ଖୁବ୍ଶୀଘ୍ର ଦେଶର କୃଷକଙ୍କ ପାଇଁ ରିଆତି ପ୍ୟାକେଜ ଘୋଷଣା ହେବ: କୃଷି ରାଷ୍ଟ୍ର ମନ୍ତ୍ରୀ
ନୂଆଦିଲ୍ଲୀ : ଖୁବ୍ଶୀଘ୍ର ଦେଶର କୃଷକଙ୍କ ପାଇଁ ବଡ଼ ରିଆତି ପ୍ୟାକେଜ ଘୋଷଣା କରାଯିବ ବୋଲି ଗୁରୁବାର କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା କହିଛନ୍ତି। ଦିଲ୍ଲୀଠାରେ କୃଷିକୁ ନେଇ ଆୟୋଜିତ ଏକ ଜାତୀୟ ସମ୍ମିଳନୀରେ ଯୋଗଦେବା ଅବସରରେ କୃଷି ରାଷ୍ଟ୍ର ମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଦେଶର କୃଷକଙ୍କୁ ଆଉ ବେଶି ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଖୁବଶୀଘ୍ର ଚାଷୀଙ୍କ ପାଇଁ ଏକ ବଡ଼ଧରଣର ରିଆତି ପ୍ୟାକେଜ ଘୋଷଣା କରାଯିବ। ତେବେ ବଜେଟ୍ ପୂର୍ବରୁ କି ବଜଟେ୍ ପରେ ଏହି ପ୍ୟାକେଜ ଘୋଷଣା କରାଯିବ ତାହା ସେ ସ୍ପଷ୍ଟ କରିନାହାନ୍ତି।
ସୂଚନା ଅନୁସାରେ ପ୍ୟାକେଜରେ ପ୍ରତି ହେକ୍ଟରରେ ୧୫ ହଜାର ଟଙ୍କା ପ୍ରତ୍ୟକ୍ଷ ନିବେଶକୁ ସମର୍ଥନ ଦିଆଯିବ। ଏହାସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁଧ ମୁକ୍ତ ଏବଂ ଫସଲ ବୀମା ଯୋଜନା ପ୍ରିମିୟମରେ ହ୍ରାସ ଭଳି ବଡ଼ ପଦକ୍ଷେପ ନିଆଯିବ। ଫେବୃଆରୀ ୧ରେ ଆସୁଥିବା ଅନ୍ତରୀଣ ବଜେଟ୍ରେ ମୋଦୀ ସରକାର କୃଷି ଏବଂ କୃଷକଙ୍କ ଉପରେ ଅଧିକ ଧ୍ୟାନ ଦେଇଥିବା ଜାଣିବାକୁ ମିଳିଛି। ଆସନ୍ତା ଲୋକସଭା ନିର୍ବାଚନରେ କୃଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କୁହାଯାଉଛି। ତେଣୁ ମୋଦୀ ସରକାର କୃଷକଙ୍କୁ ଖସି କରିବାକୁ ପ୍ରୟାସ ଚଳାଇଛି। କେନ୍ଦ୍ର ସରକାର ବଜେଟ୍ରେ ପଶୁପାଳନ, ମାଛ ଚାଷ, ଛୋଟ ଏବଂ ମଧ୍ୟବର୍ତ୍ତୀ ଚାଷୀଙ୍କ ପାଇଁ ଋଣ ସୁବିଧା ବୃଦ୍ଧି କରିପାରନ୍ତି। ଏପରିକି କୃଷକ କାର୍ଡରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ କମ୍ ସୁଧ କିମ୍ବା ସୁଧ ମୁକ୍ତ ଭଳି ଘୋଷଣା ହୋଇପାରେ।