ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ଆଠଗଡ଼: ଆଠଗଡ଼ ବାଣୀକଣ୍ଠନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୮ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପରିଚାଳନା କମିଟି ସଭାପତି ତ୍ରିଲୋଚନ ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ବିବିଧତା ଭିତରେ ଏକତା ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ। ଭାରତରେ ପ୍ରାଚୀନ କାଳରୁ ଗୁରୁଶିଷ୍ୟ ପରମ୍ପରା ଏକ ଶ୍ରେଷ୍ଠ ନିଦର୍ଶନ ଏବଂ କୋମଳମତି ଛାତ୍ରଛାତ୍ରୀଙ୍କୁ ସୁନାଗରିକ ଭାବେ ଗଢିତୋଳିବା ଓ ସେମାନଙ୍କୁ ଉଚିତ୍ ମାର୍ଗ ପ୍ରଦର୍ଶନ କରିବା ଗୁରୁଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ସେ ପ୍ରକାଶ କରିଥିଲେ। ଆଜି ବିଜ୍ଞାନ ବହୁ ପ୍ରଗତି କରିଥିଲେ ମଧ୍ୟ ତାହା ପିଲାମାନଙ୍କୁ ପ୍ରେରଣା ଯୋଗାଇ ପାରିବ ନାହିଁ, ବରଂ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ସେମାନଙ୍କୁ ପ୍ରେରଣା ଦେଇପାରିବେ ବୋଲି ଶ୍ରୀ ସ୍ୱାଇଁ କହିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ନଗରପାଳ ସସ୍ମିତା ରାଉତ, ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତି ଶ୍ରୁତିଧର ପ୍ରଧାନ ଏବଂ ମୁଖ୍ୟବକ୍ତା ରୂପେ ସଂସ୍କୃତ ଭାରତୀ ପୂର୍ବ କ୍ଷେତ୍ର ସଂଯୋଜକ ନୃସିଂହ ପଣ୍ଡା ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ବରିଷ୍ଠ ଗୁରୁଜୀ ନିଳମଣୀ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଂପାଦକ ଦେବପ୍ରସାଦ ସେଠୀ, ସଭ୍ୟ ସୁଶିଲ କୁମାର ରାଉତ, ଅରୁଣ କୁମାର ସାହୁଙ୍କ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହି ଅବସରରେ ଶିଶୁମନ୍ଦିରର ଛାତ୍ରଛାତ୍ରୀ ଚିତାକର୍ଷକ ନାଚଗୀତ ପରିବେଷଣ କରିବା ସହିତ ‘ସାତ ସବାରୀରେ ମିଛ ସପନ’ ଶୀର୍ଷକ ଏକ ସଚେତନଧର୍ମୀ ନାଟକ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। ଶେଷରେ ସଭାପତି ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ଆଠଗଡ଼: ଆଠଗଡ଼ ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମରେ ପ୍ରତିଷ୍ଠିତ ହରିହରାନନ୍ଦ ଶିକ୍ଷାଶ୍ରମର ୨ୟ ବାର୍ଷିକ ଉତ୍ସବ ‘ପ୍ରତିଭା ୨୦୨୩’ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଶୈଳବାଳା ମହିଳା କଲେଜର ପ୍ରାକ୍ତନ ଅଧ୍ୟକ୍ଷା ତଥା କିଟ୍ ବିଶ୍ୱବିଦ୍ୟାଳୟର ଅନ୍ୟତମ ନିର୍ଦ୍ଦେଶକ ସୁରେଖା ସୁନ୍ଦରୀ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କୋମଳମତି ପିଲାଙ୍କୁ ସଂସ୍କାରମୂଳକ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢିତୋଳିବାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ପ୍ରଜ୍ଞାନ ମିଶନର ବରିଷ୍ଠ ସନ୍ୟାସୀ ସମର୍ପଣାନନ୍ଦ ଗିରି, ସ୍ୱାମୀ ଅନିର୍ବାଣାନନ୍ଦ ଗିରି, ସ୍ୱାମୀ ଆଞ୍ଜନେୟାନନ୍ଦ ଗିରି, କ୍ରିୟା ଯୋଗାଚାର୍ୟ୍ୟ ତଥା ପ୍ରାକ୍ତନ ପ୍ରଫେସର ଡଃ ନରୋତ୍ତମ ଗାଆଣ ଓ ପୂର୍ବତନ ସରପଞ୍ଚ ମହେନ୍ଦ୍ର କୁମାର ପରିଡ଼ା ଶିକ୍ଷାଶ୍ରମର ଅଧ୍ୟକ୍ଷ ସ୍ୱାମୀ ଆନନ୍ଦାନନ୍ଦ ଗିରି କାର୍ୟ୍ୟକ୍ରମ ସଂଯୋଜନା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ଏଥି ସହିତ ପରମହଂସ ପ୍ରଜ୍ଞାନାନନ୍ଦ ଗିରି ମହାରାଜ ଆଭାସୀ ଜରିଆରେ ପିଲାମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଛାତ୍ରଛାତ୍ରୀମାନେ ଉଚ୍ଚକୋଟିର ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷାଶ୍ରମର ସଂପାଦିିକା ସୁଚିସ୍ମିତା ଦଳେଇ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଏନ୍ ଏ ସି ସ୍ଥିତ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ପରମ ଆନନ୍ଦମୟ ଭବିଷ୍ୟତ ବିଷୟ ବସ୍ତୁକୁ କେନ୍ଦ୍ର କରି ଛାତ୍ର ଛାତ୍ରୀ ମାନଙ୍କ ଖୁସି ଓ ବିକାଶ ଲକ୍ଷ୍ୟରେ ମହା ଆଡ଼ମ୍ବରରେ ପାଳନ କରିଛି ତା’ର ବାର୍ଷିକ ଉତ୍ସବ ‘ଏକ୍ସଟକ୍ଷସି’। ଏଥିରେ ସ୍କୁଲର ନିର୍ଦ୍ଦେଶକ ବିଦ୍ୟୁତ୍ ଦାଶଙ୍କ ସଭାପତିତ୍ବରେ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କ ମୁଖ୍ୟ ଆତିଥ୍ୟରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଗହଣରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ହୋଇଥିଲେ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବିକାଶ ସେନ ଓ ମୁଖ୍ୟ ବକ୍ତା ରୂପେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅବସରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ବାରିକ୍। ଏହି ଅବସରରେ ବିଦ୍ୟାଳୟ ରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଚମ୍ପିୟାନ ହୋଇଥିବା ଚନ୍ଦନ ସେଠ୍, ଶ୍ରେୟା ନାୟକ, ବିବେକ କଠାର, ଶରତ କାଣ୍ଡ, ଗୁଞ୍ଜନ ମେହେର, ମୟବା ଭାଟି ତଥା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
Comments are closed.