nua o banner

କଡ଼ ଲେଉଟାଇବ ରାଜ୍ୟ ରାଜନୀତି

BSKY banner  750×100

ସମାଜ: ବିଦାୟ ନେଇଛି ବର୍ଷ ୨୦୨୩। ରାଜନୈତିକ ଦୃଷ୍ଟିକୋଣରୁ ଏହି ବର୍ଷ ଥିଲା ନିର୍ବାଚନ ପାଇଁ ପ୍ରସ୍ତୁତିର ବର୍ଷ। ଆକ୍ଷେପ-ପ୍ରତିଆକ୍ଷେପ, ଜବାବ-ପ୍ରତିଜବାବ, ନିର୍ବାଚନ ରଣନୀତି ଏବଂ ନୂଆ ଯୋଜନା ତଥା କାର୍ଯ୍ୟକ୍ରମ ଘୋଷଣାରେ ବର୍ଷ ସରିଯାଇଛି। ୨୦୨୪ ହେଉଛି ନିର୍ବାଚନର ବର୍ଷ। ସାଧାରଣ ନିର୍ବାଚନ ସହ ହେବ ଓଡ଼ିଶା ବିଧାନସଭା ପାଇଁ ନିର୍ବାଚନ ହେବ। ଏଥିପାଇଁ ପାଗ ଭିଡ଼ିବା ଆରମ୍ଭ କରିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ। କଡ଼ ଲେଉଟାଇବ ରାଜ୍ୟ ରାଜନୀତି। ଅଧିକ ଆକ୍ରମଣାତ୍ମକ ହେବେ ଶାସକ-ବିରୋଧୀ। ବିଜେଡି କେନ୍ଦ୍ରୀୟ ଅବହେଳାକୁ ପୁଣି ଅସ୍ତ୍ର କରିବ ବୋଲି ଘୋଷଣା କରିସାରିଥିବାବେଳେ କ୍ଷମତା ଦଖଲ ପାଇଁ ରଣନୀତି କରୁଛି ବିଜେପି। ସେହିପରି ରାଜ୍ୟରେ ତୃତୀୟ ସ୍ଥାନକୁ ଚାଲିଯାଇଥିବା କଂଗ୍ରେସ ପୁଣି ସରକାରକୁ ଆସିବା ଲକ୍ଷ୍ୟରେ ମାନସମନ୍ଥନ ଚଳାଇଛି।

୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା କମ୍ପନ। ବିଜେପି ଆର୍‌ ପାର୍‌ ଲଢ଼େଇ କରିଥିଲା। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପିର ଚାଣକ୍ୟ କୁହାଯାଉଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ବହୁ କେନ୍ଦ୍ରୀୟ ନେତା ଘନଘନ ଓଡ଼ିଶା ଆସି କ୍ଷମତାସୀନ ବିଜେଡି ସରକାର ବିରୋଧରେ ପ୍ରବଳ ଗର୍ଜନତର୍ଜନ କରିଥିଲେ। ଏପରିକି ପୋଡ଼ା ଟ୍ରାନ୍ସଫର୍ମର ଆଖ୍ୟା ଦେଇ ସରକାରକୁ ଉପାଡ଼ି ଫୋପାଡ଼ି ଦେବାକୁ ଆହ୍ବାନ ଦେଇଥିଲେ। ମିଶନ ୧୨୦+ ଲକ୍ଷ୍ୟ ନେଇ ଲଢ଼ୁଥିବା ବିଜେପି କେବଳ ୨୦+ରେ ସୀମିତ ହୋଇଗଲା। ହେଲେ ଲୋକସଭା ନିର୍ବାଚନରେ ୨୧ରୁ ୮ଟି ଆସନ ହାତେଇବାରେ ଦଳ ସଫଳ ହେବା ସହ ଭୋଟ ହାର ବଢ଼ିଲା। ଓଡ଼ିଶାରେ ତୃତୀୟ ସ୍ଥାନରେ ଥିବା ବିଜେପି ଦ୍ବିତୀୟ ସ୍ଥାନକୁ ଆସିବା ସହ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଲା। ଦ୍ବିତୀୟରୁ ତୃତୀୟ ସ୍ଥାନକୁ ଖସି ମୁଖ୍ୟ ବିରୋଧୀ ଦଳ ମାନ୍ୟତା ହରାଇଲା କଂଗ୍ରେସ। ଲଗାତାର ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ରାଜ୍ୟରେ ସରକାର ଗଢ଼ିଲା। ଏହାପରଠୁ ଓଲଟପାଲଟ ହୋଇଗଲା ରାଜ୍ୟ ରାଜନୀତି ଚିତ୍ର। ବିଜେପି-ବିଜେଡି ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ

