ବଜେଟ ଅଧିବେଶନ ଶେଷ : ଉଭୟ ସଦନ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ

ନୂଆଦିଲ୍ଲୀ : ସଂସଦର ବଜେଟ ଅଧିବେଶନ ଶେଷ ହୋଇଛି । ଉଭୟ ରାଜ୍ୟସଭା ଓ ଲୋକସଭାକୁ ଆଜି ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଛି । ପରେ ଗଣମାଧ୍ୟମକୁ  ଏ ସଂପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ହଟ୍ଟଗୋଳ ସତ୍ତ୍ବେ ଲୋକସଭାରେ ୩୪ ପ୍ରତିଶତ ଓ ରାଜ୍ୟସଭାରେ ୨୪.୪ ପ୍ରତିଶତ କାର୍ଯ୍ୟ ସଂପାଦନ ହୋଇପାରିଛି।

prayash

ଲୋକସଭାରେ ଆଜିର କାର୍ଯ୍ୟ ଆରମ୍ଭ ହେବା ସମୟରେ ବାଚସ୍ପତି ଓମ୍‌‌ ବର୍ଲା ବଜେଟ୍‌‌ ଅଧିବେଶନ ସମୟରେ ହୋଇଥିବା କାର୍ଯ୍ୟର ଉଲ୍ଲେଖ କରି ଉଦ୍‌‌ଯାପନୀ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଏହି ଅଧିବେଶନ ସମୟରେ ଆଠଟି ବିଲ୍‌‌ ଉପସ୍ଥାପିତ ହୋଇଥିବାବେଳେ ତାହା ମଧ୍ୟରୁ ୬ଟି ପାସ୍‌‌ ହୋଇଛି। ସଦନର କାର୍ଯ୍ୟଧାରା ବାରମ୍ବାର ବାଧାପ୍ରାପ୍ତ ହୋଇଥିବାରୁ ଏହା ଉପରେ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଏଭଳି ଆଚରଣ ପ୍ରଦର୍ଶନ ଦେଶର ଗଣତାନ୍ତ୍ରିକ ଢାଞ୍ଚା ପ୍ରତି କ୍ଷତିକାରକ ବୋଲି ସେ
କହିଥିଲେ। ସଭାଗୃହରେ ପ୍ଲା’ କାର୍ଡ ପ୍ରଦର୍ଶନ କରିବା ଓ ଯୋଜନାବଦ୍ଧ ଭାବେ ସଭାକାର୍ଯ୍ୟରେ ବାଧାସୃଷ୍ଟି କରାଯିବାକୁ ସେ ବିରୋଧ କରିଥିଲେ। ବାଚସ୍ପତି ତାଙ୍କର ମନ୍ତବ୍ୟ ଦେଉଥିବାବେଳେ କଂଗ୍ରେସ, ଡି.ଏମ୍‌‌.କେ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ଦାବି ସପକ୍ଷରେ ସ୍ଲୋଗାନ ଦେଇ ବାଚସ୍ପତିଙ୍କ ଆସନ ନିକଟକୁ ଚାଲିଯାଇଥିଲେ। ଜେଡି(ୟୁ), ଟିଏମସି ଓ ଅନ୍ୟ ଦଳର ସଦସ୍ୟମାନେ ନିଜ ନିଜ ଆସନରୁ ଉଠି ଛିଡ଼ା ହୋଇଯାଇଥିଲେ।
ରାଜ୍ୟସଭାରେ ଆଜିର କାର୍ଯ୍ୟ ଆରମ୍ଭ ହେବା ସମୟରେ କଂଗ୍ରେସ, ଡିଏମ୍‌‌କେ ଓ ଅନ୍ୟ ବିରୋଧୀ ଦଳ ଗୁଡ଼ିକର ସଦସ୍ୟମାନେ ଆଦାନୀ ଗ୍ରୁପ୍‌‌ ପ୍ରସଙ୍ଗରେ ଜେପିସି ତଦନ୍ତ ପାଇଁ ଦାବି କରିଥିଲେ। ଆରଜେଡି, ବାମପନ୍ଥୀ ଦଳ, ଟିଏମସି, ଏନସିପି ଓ ଅନ୍ୟ ଦଳଗୁଡ଼ିକର ସଦସ୍ୟମାନେ ନିଜ ନିଜ ଆସନରୁ ଉଠି ଛିଡ଼ା ହୋଇ ପାଟିତୁଣ୍ଡ କରିଥିଲେ। ଶାସକ ଦଳର ସଦସ୍ୟମାନେ ରାହୁଲ ଗାନ୍ଧୀଙ୍କ କ୍ଷମାପ୍ରାର୍ଥନା ଲୋଡ଼ି ସେମାନଙ୍କର ଦାବି ଦୋହରାଇଥିଲେ। ପାଟିତୁଣ୍ଡ ମଧ୍ୟରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ପ୍ରଥମେ
ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ଓ ପରେ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖିଥିଲେ।

ଜାନୁଆରି ୩୧ରୁ ଆରମ୍ଭ ହୋଇଥିଲା ବଜେଟ୍ ଅଧିବେଶନ। ତେବେ ବଜେଟ୍‌‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଗତମାସ ୧୩ ତାରିଖରୁ ଆରମ୍ଭ ହୋଇଥିଲା। ଆଦାନୀ ଗ୍ରୁପ୍‌‌ ପ୍ରସଙ୍ଗ ଓ ରାହୁଲ ଗାନ୍ଧୀଙ୍କ ଗଣତନ୍ତ୍ର ପ୍ରତି ମନ୍ତବ୍ୟକୁ ନେଇ ଗୃହ କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହେଉଥିଲା । ଶାସକ ଦଳ ଓ ବିରୋଧୀ ଦଳର ସଦସ୍ୟ ମାନଙ୍କ ମଧ୍ୟରେ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭାରେ ମଧ୍ୟ କେନ୍ଦ୍ର ବଜେଟ୍‌‌ ଉପରେ କୌଣସି ଆଲୋଚନା ହୋଇପାରି ନ ଥିଲା।ଫଳରେ ବହୁ ବିଲ୍‌‌ ଓ ଆଇନ୍‌‌ ପାଟିତୁଣ୍ଡ ମଧ୍ୟରେ ବିନା ଆଲୋଚନା ଗୃହୀତ ହୋଇଛି।

 

Comments are closed.