ପାନ୍କାର୍ଡରେ ପିତାଙ୍କ ନାମ ଉଲ୍ଲେଖ ବ୍ୟବସ୍ଥା ଉଠାଇବାକୁ ପ୍ରସ୍ତାବ
ନୂଆଦିଲ୍ଲୀ: ପାନ୍ କାର୍ଡରେ ପିତାଙ୍କ ନାମ ଉଲ୍ଲେଖ ବ୍ୟବସ୍ଥାକୁ ଇଚ୍ଛାଧୀନ କରିବା ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି। ସ୍ୱାମୀଙ୍କଠାରୁ ଅଲଗା ରହିଥିବା କିମ୍ବା ଛାଡ଼ପତ୍ର ପାଇଥିବା ମହିଳାଙ୍କ ସନ୍ତାନସନ୍ତତି କିମ୍ବା ଏକାକୀ ରହୁଥିବା ମହିଳାମାନଙ୍କ ପୋଷ୍ୟପୁତ୍ରଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଉପଯୋଗୀ ହୋଇପାରିବ ବୋଲି ମନ୍ତ୍ରାଳୟ କହିଛି।
ପ୍ରଚଳିତ ବିଧି ବ୍ୟବସ୍ଥା ଅନୁଯାୟୀ ପାନ୍ କାର୍ଡ ପାଇଁ ପିତାଙ୍କ ନାମ ଉଲ୍ଲେଖ କରିବା ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ଏକାକୀ ରହୁଥିବା ମହିଳାଙ୍କ ସନ୍ତାନଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରୁଛି। ମହିଳାମାନେ ମାନସିକ ସ୍ତରରେ ପ୍ରଭାବିତ ହେଉଛନ୍ତି। ସେହି ମାନସିକ ସ୍ଥିତିରୁ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ପାନ୍ ଆବେଦନ ଫର୍ମରେ ସଂଶୋଧନ ଆଣିବାକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ୍ଙ୍କୁ ପତ୍ର ଲେଖିଛନ୍ତି।
୨୦୧୬ରେ ପାସ୍ପୋର୍ଟ ଆବେଦନ ଫର୍ମରେ ବୈଦେଶିକ ମନ୍ତ୍ରାଳୟ କେତେକ ସଂଶୋଧନ କରିଥିଲା। ଏକାକୀ ରହୁଥିବା, ଛାଡ଼ପତ୍ର ପାଇଥିବା କିମ୍ବା ବିଧବାଙ୍କ କ୍ଷେତ୍ରରେ ତାଙ୍କ ପାଇଁ କିମ୍ବା ସେମାନଙ୍କର ସନ୍ତାନସନ୍ତତିଙ୍କ ପାସ୍ପୋର୍ଟ ଆବେଦନ ବେଳେ ସ୍ୱାମୀଙ୍କ ନାମ ଓ ହସ୍ତାକ୍ଷର ବାଧ୍ୟତାମୂଳକ ବ୍ୟବସ୍ଥାକୁ ଫର୍ମରୁ ହଟାଯାଇଥିଲା।