ବହୁ କେନ୍ଦ୍ରୀୟ ନେତା ସଂସଦଠାରୁ ଆରମ୍ଭ କରି ବିଭିନ୍ନ ମଞ୍ଚରେ ଓଡ଼ିଶା ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନଙ୍କ ଭୂୟସୀ ପ୍ରଶଂସା କଲେ। ପ୍ରତି ବଦଳରେ ଗୋଟିଏ ପରେ ଗୋଟିଏ ବିଧେୟକକୁ ସଂସଦରେ ଖୋଲାଖୋଲି ସମର୍ଥନ କରି ଚାଲିଲା ବିଜେଡି। ପ୍ରାୟତଃ ସବୁ ପ୍ରସଙ୍ଗରେ ମୋଦୀ ସରକାରକୁ ସୁହାଇଲା ଭଳି ବିଜେଡି ପଦକ୍ଷେପ ନେଲା। ବର୍ତ୍ତମାନ ରେଳମନ୍ତ୍ରୀ ଥିବା ଅଶ୍ବିନୀ ବୈଷ୍ଣବ ବିଜେଡି ସମର୍ଥନରେ ଓଡ଼ିଶାରୁ ରାଜ୍ୟସଭା ଯିବା ପରେ ଉଭୟ ଦଳ ଭିତରେ ମଧୁର ସମ୍ପର୍କ ଥିବା ଆଲୋଚନା ଜୋର୍‌ ଧରିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ସହ ବିଜେଡିର ଉତ୍ତମ ସମ୍ପର୍କ ସ୍ଥାପନ ରାଜ୍ୟ ବିଜେପିକୁ ଅଡୁଆ ପରିସ୍ଥିତିରେ ପକାଇଥିଲା। ତୃଣମୂଳସ୍ତରରେ ଏହି ବାର୍ତ୍ତା କର୍ମୀଙ୍କୁ ନିରୁତ୍ସାହିତ କଲା। ଯାହାର ଝଲକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଲା। ଏବେ ଗଡ଼ିଛି ସମୟର ଚକ। ଆସିଛି ନିର୍ବାଚନ ୠତୁ। ରଣନୀତି ବଦଳାଇଛି ବିଜେପି। ଏଣିକି ମୁହାଁମୁହିଁ ହେବେ ଦୁଇ ଦଳ। ଅନ୍ୟପକ୍ଷରେ ତେଲଙ୍ଗାନାରେ ଯେପରି କଂଗ୍ରେସ ବାଜି ମାରିଲା, ଓଡ଼ିଶାରେ ଠିକ୍‌ ସେପରି କିଛି କରିବା ଲକ୍ଷ୍ୟରେ ରହିଛି ଦଳ। ୨୦୨୪ ନିର୍ବାଚନ ବର୍ଷ ହୋଇଥିବାରୁ ଆଉ ମାତ୍ର କେଇଟା ଦିନ ଭିତରେ ତୃଣମୂଳସ୍ତରରେ ଅସଲ ଲଢ଼େଇ ହେବ ବୋଲି ରାଜନୈତିକ ସମୀକ୍ଷକ ଅାକଳନ କରୁଛନ୍ତି।

