuesday, December 9, 2025
15.1 C
Bhubaneswar

‘ପାଠକ’ ପ୍ରସଙ୍ଗରେ କଂଗ୍ରେସ ସ୍ବର ଶାଣିତ : ସରକାରଙ୍କୁ କଂଗ୍ରେସ ପଚାରିଲା ୭ ପ୍ରଶ୍ନ

ଭୁବନେଶ୍ୱର:  ରାଜ୍ୟରେ ବହୁ ଚର୍ଚ୍ଚିତ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କ ଦୁର୍ନୀତି ପେଡି ଯେତେ ଖୋଲିଲେ ବି ସରିବାର ନାଁ ଗନ୍ଧ ଧରୁନାହିଁ। ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ତଥା ଏକଦା ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ଅନୁଗତ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ଏହି ବହୁ ଚର୍ଚ୍ଚିତ ଦୁର୍ନୀତିର ମୁଖ୍ୟ ନାୟକ ବୋଲି ବିଜୁ ଜନତା ଦଳର ବିଭିନ୍ନ ନେତୃବୃନ୍ଦ ବିଭିନ୍ନ ସମୟରେ ସଫେଇ ଦେଉଛନ୍ତି। ପ୍ରକୃତରେ ଏହି ମହାଦୁର୍ନୀତିର ମହାନାୟକ  ଅଭୟକାନ୍ତ ପାଠକ ନା  ମୁଖ୍ୟମନ୍ତ୍ରୀ ଏହା ଏକ ବଡ ଅସମାହିତ ପ୍ରଶ୍ନ ବୋଲି କହିଛି କଂଗ୍ରେସ ।

ବୁଧବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ ତଥା  ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‍ଗୋ ସିଧାସଳଖ ଏହି ମହାଦୁର୍ନୀତି ପାଇଁ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଙ୍ଗୁଳି ନିର୍ଦେଶ କରିଛନ୍ତି । ଏହା ସହ ଶ୍ରୀ କାନୁନଗୋ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ଟି ପ୍ରଶ୍ନ କରିବା ସହ ଏହାର ଉତ୍ତର ସରକାର ଦେବେ ବୋଲି ଆଶା ପ୍ରକାଶ କରିଛନ୍ତି ।

- Advertisement -

ପ୍ରଶ୍ନ ୧ – ପ୍ରଦୀପ ପାଣିଗ୍ରାହୀଙ୍କ ସଂପର୍କରେ ବ୍ରହ୍ମପୁର ମଦମୃତ୍ୟୁ ଘଟଣାରେ ଥିବା ସନ୍ଦେହ କରି ତାଙ୍କୁ ଦଳ ତରଫରୁ କୈଫିୟତ ମଗାଯାଇଥିଲା କି ନାହିଁ ଏବଂ ସେତେବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଯେଉଁ ଗୁଇନ୍ଦା ରିପୋର୍ଟ ଆସିଥିଲା ସେ ରିପୋର୍ଟକୁ ସରକାର ସାର୍ବଜନୀନ କରିବେ କି? ପ୍ରଦୀପ ପାଣିଗ୍ରାହୀ ତାଙ୍କର ପକ୍ଷରେ କେଉଁ ଉତର ରଖିଲେ ଯେ ସେତେବେଳେ ତାଙ୍କୁ ବାଦ୍‍ ଦିଆଗଲା ନାହିଁ ବରଂ ମୁଖ୍ୟମନ୍ତ୍ରୀଙ୍କର ବିଧାନସଭାର ପ୍ରତିନିଧି କରାଗଲା ଏବଂ ପରବର୍ତୀ ଅବସ୍ଥାରେ ଉଚ୍ଚଶିକ୍ଷା ମନ୍ତ୍ରୀ କରାଗଲ।?

ପ୍ରଶ୍ନ ୨ – ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କେଉଁ ବାବୁ ରାଜନୈତିକ ବ୍ୟକ୍ତିମାନଙ୍କୁ “ଆପଣମାନେ କୁକୁର” ବୋଲି  ପ୍ରଦୀପ ପାଣିଗ୍ରାହୀ ଗଣମାଧ୍ୟମରେ କହିଛନ୍ତି । ରାଜନୀତି ଗଣତନ୍ତ୍ରର ମୂଳମନ୍ତ୍ର। ତେଣୁ ରାଜନୀତି ଏବଂ ରାଜନୈତିକ ବ୍ୟକ୍ତି ବିଶେଷ କିଭଳି କୁକୁର ବୋଲି ଆପଣଙ୍କ ଅନୁଗୃହୀତ ସରକାରୀ କର୍ମଚାରୀ କହିପାରିଲେ? ଏ ସରକାରୀ କର୍ମଚାରୀ ରାଜ୍ୟ ରାଜକୋଷରୁ ଦରମା ପାଆନ୍ତି ନା ବିଜୁ ଜନତା ଦଳ ତାଙ୍କୁ ଦରମା ଦିଏ? ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି, ଓଡିଶାର କିଛି ଅଫିସରମାନେ ବିଜୁ ଜନତା ଦଳର ସଦସ୍ୟ ହୋଇ କାର୍ଯ୍ୟ କରୁଛନ୍ତି। ତେଣୁ ଏହି ଚିଠି ଓ ଅଭିଯୋଗ ସାର୍ବଜନୀନ କାହିଁକି କରୁନାହାନ୍ତି ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ କରିଛନ୍ତି ।

