ଚାଷୀଙ୍କ ଧାନ ତଳି ନଷ୍ଟ କଲେ ଜଙ୍ଗଲୀ ହାତୀ ପଲ
ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ଖଳାଶୁଣି ବନ୍ୟପ୍ରାଣୀ ଅଭୟାରଣ୍ୟ କିସିଣ୍ଡା ରେଞ୍ଜ ଅନ୍ତର୍ଗତ ଉପରମୁଣ୍ଡା ସେକ୍ସନର ବଳମ ଗ୍ରାମରେ ଗତ କିଛି ଦିନ ହେଲା ଲାଗତର ଭାବେ ଜଙ୍ଗଲୀ ହାତୀ ପଲଙ୍କ ଉପଦ୍ରଵ ଲାଗି ରହିଛି। ଏହି ହାତୀ ଉପଦ୍ରବରେ ଗ୍ରାମର ଚାଷୀ ମାନଙ୍କର ବ୍ୟାପକ କ୍ଷୟକ୍ଷତି ଘଟିଥିବା ଅଭିଯୋଗ ହୋଇଛି। ହାତୀ ପଲ ସନ୍ଧ୍ୟା ହେଵା ମାତ୍ରେ ନିକଟସ୍ଥ ଜଙ୍ଗଲରୁ ଗାଁ ମୁଣ୍ଡରେ ଥିବା ଧାନ କ୍ଷେତ ଭିତରକୁ ଚାଲି ଆସି ଉପଦ୍ରଵ କରିବାରେ ଲାଗିଛନ୍ତି। ଏହି ହାତୀ ପଲ ରେ ଛୋଟ ବଡ଼ ପ୍ରାୟ ୧୫ରୁ ଅଧିକା ହାତୀ ଥିବା ପ୍ରତ୍ୟକ୍ଷଦର୍ଶୀ ଗ୍ରାମବାସୀ ପ୍ରକାଶ କରିଛନ୍ତି। ହାତୀ ପଲ ଧାନ କ୍ଷେତରେ ପଶି ଚାଷୀ ମାନେ ଜମିରେ ପକାଇଥିବା ଧାନ ତଳି ସବୁ ଦଳି ଚକଟି ନଷ୍ଟ କରିଦେଉଛନ୍ତି। ଏହି ହାତୀ ପଲ ଯେଉଁ ମାର୍ଗରେ ଯାଉଛନ୍ତି ସେ ସବୁ ଜମିରେ ଥିବା ଧାନ ଗଛ ସବୁ ହାତୀ ମାନଙ୍କର ପାଦ ତଳେ ଚାପି ହୋଇ ନଷ୍ଟ ହୋଇଯାଉଛି। ଏତେ ମାତ୍ରାରେ ଗଛ ସବୁ ନଷ୍ଟ ହୋଯାଉଛି ଯେ ଚାଷୀ ମାନେ ତଳି ରୁ ଆଉ ଧାନ ପହ୍ଲା ଉପାଡି ଜମିରେ ରୋଇ ପାରିବେ ନାହିଁ। କେବଳ ଧାନ ତଳି ନୁହେଁ ବାଡ଼ି ବଗିଚାରେ ପଶି ମଧ୍ୟ ଗଛ ସବୁ ଭାଙ୍ଗି ରୁଜି ଦେଉଛନ୍ତି। ଗତ ପ୍ରାୟ ୫ ଦିନ ହେବ ବଳମ ସମେତ ଆଖ ପାଖ ଗ୍ରାମରେ ଏହି ହାତୀ ଉପଦ୍ରଵ ଜାରି ରହିଛି। ଗୁରୁବାର ରାତ୍ରିରେ ଏହି ହାତୀ ଉପଦ୍ରବରେ ବଳମ ଗ୍ରାମର ପବିତ୍ର ବିଶ୍ୱାଳ, କେଦାର ବିଶ୍ୱାଳ, ବାବୁଲାଲ ପ୍ରଧାନ, ଲଛମନ ପ୍ରଧାନ, ଜଗବନ୍ଧୁ ସେଠୀ, ଦୁର୍ଗାଚରଣ ପ୍ରଧାନ, କୁଶଧର ପ୍ରଧାନ, କାଶୀନାଥ ପ୍ରଧାନ, ପତିତପାବନ ପ୍ରଧାନ ସମେତ ବହୁ ଚାଷୀଙ୍କର ପ୍ରାୟ ୧୦ ଏକରରୁ ଅଧିକ ପହ୍ଲା ତଳି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ସେହି ପରି ଏହି ହାତୀ ପଲ ଗତ ରାତିରେ ଗ୍ରାମର ଅମୁଲ୍ୟ ସାହୁଙ୍କ ବାଡ଼ିରେ ପଶି ବହୁ ସଂଖ୍ୟକ କଦଳୀ ଏବଂ ନଡ଼ିଆ ଗଛ ଭାଙ୍ଗି ରୁଜି ନଷ୍ଟ କରିବା ସହ ଫଳ ସବୁ ଖାଇ ଯାଇଥିବା ଜଣାପଡିଛି। ଖବର ପାଇ ବିଭାଗୀୟ କର୍ମଚାରୀ ମାନେ ଶୁକ୍ରବାର ସକାଳୁ ଘଟଣାସ୍ଥଳରେ ପହଞ୍ଚି ହାତୀ ଉପଦ୍ରବରେ କ୍ଷୟକ୍ଷତି ଅନୁଧ୍ୟାନ କରିଥିବା ଜଣାପଡିଛି। ତେବେ ସମ୍ପୃକ୍ତ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବା ସହ ତୁରନ୍ତ କ୍ଷତିଗ୍ରସ୍ଥ ଚାଷୀ ମାନଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ କ୍ଷତିଗ୍ରସ୍ଥ ଚାଷୀ ମାନେ ଦୃଢ଼ ଦାବୀ କରିଛନ୍ତି।
ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in
ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG
ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43
Comments are closed.