ପେଟ୍ରୋଲ ଡିଜେଲ୍‌ ଦରକୁ ନେଇ ବିଜେଡିର ଆନ୍ଦୋଳନ  ଜାରି

0

ଭୁବନେଶ୍ୱର: ପେଟ୍ରୋଲ ଓ ଡେଜଲ୍‌ର ଦର ବୃଦ୍ଧିକୁ ନେଇ ବିଜେଡିର ବିରୋଧ ପ୍ରଦର୍ଶନ ଜାରି ରହିଛି । ଦଳର କର୍ମକର୍ତ୍ତା ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପେଟ୍ରୋଲିୟମ ଦ୍ରବ୍ୟରେ ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ କରିବା ପାଇଁ ଦାବି କରାଯାଇଛି ।

ମାତ୍ର ବିଜେଡିର ଏହି ବିରୋଧ ପ୍ରଦର୍ଶନକୁ ବିଜେପିର ନେତାମାନେ ଏକ ରାଜନୈତିକ ଚାଲ ବୋଲି କହିଛନ୍ତି । ବିଜେପି ସରକାର ଏହାକୁ ଜିଏସ୍‌ଟି ପରିସରରେ ଆଣିବା ପାଇଁ ଚାହୁଁଥିବା ବେଳେ ରାଜ୍ୟ ସରକାରମାନେ ଏହା ଚାହୁଁ ନ ଥିବା ବିଜେପି ନେତାମାନେ ଅଭିଯୋଗ କରିଛନ୍ତି । ମାତ୍ର ବିଜେପି ଶାସିତ ରାଜ୍ୟମାନେ ବି ଏଥିପାଇଁ ପଦକ୍ଷେପ  ଗ୍ରହଣ କରିବା ଆବଶ୍ୟକ ।  ଏବେ ଦେଶର ୧୦ଟି ରାଜ୍ୟରେ ବିଜେପିର ପୂର୍ଣ୍ଣ ବହୁମତ ସରକାର ରହିଛି ।  ଜିଏସ୍‌ଟି ଲାଗୁ କରାଗଲେ ତୈଳ ଦର ପ୍ରାୟ ୩୦ ଟଙ୍କା କମିଯିବ ।

ଏବେ ଅଶୋଧିତ ତୈଳ ଦର ପ୍ରତି ବ୍ୟାରେଲ୍‌ ପ୍ରାୟ ୪,୯୨୩ ଟଙ୍କା ରହିଛି । ଗୋଟିଏ ବ୍ୟାରେଲ୍‌ରେ ୧୫୯ ଲିଟର ତେଲ ଥାଏ । ୪୦ ଟଙ୍କା ପ୍ରତି ଲିଟର ତେଲ ଉପର ସରକାର ୧୯.୪୮ ପଇସା  ଉତ୍ପାଦ ଶୁଳ୍କ, ୧୬.୪୧ ପଇସା ଭ୍ୟାଟ୍‌, (ସବୁ ରାଜ୍ୟରେ  ଏହା ଅଲଗା ଅଲଗା) ଏବେ ପ୍ରାୟ ୫୦ ପ୍ରତିଶତ ଶୁଳ୍କ ନେଉଛନ୍ତି ।

କେନ୍ଦ୍ରରେ ମୋଦିଙ୍କ ସରକାର ଥିବେ ବେଳେ ତୈଳ ବ୍ୟାରେଲ୍‌ ପ୍ରତି ୩୧ ଡଲାର ଶସ୍ତା ହୋଇଥିବା ବେଳେ ପେଟ୍ରୋଲ ୬ ଟଙ୍କା ମହଙ୍ଗା ହୋଇଛି ।  ବିଜେପି ସରକାର ଗଢିବା ବେଳେ ଏହା ୧୧୧ ଡଲାର ଥିବା ବେଳେ ଏବେ ଏହା ୮୦ ଡଲାର ଅଛି । ଜିଏସ୍‌ଟି ଲାଗୁ କରାଗଲେ ପେଟ୍ରୋଲ ଆହୁରି ଶସ୍ତା ହୋଇ ପାରିବ ବୋଲି ବିଜେଡି ମୁଖପାତ୍ର ସୁଲୋଚନା ଦସ କହିଛନ୍ତି ।