ନିର୍ବାଚନ ପୂର୍ବରୁ ବିଜେଡି ପୁଣି କେନ୍ଦ୍ର ସରକାର ବିରୋଧରେ ଗର୍ଜିବା ଆରମ୍ଭ କରିଛି। ବିଜେଡିରେ ଯୋଗଦେବା ପରେ କାର୍ତ୍ତିକ ପାଣ୍ଡିଆନ୍‌ ବିଭିନ୍ନ ଜିଲା ବୁଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ନନେଇ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଏପରିକି ଧର୍ମେନ୍ଦ୍ର ମାଟି ପାଇଁ କ’ଣ କରିଛନ୍ତି ବୋଲି ସେ ପ୍ରଶ୍ନ କରୁଛନ୍ତି। ପାଣ୍ଡିଆନ୍ ୨୦୨୪ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିଲେ ବି ୧୪୭ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଛରେ ଠିଆ ହେବେ। ଆଗକୁ ମୁଖ୍ୟମନ୍ତ୍ରୀ ଜିଲା ବୁଲିବା ଆରମ୍ଭ କରିପାରନ୍ତି। ତାଙ୍କ ସହ ପାଣ୍ଡିଆନ୍ ମଧ୍ୟ ରହିବେ। ଷଷ୍ଠ ଥର କ୍ଷମତା ଦଖଲ ପାଇଁ ଆଶା ରଖିଥିବା ବିଜେଡି ପୁଣିଥରେ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଗୋଟିଏ ପରେ ଗୋଟିଏ ନୂଆ ଯୋଜନା ବର୍ଷା କରିଚାଲିଛି। ଜାନୁଆରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ। ଆମ ଓଡ଼ିଶା ନବୀନ ଓଡ଼ିଶା ଅଧୀନରେ ପଞ୍ଚାୟତସ୍ତରରେ ହେବ ସଚେତନତା ଶିବିର। ଗାଁ ଗାଁରେ ବୁଲିବ ଜଗନ୍ନାଥ ରଥ। କେବଳ ପରିକ୍ରମା ପ୍ରକଳ୍ପ ନୁହେଁ ଜାନୁଆରୀରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଜନସାଧାରଣଙ୍କୁ ଭେଟି ଦେବାକୁ ଯାଉଛନ୍ତି ସରକାର। ନିର୍ବାଚନୀ ବର୍ଷରେ ପ୍ରକଳ୍ପ ବର୍ଷା ବିଜେଡି ପାଇଁ ଅନେକ ଗୁରୁତ୍ବ ବହନ କରିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ କେନ୍ଦ୍ର ଅବହେଳା ଅସ୍ତ୍ରକୁ ବି ନିର୍ବାଚନ ମୈଦାନରେ ପ୍ରୟୋଗ କରିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ରର ନିରବତା, କୋଇଲା ରୟାଲଟି, ଜାତୀୟ ରାଜପଥ, ରେଳବାଇ ଏବଂ କେନ୍ଦୁପତ୍ରରୁ ଜିଏସ୍‌ଟି ଉଚ୍ଛେଦ ଭଳି ବିଭିନ୍ନ କେନ୍ଦ୍ରୀୟ ପ୍ରସଙ୍ଗରେ ଜବାବ ମାଗିବ ବିଜେଡି।

