nua o banner

ନୂଆବର୍ଷରେ ଗଠନ ହେବ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ

BSKY banner  750×100

ସମାଜ: ନୂଆବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ତଥା ଷଷ୍ଠତମ ରାଜ୍ୟ ଅର୍ଥ ଆୟୋଗ ଗଠନ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଷୋଡ଼ଶତମ ଅର୍ଥ ଆୟୋଗ ଗଠନ ନେଇ ବିଜ୍ଞପ୍ତି ଜାରି ହେବା ପରେ ରାଜ୍ୟ ଅର୍ଥ ଆୟୋଗ ଗଠନ ପାଇଁ ବାଟ ଫିଟିଛି।

ଭାରତ ସରକାରଙ୍କ ପକ୍ଷରୁ ରବିବାର ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିୟାଙ୍କୁ ଷୋଡଶତମ କେନ୍ଦ୍ରୀୟ ଅର୍ଥ ଆୟୋଗ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହି ଆୟୋଗରେ ଅର୍ଥ ମନ୍ତ୍ରଣାଳୟର ଯୁଗ୍ମସଚିବ ରିତ୍ତ୍ବିକ ପାଣ୍ଡେ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୦୦ ରୁ ୨୦୦୫ ମଧ୍ୟରେ ରାଜ୍ୟରେ ପ୍ରଥମ ଅର୍ଥ ଆୟୋଗ ଗଠନ ହୋଇଥିଲା। ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ବିଚାରପତି ଏସ.କେ. ମହାନ୍ତି ନିଯୁକ୍ତ ହୋଇଥିଲେ। ମାତ୍ର ସେ ୧୯୯୬ ନଭେମ୍ବର ୨୧ରୁ ଦାୟିତ୍ବ ଗ୍ରହଣ କରିଥିଲେ ହେଁ ପରବର୍ତ୍ତୀ ସମୟରେ ୧୯୯୮ ଅଗଷ୍ଟ ୨୪ରେ ଡ. ବୈଦ୍ୟନାଥ ମିଶ୍ର ଏହାର ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ରାଜ୍ୟ ପ୍ରଥମ ଅର୍ଥ ଆୟୋଗଙ୍କ ରିପୋର୍ଟ ୧୯୯୮ ଡିସେମ୍ବର ୧୨ରେ ଦାଖଲ ହୋଇଥିଲା।

ସେହିପରି ୨୦୦୫ରୁ ୨୦୧୦ ମଧ୍ୟରେ ଦ୍ବିତୀୟ ରାଜ୍ୟ ଅର୍ଥ ଆୟୋଗ ଅଧ୍ୟକ୍ଷ ଭାବେ ତ୍ରିଲୋଚନ କାନୁନଗୋ ଦାୟିତ୍ବ ନିର୍ବାହ କରିଥିବାବେଳେ ତୃତୀୟ ରାଜ୍ୟ ଅର୍ଥ ଆୟୋଗ ଅଧ୍ୟକ୍ଷ ୨୦୧୦-୨୦୧୫ ମଧ୍ୟରେ ପ୍ରଫେସର ସୁଧାକର ପଣ୍ଡା, ଚତୁର୍ଥ ରାଜ୍ୟ ଅର୍ଥ ଆୟୋଗ ଅଧ୍ୟକ୍ଷ ଭାବେ ଚିନ୍ମୟ ବସୁ ଏବଂ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଅଧ୍ୟକ୍ଷ ଭାବେ ଡ. ରବିନାରାୟଣ ସେନାପତି ୨୦୧୮ ମେ’ ୫ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ୨୦୧୯ ଅଗଷ୍ଟ ୨ରେ ଶ୍ରୀ ସେନାପତି ତାଙ୍କ ରିପୋର୍ଟ ଦାଖଲ କରିଥିଲେ। ଏହାର ୬ମାସ ପରେ ଆକ୍ସନ ଟେକେନ ରିପୋର୍ଟ(ଏଟିଆର) ଦାଖଲ ହୋଇଥିଲା।

କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଗଠନ ନେଇ ସମ୍ଭାବନା ଦେଖାଦେଇଛି। ଆଗାମୀ ଦିନରେ ସାଧାରଣ ନିର୍ବାଚନ ରହିଥିବାରୁ ରାଜ୍ୟର ବିଶିଷ୍ଟ ଅର୍ଥନୀତିଜ୍ଞ ଓ ଅର୍ଥ ବିଶାରଦଙ୍କୁ ନେଇ ସରକାର କେବେ ଷଷ୍ଠ ଅର୍ଥ ଆୟୋଗ ଗଠନ କରିବେ ତାହାକୁ ନେଇ ଅର୍ଥ ବିଶାରଦଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି।

Comments are closed.