ଆଠଗଡ଼: ଆଠଗଡ଼ ସହରର ରାସରସିକପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୪ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଆଇନଜୀବୀ ଅଦ୍ୱୈତ ଚରଣ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଯୋଗଦେଇ କଠିନ ଅଧ୍ୟବସାୟ ଦ୍ୱାରା ବିଦ୍ୟାର୍ଥୀ ଶିକ୍ଷାରେ ଭଲ ପ୍ରଦର୍ଶନ କରି ଉଚ୍ଚ ପ୍ରତିଷ୍ଠିତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ପ୍ରଫେସର ଡଃ ନାରାୟଣ ପଣ୍ଡା ଯୋଗଦେଇ ସଂସ୍କାର ହେଉଛି ଶିକ୍ଷାର ମୂଳଦୂଆ ଏବଂ ଏହି ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଭାରତୀୟ ସଂସ୍କୃତିକୁ ପାଥେୟ କରି ସରସ୍ୱତୀ ଶିଶୁମନ୍ଦିର ଗୁଡିକରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦ୍ୱାରା ଅନ୍ୟାନ୍ୟ ବିଦ୍ୟାଳୟ ଅପେକ୍ଷା ଏହି ବିଦ୍ୟାଳୟ ଗୁଡିକରେ ବିଦ୍ୟାର୍ଥୀଙ୍କର ପ୍ରଦର୍ଶନ ଉଚ୍ଚମାନର ହେଉଛି ବୋଲି ମତପ୍ରକାଶ କରିଥିଲେ।
ଏଥିରେ ସମ୍ମାନିତ ଅତିଥି ଭାବେ ନଗରପାଳ ସସ୍ମିତା ରାଉତ, ସହକାରୀ ବ୍ଲକ ଶିକ୍ଷାଧିକାରୀ ଅଜୟ ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ତଥା ଶିକ୍ଷାବିକାଶ ସଂସ୍ଥାର ସଭାପତି ଶରତ ଚନ୍ଦ୍ର ସାମନ୍ତ ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ପରେ ବିିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା, ବୃତ୍ତି ପରୀକ୍ଷା ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।