ମୂଲ୍ୟବୃଦ୍ଧିର କାରଣ:
ପେଟ୍ରୋଲ ଖୁଚୁରା ବିକ୍ରି ମୂଲ୍ୟର ୫୦% ଏବଂ ଡିଜେଲ୍‍ ଖୁଚୁରା ବିକ୍ରି ମୂଲ୍ୟର ୪୦% ଉତ୍ପାଦନ ଶୁଳ୍କ ଏବଂ ଡିଲରଙ୍କ କମିସନ୍‍ ବାବଦକୁ ଚାଲିଯାଇଥାଏ। ପେଟ୍ରୋଲ୍‍ ଏବଂ ଡିଜେଲ୍‍ର ମୋଟ ମୂଲ୍ୟ ମଧ୍ୟରୁ ଯଥାକ୍ରମେ ୪.୮% ଓ ୩.୮% ଡିଲର କମିସନ ରହୁଥିବା ବେଳେ ଭାଟ୍‍ ୨୧.୩% ଓ ୧୪.୭%, ଉତ୍ପାଦନ ଶୁଳ୍କ ୨୫.୯% ଓ ୨୩% ଏବଂ ଡିଲରଙ୍କ ପାଇଁ ଧାର୍ଯ୍ୟ ମୂଲ୍ୟ ୪୮.୧% ଓ ୫୮.୬% ରହିଥାଏ। ବିଭିନ୍ନ ରାଜ୍ୟରେ ଶୁଳ୍କ ହାର ଭିନ୍ନ ଭିନ୍ନ ହୋଇଥିବାରୁ ଏଗୁଡିକରେ ପେଟ୍ରୋଲ ଏବଂ ଡିଜେଲ୍‍ ମୂଲ୍ୟରେ ମଧ୍ୟ ଭିନ୍ନତା ଲକ୍ଷ୍ୟ କରାଯାଏ।
କେଉଁଠି ସର୍ବାଧିକ, କେଉଁଠି ସର୍ବନିମ୍ନ:
ମେ’ ୨୧ ସୁଦ୍ଧା କରାଯାଇଥିବା ଆକଳନ ଅନୁଯାୟୀ, ମୁମ୍ବଇରେ ପେଟ୍ରୋଲ ଦର ସବୁଠୁ ମହଙ୍ଗା ହୋଇଥିବା ବେଳେ ହାଇଦ୍ରାବାଦରେ ଡିଜେଲ ମୂଲ୍ୟ ସବୁଠାରୁ ବେଶୀ। କେତେକ ସହରରେ ପେଟ୍ରୋଲ ଏବଂ ଡିଜେଲ୍‍ ମୂଲ୍ୟ ମଧ୍ୟରେ ଖୁବ୍‍ କମ୍‍ ତାରତମ୍ୟ ରହିଛି। ଏହି ସମୟ ମଧ୍ୟରେ ପେଟ୍ରୋଲ ଦର ମୁମ୍ବଇରେ ୮୪ଟଙ୍କା ୪୦ପଇସା, ଭୋପାଳରେ ୮୦ ଟଙ୍କା ୮୯ ପଇସା ଏବଂ ପାଟନାରେ ୮୦ ଟଙ୍କା ୮୨ପଇସାରେ ପହଞ୍ଚିଥିଲା। ସେହିଭଳି ପୋର୍ଟ ବ୍ଲେୟାରରେ ପେଟ୍ରୋଲ ମୂଲ୍ୟ ୬୪ଟଙ୍କା ୯୬ ପଇସା ରହିଛି, ଯାହାକି ସବୁଠାରୁ କମ୍‍ ବୋଲି କୁହାଯାଉଛି। ହାଇଦ୍ରାବାଦରେ ଡିଜେଲ୍‍ ମୂଲ୍ୟ ସବୁଠାରୁ ବେଶୀ ୭୨ଟଙ୍କା ୬୦ ପଇସା ଥିବା ବେଳେ ପୋର୍ଟ ବ୍ଲେୟାରରେ ୬୨ଟଙ୍କା ୬୪ ପଇସା ରହିଛି।

ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ମୂଳ କାରଣ:
ବିଶ୍ୱବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ କାରଣରୁ ଚଳିତବର୍ଷ ଦେଶର ମେଟ୍ରୋ ସହରଗୁଡିକରେ ପେଟ୍ରୋଲ୍‍ ମୂଲ୍ୟରେ ପ୍ରାୟ ୬ଟଙ୍କା ୮୧ ପଇସାରୁ ୭ଟଙ୍କା ୨୬ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ୍‍ ମୂଲ୍ୟ ୮ଟଙ୍କା ୩୩ ପଇସାରୁ ୯ଟଙ୍କା ୨୧ ପଇସା ମଧ୍ୟରେ ବୃଦ୍ଧି ପାଇଛି। ଉତ୍ପାଦନ ହ୍ରାସ କାରଣରୁ ମଧ୍ୟ ତୈଳ ରପ୍ତାନୀକାରୀ ରାଷ୍ଟ୍ରଗୁଡିକ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି କରିଛନ୍ତି, ଯାହାକି ୨୦୧୪ ପରଠାରୁ ସର୍ବାଧିକ ବୋଲି କୁହାଯାଉଛି।

