www.samajalive.in
Saturday, December 6, 2025
15.1 C
Bhubaneswar

ପିପିଲିରେ ବଢ଼ି ଚାଲିଛି ସରକାରୀ ଜମି ଜବରଦଖଲ

ପିପିଲି: ପିପିଲି ଅଞ୍ଚଳରେ ସରକାରୀ ଜମି ଜବରଦଖଲ ବଢ଼ିଚାଲିଛି। ଖାଲି ପଡ଼ିଥିବା ସରକାରୀ ଜମିକୁ ଯିଏ ଯୋଉଠି ପାଉଛି ଜବରଦଖଲ କରୁଛି। ବିଲଡର ଓ ଜମିଦଲାଲ ମାନେ ମଧ୍ୟ ସରକାରୀ ଜମିକୁ ଅକ୍ତିଆର କରି ନିଜର ବ୍ୟବସାୟ ଚଳାଇଥିବା ଅଭିଯୋଗ ହୋଇଛି। ନଦୀ ପଠା ଓ ଗୋଚର ଜମିରୁ କେତେକ ମାଫିଆ ବେଆଇନ ଭାବେ ମାଟି ଖୋଳି ବିକ୍ରୀ କରୁଥିବା ଅଭିଯୋଗ ହୋଇଛି। ଏଥିଯୋଗୁଁ ସ୍ଥାନୀୟ ଅଧିବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ସୂଚନା ମିଳିଛି।

ପିପିଲି ତହସିଲ ଅଞ୍ଚଳରେ ଦିନକୁ ଦିନ ସରକାରୀ ଜମି ଜବରଦଖଲ ଘଟଣା ବଢ଼ିଚାଲିଛି। ପିପିଲି ଅଞ୍ଚଳ ଏବେ ବିଲଡର ଓ ଜମି ଦଲାଲଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି। ଗରୀବ ଚାଷୀଙ୍କୁ ବିଭିନ୍ନ ପ୍ରକାର ଲୋଭନୀୟ ପ୍ରତିଶୃତି ଦେଇ ଦଲାଲଙ୍କ ଜରିଆରେ ବିଲଡର ମାନେ ଅତିଶସ୍ତାରେ ଚାଷଜମି କ୍ରୟ କରୁଛନ୍ତି। ଉକ୍ତ ଜମିରେ ବିଲଡର ମାନେ ସେମାନଙ୍କର ପ୍ରକଳ୍ପ ନିର୍ମାଣ କରୁଥିବା ବେଳେ ଉକ୍ତ ଜମି ସଂଲଗ୍ନ ସରକାରୀ ଜମି ଓ ସଫେଇନାଳ ଆଦିକୁ ଜବରଦଖଲ କରୁଥିବା ଅଭିଯୋଗ ହୋଇଛି। ଏଥିସହ ମୋଟା ଅଙ୍କର ଅର୍ଥ କାରବାର କରି ଗ୍ରୀନଲ୍ୟାଣ୍ଡ ଚକ ଜମିକୁ ଅତି ସହଜରେ କିସମ ପରିବର୍ତ୍ତନ କରାଯାଇ ଘରବାରି ଜମିରେ ପରିଣତ କରାଯାଉଥିବା ଅଭିଯୋଗ ହୋଇଛି। ବିଭିନ୍ନ ରାଜସ୍ୱ ମୌଜାରେ ଥିବା ଅନେକ ଚକଯୋଗ୍ୟ ଓ ଚକଅଯୋଗ୍ୟ ଜମିକୁ ଚାଷୀଙ୍କ ଠାରୁ ଅତି ଶସ୍ତାରେ ବିଲଡର ମାନେ କ୍ରୟ କରି ଉକ୍ତ ଜମି ପାର୍ଶ୍ବରେ ଥିବା ସରକାରୀ, ଗୋଚର, ଅନାବାଦି, ଚକନାଳି, ଚକରାସ୍ତା ଆଦି ଜମିକୁ ଜବରଦଖଲ କରିଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଚାଷୀଙ୍କ ବ୍ୟବହାର ପାଇଁ ଉଦ୍ଧିଷ୍ଟ ବହୁ ଚକରାସ୍ତା ଓ ଚକନାଳି ଏବେ ବିଲଡରଙ୍କ କବ୍‌‌ଜାରେ ରହିଥିବା ଜଣାଯାଇଛି। ଫଳରେ ଗାଈଗୋରୁଙ୍କ ଚରିବା ପାଇଁ ଚାରଣ ଭୂମିର ଅଭାବ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଉତ୍ତରା ବଜାର ଠାରୁ ସାତଶଙ୍ଖ ମଧ୍ୟରେ ଏବଂ ପିପିଲି-ଜଟଣୀ ରାସ୍ତାର ଉଭୟ ପାର୍ଶ୍ବ ଓ ପିପିଲି ପୌରାଞ୍ଚଳର ମୁଖ୍ୟରାସ୍ତାର ଉଭୟ ପାର୍ଶ୍ବରେ ଥିବା ସରକାରୀ ଜମି, ନୟନଜୋରୀ ଓ ସଫେଇନାଳୀ ଆଦିକୁ ବିଭିନ୍ନ ସ୍ଥାନରେ କେତେକ ମୁଷ୍ଟିମେୟ ବ୍ୟକ୍ତି ବେଆଇନ ଭାବେ ପୋତି ତା’ଉପରେ ନିଜର ସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ କରିବା ଫଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। କେତେକ ସ୍ଥାନରେ ସଫେଇନାଳୀ ଉପରେ ଛାତ ପକାଯାଇ ଦୋକାନ ଘର ନିର୍ମାଣ କରାଯାଇଥିବା ମଧ୍ୟ ପରିଲକ୍ଷିତ ହୋଇଛି। ସରକାରୀ ସମ୍ପତ୍ତିର ଉଦ୍ଧାର ଓ ସୁରକ୍ଷା ଦିଗରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି କରାଯାଇଛି। ତେବେ, ଏ ସଂପର୍କରେ ପିପିଲି ତହସିଲଦାର ଦିଲିପ କୁମାର ମାଝୀଙ୍କୁ ପଚାରିବାରେ ସରକାରୀ ଜମି ଜବରଦଖଲ ସଂପର୍କରେ ନିର୍ଦ୍ଧିଷ୍ଟ ଅଭିଯୋଗ ଆସିଲେ ତଦନ୍ତ କରାଯାଇ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories