mission shakti banner

ଆଜି ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ

ବିମାନବନ୍ଦର ଛକରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ଶୋ’

nua o banner

ସମାଜ: ନୂଆବର୍ଷରେ ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଆୟୋଜନ ହୋଇଛି। ଭୁବନେଶ୍ବର ବିମାନବନ୍ଦର ଛକରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ହେବ ଜନସାଧାରଣଙ୍କ ସମାଗମ। ମୁଖ୍ୟମନ୍ତ୍ରୀ ରୋଡ଼ ଶୋ’ କରି ମେଟ୍ରୋ ରେଳ ପ୍ରକଳ୍ପ ଶିଳାନ୍ୟାସ କରିବାକୁ ଯିବେ। ବିଭିନ୍ନ ଛକରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବେ ଏବଂ ଲୋକେ ସମ୍ବର୍ଦ୍ଧନା ଦେବେ।

ସୂଚନା ଅନୁସାରେ, ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦର ଛକରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ରୋଡ଼ ଶୋ’ କରି ଯିବେ। ବିମାନ ବନ୍ଦର ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ତ୍ରିଶୂଳିଆ ଅଭିମୁଖେ ଯାତ୍ରା କରିବେ ମୁଖ୍ୟମନ୍ତ୍ରୀ। କ୍ୟାପିଟାଲ ହସ୍ପିଟାଲ ଛକ, ୧୨୦ ବାଟାଲିୟନ୍ ନିକଟ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ପଟିଆ ଇଣ୍ଡିଆନ୍ ଅଏଲ ଛକ, କିଟ୍ ଛକ, ନନ୍ଦନ ବିହାର ଏବଂ ରଘୁନାଥପୁରରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ରାସ୍ତାରେ ଫୁଲ ବିଞ୍ଚିବେ। ନନ୍ଦନକାନନ ଛକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିବେ। ଏହାପରେ ସେଠାରୁ ପୁଣି ତ୍ରିଶୂଳିଆ ଅଭିମୁଖେ ରୋଡ଼ ଶୋ’ରେ ଯିବା ସମୟରେ ବାରଙ୍ଗ ଛକ ଏବଂ ଫୁଲପୋଖରୀ ଠାରେ ଜନସାଧାରଣ ସମ୍ବର୍ଦ୍ଧନା ଦେବେ। ତ୍ରିଶୂଳିଆଠାରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ୨୦୨୪ ନିର୍ବାଚନ ପୂର୍ବରୁ ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ରାଜ୍ୟ ସରକାରଙ୍କ ଏକ ବଡ଼ ଭେଟି ହୋଇଥିବାରୁ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ରୂପରେଖ ପ୍ରସ୍ତୁତ ହୋଇଛି। ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବାବେଳେ କାର୍ଯ୍ୟକ୍ରମକୁ ସଫଳ କରିବାକୁ ବିଜେଡି ନେତାମ‌ାନେ ଲାଗି ପଡ଼ିଛନ୍ତି। ଏକାମ୍ର, ମଧ୍ୟ, ଉତ୍ତର ଓ ବାଙ୍କୀ ନିର୍ବାଚନମଣ୍ଡଳୀରୁ ହଜାର ହଜାର ସଂଖ୍ୟାରେ ଲୋକ ଆସି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ

ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିଶୂଳିଆ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ପାଇଁ ଭୁବନେଶ୍ବର ମେଟ୍ରୋ ରେଲ୍ କର୍ପୋରେସନ୍ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍‌ (ଡିଏମ୍‌ଆର୍‌ସି) ସହ ଚୁକ୍ତିନାମା ସ୍ବାକ୍ଷର କରିଛି। ଏହି ପ୍ରକଳ୍ପ ନିମନ୍ତେ ଡିଏମ୍‌ଆର୍‌ସି ଟର୍ଣ୍ଣ କି’ କନ୍‌ସଲଟାଣ୍ଟ ଭାବେ କାର୍ଯ୍ୟ କରିବ। ୪ ବର୍ଷରେ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ୬ ହଜାର ୨୫୫ କୋଟି ଟଙ୍କାରେ ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଥିଲେ। ଓଡ଼ିଶା ଇତିହାସରେ କୌଣସି ଭିତ୍ତିଭୂମି ପ୍ରକଳ୍ପରେ ଏହା ସର୍ବବୃହତ୍ ବିିନିଯୋଗ ବୋଲି କୁହାଯାଉଛି। ରାଜ୍ୟ ସରକାର ପ୍ରକଳ୍ପର ସମସ୍ତ ଖର୍ଚ୍ଚ ବହନ କରିବେ। ୨୦୧୯ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟରୁ ଏହା ଅନ୍ୟତମ। ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପ୍ରକଳ୍ପ ଘୋଷଣା କରିଥିଲେ। ୨୬ କି.ମି. ମେଟ୍ରୋ ପଥ ପାଇଁ ଡିପିଆର୍ ପ୍ରସ୍ତୁତ ହୋଇଥିବାବେଳେ କ୍ୟାପିଟାଲ ହସ୍ପିଟାଲ, ରାଜମହଲ ଛକ, ଜୟଦେବ ବିହାର ଛକ ଏବଂ ପଟିଆ ଛକ ସମେତ ୨୦ ମେଟ୍ରୋ ଷ୍ଟେସନ୍‌ ରହିବ। ଅତ୍ୟାଧୁନିକ କୋଚ୍‌ ଏବଂ ସିଗ୍‌ନାଲ୍ ବ୍ୟବସ୍ଥା କରାଯିବ। ଏହାସହ ଉନ୍ନତ ଟିକଟ ପ୍ରଦାନ ବ୍ୟବସ୍ଥା ରହିବ।

Comments are closed.