ପଡୋଶୀ ରାଷ୍ଟ୍ରରେ ପେଟ୍ରୋଲ ମୂଲ୍ୟ:
ମେ’ ୨୧ ସୁଦ୍ଧା ଭାରତର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୭୪ଟଙ୍କା ୬୦ ପଇସା, ଡିଜେଲ୍‍ ମୂଲ୍ୟ ୬୫ ଟଙ୍କା ୯୦ ପଇସା ଏବଂ କିରାସିନି ମୂଲ୍ୟ ୨୪ଟଙ୍କା ୫୦ ପଇସା ରହିଥିଲା। ସେହିଭଳି ପାକିସ୍ତାନରେ ପେଟ୍ରୋଲ ୫୦ଟଙ୍କା ୬୦ ପଇସାରେ, ଡିଜେଲ୍‍ ୫୭ ଟଙ୍କା ଓ କିରାସିନି ୪୬ଟଙ୍କା ୧୦ ପଇସା ରହିଥିଲା। ବାଂଲାଦେଶରେ ପେଟ୍ରୋଲ ମୂଲ୍ୟ ୬୮ଟଙ୍କା ୪୦ ପଇସା ଥିବା ବେଳେ ଡିଜେଲ୍‍ ଏବଂ କିରାସିନି ମୂଲ୍ୟ ୫୧ ଟଙ୍କା ୭୦ ପଇସା ଲେଖାଏଁ ରହିଥିଲା। ଶ୍ରୀଲଙ୍କାରେ ପେଟ୍ରୋଲ ମୂଲ୍ୟ ୪୯ ଟଙ୍କା ୬୦ ପଇସା ଥିବା ବେଳେ ଡିଜେଲ୍‍ ୪୦ଟଙ୍କା ୩୦ ପଇସା ଏବଂ କିରାସିନି ୧୮ଟଙ୍କା ୬୦ ପଇସା ଥିଲା। ଅନ୍ୟପଟେ ନେପାଳରେ କିରାସିନି ମୂଲ୍ୟ ୬୬ଟଙ୍କା ୬୦ ପଇସା, ଏବଂ ଡିଜେଲ୍‍ ଓ କିରାସିନି ମୂଲ୍ୟ ୫୪ଟଙ୍କା ୭୦ ପଇସା ଲେଖାଏଁ ଥିଲା।
ତୈଳ ଦର ବୃଦ୍ଧିର ପ୍ରଭାବ:
ତୈଳ ଦର ବୃଦ୍ଧି କାରଣରୁ ସାଧାରଣ ନାଗରିକଙ୍କ ଖର୍ଚ୍ଚ ବଢିବ। ଏଥିସହ ଖାଉଟି ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇବ। ମୂଦ୍ରାସ୍ଫିତି ଯୋଗୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର ବୃଦ୍ଧି ଉପରେ ଗୁରୁତ୍ୱ ଦେବ ଯଦ୍ଦ୍ୱାରା ସାଧାରଣ ଲୋକଙ୍କୁ ଋଣ ବାବଦ ଅଧିକ ସୁଧ ଦେବାକୁ ପଡିବ। ଅବଶ୍ୟ ବର୍ଦ୍ଧିତ ସୁଧହାର ଯୋଗୁ ଜମାକାରୀମାନେ ଲାଭବାନ ହେବେ। ଅନ୍ୟପଟେ ବିଦେଶରୁ ସାମଗ୍ରୀ ଆମଦାନୀ ନିମନ୍ତେ ବହୁମୂଲ୍ୟ ଦେବାକୁ ହେବ। ଫଳରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇବ। ଏହାଦ୍ୱାରା ବିଦେଶରେ ବ୍ୟବସାୟ କରୁଥିବା ତଥା ଶିକ୍ଷା ଏବଂ ପର୍ଯ୍ୟଟନ ପାଇଁ ଯୋଜନା କରୁଥିବା ଲୋକେ ବିଶେଷ ପ୍ରଭାବିତ ହେବେ।

ସମାଧାନ-୧ ଏକ୍ସସାଇଡ୍‌ ଡ୍ୟାଟି କମ୍‌ କରାଯାଇ ତୈଳ ଦର କମ୍‌ କରାଯାଇ ପାରିବ

ସମାଧାନ-୨ ଜିଏସ୍‌ଟି ପରିସରକୁ ଆସିଲେ ତୈଳ ଦର କମିଯିବ ।

 

Leave A Reply