ଅପରପକ୍ଷରେ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ବଦଳାଇଛି ରଣକୌଶଳ। କେନ୍ଦ୍ରୀୟ ନେତୃତ୍ବଙ୍କ ନଜରରେ ଓଡ଼ିଶା। ରାଜ୍ୟରେ କ୍ଷମତା ଦଖଲ ପାଇଁ ଦଳ ପ୍ରସ୍ତୁତ କରୁଛି ରଣନୀତି। ୨୦୨୪ ଆରମ୍ଭରୁ ଆହୁରି ଆକ୍ରମଣାତ୍ମକ ହେବ ବିଜେଡି ବିରୋଧରେ ବିଜେପିର ଆଭିମୁଖ୍ୟ। ଓଡ଼ିଶା ପାଇଁ ଦଳ ମାଷ୍ଟରପ୍ଲାନ୍ ତିଆରି କରିଛି। ମେଣ୍ଟ ନୁହେଁ, ଏକା ଲଢ଼ିବ ବିଜେପି। ଦାୟିତ୍ବରେ ରହିବେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କେବଳ ଲୋକସଭା ନୁହେଁ, ବିଧାନସଭା ଆସନ ଉପରେ ରହିବ ତୀକ୍ଷ୍ଣ ନଜର। ରାଜ୍ୟ ପଦାଧିକାରୀ ଓ ଜିଲା ସଭାପତିଙ୍କ ବୈଠକରେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଏପରି ବାର୍ତ୍ତା ଦେଇଥିବା ଜଣାପଡ଼ିଛି। ଓଡ଼ିଶାକୁ ୫ରୁ ୬ଟି କ୍ଲଷ୍ଟରରେ ଭାଗ କରି ମୈଦାନକୁ ଓହ୍ଲାଇବାକୁ ନୀଳ ନକ୍‌ସା ପ୍ରସ୍ତୁତ କରୁଛି ଦଳ। ଆଗକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବହୁ କେନ୍ଦ୍ରୀୟ ନେତା ଓଡ଼ିଶା ଆସି ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବେ ବୋଲି କୁହାଯାଉଛି। ମୋଦୀ ସରକାରଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ରାଜ୍ୟ ସରକାରଙ୍କ ବିଫଳତା ବିଷୟରେ ଲୋକଙ୍କୁ ଜଣାଇବ ବିଜେପି। ତା’ସହ ଶ୍ରୀମନ୍ଦିରରେ ୟୁଟ୍ୟୁବର କାମିଆ ଜାନିଙ୍କ ପ୍ରବେଶ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ବିଜେପି ଅସ୍ତ୍ର କରିପାରେ ବୋଲି ଆଲୋଚନା ହେଉଛି।

ସେହିପରି ଦୀର୍ଘ ୨୩ ବର୍ଷ ହେଲା ଓଡ଼ିଶାରେ କ୍ଷମତାଠୁ ଦୂରେଇ ଯାଇଥିବା କଂଗ୍ରେସ ପୁଣିଥରେ ସରକାରକୁ ଫେରିବା ଲକ୍ଷ୍ୟରେ କସରତ ଆରମ୍ଭ କରିଛି। ଉଭୟ ବିଜେଡି ଓ ବିଜେପିକୁ ଚକ୍‌ମା ଦେଇ ତେଲଙ୍ଗାନା ଢାଞ୍ଚାରେ ଦଳ ଓଡ଼ିଶାରେ ସରକାର କରିବ ବୋଲି ବରିଷ୍ଠ ନେତାମାନେ ଯୁକ୍ତି ବାଢ଼ୁଛନ୍ତି। ଏଥିପାଇଁ ଦଳ ମାନସମନ୍ଥନ ଚଳାଇଛି। ନିକଟରେ ଦଳର ବରିଷ୍ଠ ନେତା ଦିଲ୍ଲୀ ଯାଇ କେନ୍ଦ୍ରୀୟ ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରିଥିଲେ। ଆଗକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ କେନ୍ଦ୍ରୀୟ ନେତାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଭାରତ ନ୍ୟାୟ ଯାତ୍ରା ସମୟରେ ରାହୁଲଙ୍କ ଓଡ଼ିଶା ଗସ୍ତ ଦଳ ପାଇଁ ସଞ୍ଜିବନୀ ହେବ ବୋଲି ନେତା ଆଶା ରଖିଛନ୍ତି। ନିର୍ବାଚନ ପୂର୍ବରୁ ଦଳର ରାଜ୍ୟ ପ୍ରଭାରୀ ମଧ୍ୟ ବଦଳିଛନ୍ତି। ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆଗକୁ ତୀବ୍ରତର କରିବା ସହ ଏହା ଲୋକଙ୍କ ପାଖକୁ ନେବାକୁ ସଜବାଜ ହେଉଛି। କେବଳ ବିଜେଡି ନୁହେଁ ରାଜ୍ୟରେ ବିଜେପି ବିରୋଧରେ ମଧ୍ୟ ଶାଣିତ ସ୍ବର ଉତ୍ତୋଳନ କରିବ କଂଗ୍ରେସ। ତେବେ ତୃଣମୂଳସ୍ତରରେ ସଂଗଠନକୁ ପୁଣିଥରେ ସଜାଡ଼ିବା ଦଳ ପାଇଁ ନିର୍ବାଚନ ପୂର୍ବରୁ ବଡ଼ ଆହ୍ବାନ ହେବ ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି।

Comments are closed.