ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ
ନୂଆଦିଲ୍ଲୀ: ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦ ଟଙ୍କା ବୃଦ୍ଧି ପାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଧାନ ସହିତ ଆଉ ୧୪ଟି ଶସ୍ୟ ଜାତୀୟ ସାମଗ୍ରୀର ସହାୟକ ମୂଲ୍ୟ ବୃଦ୍ଧି ପାଇଛି।
ଏଥିପୂର୍ବରୁ ସାଧାରଣ ବର୍ଗ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୧୫୫୦ ଟଙ୍କା ଥିବା ବେଳେ ସରକାରଙ୍କ ଆଜିର ଘୋଷଣା ପରେ କ୍ୱିଣ୍ଟାଲ୍ ପିଛା ୧୭୫୦ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଗ୍ରେଡ୍ ଏ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ୍ ପିଛା ପୂର୍ବରୁ ୧୫୯୦ ଟଙ୍କା ଥିଲା। ସେଥିରେ ସରକାର ୧୬୦ ଟଙ୍କା ବୃଦ୍ଧି କରିବା ପରେ କ୍ୱିଣ୍ଟାଲ୍ ପିଛା ଦର୧୭୫୦ ଟଙ୍କା ହୋଇଛି। କପା ମୂଲ୍ୟରେ କ୍ୱିଣ୍ଟାଲ୍ ପିଛା ୧୧୩୦ ଟଙ୍କା ବୃଦ୍ଧି ପାଇବା ପରେ ମଧ୍ୟମ ବର୍ଗ କପା ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୫,୧୫୦ ଟଙ୍କା ଏବଂ ଉତ୍ତମ ବର୍ଗର କପା ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୫,୪୫୦ ଟଙ୍କାରେ ପହଞ୍ଚିଛି।
ଡାଲିର ସହାୟକ ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୨୨୫ ଟଙ୍କା ବୃଦ୍ଧି ପାଇ ୫୬୭୫ ଟଙ୍କାରେ ପହଞ୍ଚିଥିବା ବେଳେ ମୁଗଡାଲିରେ କ୍ୱିଣ୍ଟାଲ୍ ପିଛା ୧୪୦୦ ଟଙ୍କା ବୃଦ୍ଧି ପାଇ ୬୯୭୫ ଟଙ୍କା, ବିରି ଡାଲିରେ କ୍ୱିଣ୍ଟାଲ୍ ପିଛା ୨୦୦ ଟଙ୍କା ବୃଦ୍ଧି ପାଇ ୫୬୦୦ ଟଙ୍କା ହୋଇଛି।