nua o banner

୪ରେ ଚିଲିକାରେ ପକ୍ଷୀ ଗଣନା

BSKY banner  750×100

ସମାଜ: ଜାନୁଆରୀ ୪ ତାରିଖରେ ଚିଲିକାରେ ପକ୍ଷୀ ଗଣନା ହେବ। ୫ଟି ରେଞ୍ଜ ରମ୍ଭା, ବାଲୁଗାଁ, ସାତପଡ଼ା, ଟାଙ୍ଗୀ ଓ ଚିଲିକାରେ ପକ୍ଷୀ ଗଣନା କରାଯିବ। ରବିବାର ବାଲୁଗାଁ ବନ୍ୟପ୍ରାଣୀ ବିଭାଗୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଏଫ୍‌ଓ ଅମ୍ଳାନ କୁମାର ନାୟକ ଏନେଇ ସୂଚନା ଦେଇଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକାକୁ ଚଳିତ ବର୍ଷ ଅକ୍ଟୋବର ଶେଷ ସପ୍ତାହଠାରୁ ବିଦେଶାଗତ ପକ୍ଷୀଙ୍କ ସୁଅ ଆରମ୍ଭ ହୋଇଥାଏ। ବର୍ତ୍ତମାନ ଚିଲିକାକୁ ପ୍ରାୟ ୯ଲକ୍ଷରୁ ଊର୍ଦ୍ଧ୍ବ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥିବା ବିଭାଗ ପକ୍ଷରୁ ପ୍ରାଥମିକ ଆକଳନ କରାଯାଇଛି। ତେବେ ଚିଲିକା ମଧ୍ୟରେ ଥିବା ପକ୍ଷୀ ଅଭୟାରଣ୍ୟ ନଳବଣରେ ପ୍ରାୟ ୩ଲକ୍ଷରୁ ଊର୍ଦ୍ଧ୍ବ ପକ୍ଷୀ ଅବସ୍ଥାପିତ କରିଥିବା ବେଳେ ଭୁଷଣ୍ଡପୁର, ମଙ୍ଗଳାଯୋଡ଼ି, ସୋରଣ, ସୁନ୍ଦରପୁର, କାଳୁପଡ଼ା ପ୍ରଭୃତି ବାହାର ଚିଲିକା ଅଞ୍ଚଳକୁ ୬ଲକ୍ଷରୁ ଅଧିକ ପକ୍ଷୀ ଆଗମନ ହୋଇଛନ୍ତି। ବର୍ତ୍ତମାନ ପ୍ରାୟ ୧୧୮ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଛି। ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟାରେ ୟୁରାସିଆନ୍‌ ୟୁଜିୟନ ୧ଲକ୍ଷ ୨୦ହଜାର, ନର୍ଦନ ପିଣ୍ଟେଲ୍‌ ୮୧ହଜାର, ଗଡ଼ୱାଲ ୭୫ହଜାର ଜାତିର ପକ୍ଷୀ ଚିହ୍ନଟ କରାଯାଇଛି। ବିଶେଷକରି ଚିଲିକାକୁ ଶୋଭା ବର୍ଦ୍ଧନ କରୁଥିବା ଆକର୍ଷଣୀୟ ଫ୍ଲେମିଙ୍ଗୋ ପ୍ରଜାତିର ପକ୍ଷୀ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୩୫୦ଟି ଦୃଷ୍ଟିଗୋଚର ହୋଇଥିବା ଜଣାଯାଇଛି। ଗତବର୍ଷ ୬୦ଟି ଏପ୍ରକାର ପକ୍ଷୀ ଦୃଷ୍ଟିଗୋଚର ହୋଇଥିଲା। ବିଗତ ବହୁ ବର୍ଷ ଧରି ବିଲୁପ୍ତ ଥିବା ପଲାସ ଇଗଲ ନାମକ ପକ୍ଷୀ ଚଳିତ ବର୍ଷ ଗୋଟିଏ ଦେଖିବାକୁ ମିଳିଛି। ଏହି ପକ୍ଷୀ ବିଶେଷକରି ହିମାଳୟରେ ଅବସ୍ଥାନ କରିଥାନ୍ତି। ଏହାର ଓଜନ ସମସ୍ତ ପକ୍ଷୀଙ୍କ ଠାରୁ ଅଧିକ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି।

ବର୍ତ୍ତମାନ ଚିଲିକା କେବଳ ପକ୍ଷୀତୀର୍ଥ ହୋଇ ରହିନାହିଁ। ଏଠାରେ ଇରାୱାଡି ଡଲଫିନ୍‌ ଅନ୍ୟତମ ଆକର୍ଷଣ ପାଲଟିଛି। ବିଗତ ପ୍ରାୟ ୨୦ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏଠାରେ ଇରାୱାଡି ଡଲଫିନ୍‌ଙ୍କ ମନଲୋଭା ଜଳକ୍ରୀଡ଼ା ପର୍ଯ୍ୟଟକଙ୍କୁ ବିମୋହିତ କରିପାରିଛି। ଲକ୍ଷ ଲକ୍ଷ ରଙ୍ଗବେରଙ୍ଗ ବିଦେଶାଗତ ପକ୍ଷୀଙ୍କ କାକଳି ଓ ଇରାୱାଡି ଡଲଫିନ୍‌ର ଜଳ କ୍ରୀଡ଼ା ଯୋଗୁଁ ଚିଲିକା ଉତ୍ସବମୁଖରିତ। ଏହାକୁ ଉପଭୋଗ କରିବା ନିମନ୍ତେ ବାଲୁଗାଁ ଠାରୁ କାଳୀଜାଈ ମୋଟର ବୋଟ୍‌ ଆସୋସିଏସନ୍‌, ବଡକୂଳଠାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଘରୋଇ ମୋଟର ବୋଟ୍‌ ଆସୋସିଏସନ୍‌ ଏବଂ ସାତପଡା ଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଘରୋଇ ମୋଟର ବୋଟ୍‌ ଆସୋସିଏସନ୍‌ ପକ୍ଷରୁ ମୋଟର ବୋଟ୍‌ ସେବା ଯୋଗାଇ ଆସୁଛନ୍ତି।

ଚିଲିକାରେ ବିଦେଶାଗତ ପକ୍ଷୀମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସ୍ଥଳଭାଗରେ ଜନସାଧାରଣଙ୍କୁ ସଚେତନତା କରିବା ସହ ଭୁଷଣ୍ଡପୁର, ସୋରଣ, କାଳୁପଡ଼ା ଆଦି ଅଞ୍ଚଳରେ କ୍ୟାମ୍ପ କରାଯାଇଛି ଏବଂ ୨୧ଟି ଭ୍ରାମ୍ୟମାଣ ଦଳ ବୋଟ୍‌ ମାଧ୍ୟମରେ ପାଟ୍ରୋଲିଂ ପାଇଁ ନିୟୋଜିତ କରାଯାଇଛି। ଚିଲିକାର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ପକ୍ଷୀ ଶିକାରୀଙ୍କ ଉପରେ ତୀକ୍ଷ୍ନ ନଜର ରଖାଯାଇଥିବା ବନ୍ୟପ୍ରାଣୀ ବିଭାଗୀୟ ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ଏସିଏଫ୍‌ ପ୍ରମୋଦ ସେଠୀ ଏବଂ ରେଞ୍ଜର ରଶ୍ମିତା ଜେନାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.