ପ୍ରଶ୍ନ ୩ – ଶ୍ରୀ ପାଣିଗ୍ରାହୀଙ୍କ  ଗଞ୍ଜାମ ଜିଲ୍ଲାର ୮୦ ଜଣ ମଦ ମାଫିଆଙ୍କ ସହ ଅଛନ୍ତି ଏବଂ ତାଙ୍କ ପାଖରୁ ପ୍ରଚୁର ଅର୍ଥ ସଂଗ୍ରହ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ପ୍ରଶ୍ନ ହେଉଛି ଏହି ସମ୍ପର୍କ ଏବେକାର ନା ପୂର୍ବରୁ ରହିଥିଲା ।  ଏ ସଂପର୍କ କିପରି ଓ କାହିଁକି ସୃଷ୍ଟି ହେଲା ?  ମଦ ମାଫିଆଙ୍କ ପାଖରୁ ଚାନ୍ଦା ଆଦାୟ ହେଉଥିବାର ଗୁଇନ୍ଦା ବିଭାଗର କିଛି ତଥ୍ୟ ସରକାରଙ୍କ ପାଖକୁ ଆସିଛି କି ନାହିଁ ?

ପ୍ରଶ୍ନ ୪ – କେନ୍ଦୁଝର ଜିଲ୍ଲାର ବାରବାଙ୍କ ସଂରକ୍ଷିତ ଜଙ୍ଗଲରେ ୧.୫୧ ଲକ୍ଷ ଗଛ ଲାଗିବ ବୋଲି ଯୋଜନା ପ୍ରକାଶ ପାଇଲା। ଅର୍ଥ ମଧ୍ୟ ଅନୁମୋଦନ ହେଲା। କିନ୍ତୁ ଗଛ ଲାଗିବା ପରିବର୍ତେ ଗଛ ସବୁ ଉଭାନ ହୋଇଗଲେ। ଏହି ଘଟଣାରେ ଅତିରିକ୍ତ ପିସିସିଏଫ୍‍ ଓ.ପି. ସିଂହ ତଦନ୍ତ କରିଥିଲେ ଏବଂ ତାଙ୍କ ତଦନ୍ତ ରିପୋର୍ଟ ଅନୁସାରେ ତିନି ଜଣ ଅଫିସରଙ୍କ ଠାରୁ ୩୪ ଲକ୍ଷ ଟଙ୍କା ଆଦାୟର ସୁପାରିଶ ହେଲା। କିନ୍ତୁ ଏ ଟଙ୍କା ଆଦାୟ ହୋଇଛି କି? ଏହା କାହା ଚାପରେ ବନ୍ଦ ହେଲା? ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ କରିଛନ୍ତି ।

ଏହା ସହ ପାଠକ ଓ ପାଣିଗ୍ରାହୀ ପରିବାର କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆଶୀର୍ବାଦ ନେବାକୁ ଯାଇଥିବା ସଂପର୍କରେ ଶ୍ରୀ କାନୁନଗୋ କିଛି ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆକାଶ ପାଠକଙ୍କ ୫ ଲକ୍ଷ ଟଙ୍କା ସହାୟତା ସମ୍ପର୍କରେ ମଧ୍ୟ ସେ ତଥ୍ୟ ପ୍ରକାଶ କରିବାକୁ କହିଛନ୍ତି ।

 

ଅନ୍ୟପକ୍ଷରେ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ମୁଖପାତ୍ର ସୁଦର୍ଶନ ଦାସ  ପାଠକ-ପ୍ରଦୀପ ସମ୍ପର୍କକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟତମ ମୁଖପାତ୍ର  ରଜନୀ ମହାନ୍ତି କହିଛନ୍ତି ଯେ କିଭଳି ଭାବରେ ଅଭୟକାନ୍ତ ପାଠକଙ୍କୁ ୨୮.୬.୨୦୦୪ ରୁ ୧୦.୧.୨୦୧୪ ପର୍ଯ୍ୟନ୍ତ ଦୀର୍ଘ ୧୦ ବର୍ଷ ଧରି ବ୍ରହ୍ମପୁର ଜଙ୍ଗଲ ଡିଭିଜନର ମୁଖ୍ୟ ଦାୟିତ୍ୱରେ ରଖା ଯାଇଥିଲା। କାହିଁକି ତାଙ୍କର ବଦଳି କରାଯାଇନଥିଲା ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories