ପତଞ୍ଜଳି ବିକିବ କ୍ଷୀର, ଦହି ଓ ଫ୍ରୋଜନ ମଟର

0

ହରିଦ୍ବାର : ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଏବେ କ୍ଷୀର, ଦହି ଏବଂ ଫ୍ରୋଜନ ମଟର ବିକ୍ରି କରିବ। ଡାଏରୀ ବା ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ପତଞ୍ଜଳି ଜୋରଦାର ପ୍ରବେଶ କରିବାକୁ ଯାଉଛି। ଦେଶର ଚାରୋଟି ରାଜ୍ୟରେ ପତଞ୍ଜଳି ନିଜର ଡାଏରୀ ଉତ୍ପାଦର ବଜାର ପ୍ରବେଶ କରିବାକୁ ଯାଉଛି। ଏହା ବ୍ୟତୀତ ଛୋଟ ଛୋଟ ପିଲାଙ୍କ ପାଇଁ କମ୍ପାନୀ ଡାୟପର ମଧ୍ୟ ବଜାରକୁ ଛାଡିଛି।
ଦୁଗ୍ଧ ଜାତ ଦ୍ରବ୍ୟ ଭାବେ କମ୍ପାନୀ କ୍ଷୀର, ଦହି, ପନୀର ଏବଂ ଫ୍ରୋଜନ ମଟର ଆଦି ବିକ୍ରୟ କରିବ। ପୂର୍ବରୁ ବଜାରରେ ପତଞ୍ଜଳି ଘିଅର ଭଲ ଚାହିଦା ରହିଛି। ବିନା କୌଣସି ଅପମିଶ୍ରଣରେ କମ୍ପାନୀ ଏହି ଉତ୍ପାଦ ବଜାରକୁ ଛାଡିବ। ଲୋକମାନଙ୍କୁ ଶୁଦ୍ଧ ଜିନିଷ ମିଳିବ। ପତଞ୍ଜଳି ଆର୍ୟୁବେଦର ପ୍ରବକ୍ତା ଏସ୍‍.କେ ତିଜାରାୱାଲା କହିଛନ୍ତି କି ଲୋକଙ୍କୁ କମ୍‍ ଦରରେ ବିଶୁଦ୍ଧ ଗାଈ କ୍ଷୀର ଏବଂ ଦୁଗ୍ଧ ଜାତ ଦ୍ରବ୍ୟ ମିଳିବ।
ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ମହାରାଷ୍ଟ୍ରରେ କମ୍ପାନୀ ଏହି ଦୁଗ୍ଧ ଜାତ ଦ୍ରବ୍ୟର ବିକ୍ରି ଆରମ୍ଭ କରିବ। ତେବେ ପୁର୍ବରୁ ଏ କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିବା ସହିତ ବଜାରରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିବା ଅମୂଲ, ମଦର ଡାଏରୀ, ସରସ, ନମସ୍ତେ ଇଣ୍ଡିଆ, ପାରସ ଏବଂ ଗୋପାଳଜୀ ଭଳି କମ୍ପାନୀ ସହିତ ପତଞ୍ଜଳିକୁ ମୁକାବିଳା କରିବାକୁ ପଡ଼ିବ। ତେବେ ପତଞ୍ଜଳି ଳିଟର ପିଛା ୨ ଟଙ୍କା କମ୍‍ ଦରରେ ଲୋକଙ୍କୁ କ୍ଷୀର ଯୋଗାଇ ଦେବ। ପତଞ୍ଜଳି ଚିକିତ୍ସାଳୟ ଏବଂ ଆରୋଗ୍ୟ କେନ୍ଦ୍ରରେ ଏହା ପ୍ରଥମେ ଉପଲବ୍ଧ ହେବ। ପରେ ଅନ୍ୟ ଦେକାନୀମାନଙ୍କୁ ଯୋଗାଇ ଦିଆଯିବ।
ଅନ୍ୟପକ୍ଷରେ ୦-୪ ବର୍ଷ ବୟସର ଛୋଟ ଛୋଟ ପିଲାଙ୍କ ପାଇଁ କମ୍ପାନୀ ଡାୟପର ବଜାରକୁ ପଠାଇ ସାରିଛି। ଏହା ଏବେ ବଜାରରେ ଉପଲବ୍ଧ ହେଉଛି। କମ୍ପାନୀ ଖୁବ ଶୀଘ୍ର ମହିଳାମମାନଙ୍କ ପାଇଁ ସାନିଟାରୀ ନାପକିନ୍‍ ମଧ୍ୟ ବଜାରକୁ ପଠାଇବ। କମ୍‍ ଦରରେ ମଧ୍ୟ ଏହା ବଜାରରେ ଉପଲବ୍ଧ ହେବ। ଫଳରେ ଗରିବ ମହିଳାମାନେ ଉପକୃତ ହେବେ।

Leave A Reply