ସମନ୍ୱିତ ଯୁବବିକାଶ କାର୍ଯ୍ୟକ୍ରମ

କଲମପୁର: ଗତ ଦଶ ଦିନ ଧରି କଲମପୁର ବ୍ଲକ ଅଧିନସ୍ଥ ବିଜମରା ମହାଭାରତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ ହେଇଯାଇଛି। ଏହି ଉଦଯାପନୀ ସମାରୋହରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଏବଂ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର, ଉଚ୍ଚ ଶିକ୍ଷା ବିଭାଗ ମାଧ୍ୟମରେ ଯୁବ ପ୍ରତିଭାଙ୍କ ବିକାଶ ନେଇ ନୁଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଯୁବ ବର୍ଗଙ୍କୁ କ୍ରୀଡା ଏବଂ ସାସ୍କୃିତକ ସମେତ ସମାଜ ସେବା ଦିଗରେ ଉତ୍ସାହିତ କରିବା ନେଇ ଏହି କାର୍ଯ୍ୟକ୍ରମ ଆୟୋଜନର ମୁଳ ଉଦ୍ଦେଶ୍ୟବୋଲି ମଂଚାସୀନ ଅତିଥିମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସମାରୋହରେ ବିଧାୟକ ଶ୍ରୀ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂହଦେଓ, ଜିଲ୍ଲାପରିଷଦ ସଭ୍ୟା ଦୁହିତା ମାଝୀ, ବଡକୁଟୃ ସରପଂଚ ଗଣେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଫୁଲବାଣୀ: ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମରେ ନୂଆ-ଓ ଫେଷ୍ଟ ମହାଆଡ଼ମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଯୁବଗୋଷ୍ଠୀଙ୍କ ସମ୍ମୁଖରେ ସେମାନଙ୍କର ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ। କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତ ଏବେ ନୂଆ-ଓ ମାଧ୍ୟମରେ ଯୁବଗୋଷ୍ଠୀଙ୍କ ସଶକ୍ତିକରଣ ତଥା ସେମାନଙ୍କ ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ ନିମନ୍ତେ ଦକ୍ଷତା ବିକାଶ ପାଇଁ ଓଡ଼ିଶା ସରକାରଙ୍କର ଏହା ଏକ ନିଆରା ପଦକ୍ଷେପ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଯୋଗଦେଇ ନୂଆ-ଓ ଫେଷ୍ଟ ନିଶ୍ଚିତରୂପେ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଉତ୍ସାହ ସୃଷ୍ଟି କରିବ। ସେମାନେ ସେମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ଲାଗି ଉଦ୍ୟମ ଆରମ୍ଭ କରିବେ ଏବଂ ସଫଳ ମଧ୍ୟ ହୋଇପାରିବେ। ସେଥିପାଇଁ ଓଡ଼ିଶା ସରକାର ଏଭଳି ଏକ ଫେଷ୍ଟର ଅୟୋଜନ କରିଛନ୍ତି। ଆଜିର ଏହି ନୂଆ-ଓ ଫେଷ୍ଟର ମୁଖ୍ୟ ଅତିଥି ଭାବେ ୫-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ନୂତନ ଉନ୍ନତ ଅଭିଳାଷା(ନୂଆ-ଓ) କାର୍ଯ୍ୟକ୍ରମ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଅଧିନରେ ସାରା ଓଡ଼ିଶାରେ ଚାଲିଥିବା କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ସମ୍ୟକ ଧାରଣା ଦେଇଥିଲେ।

ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ହୋଇଥିବା ଯୁବ ଓଡିଶା ନବୀନ ଓଡିଶା କାର୍ୟ୍ୟକ୍ରମ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ଦ୍ୱାରା ସାମାଜିକ ସେବା କାର୍ୟ୍ୟକ୍ରମ ପାପଡାହାଣ୍ଡିର ଶହୀଦ ମିନାର ଠାରୁ ଶୁଭାରମ୍ଭ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ୟ୍ୟକ୍ରମ ସମ୍ପାଦିତ ହୋଇଥିଲା । କାର୍ୟ୍ୟକ୍ରମର ପ୍ରାରମ୍ଭିକ ପର୍ୟ୍ୟାୟରେ ଛାତ୍ରୀ ମାନଙ୍କ ଦ୍ୱାରା ସେଠାକାର ଚତୁର୍ପାଶ୍ୱ ସଫେଇ କରାଯାଇଥିଲା ଏବଂ ସେଠାରେ ଅବସ୍ଥାପିତ ଶହୀଦଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ସେଠାରୁ ବାଲ୍ୟବିବାହ ଓ ନାରୀଶିକ୍ଷାର ସଚେତନତା ରାଲି ବାହାରି ଶିବମନ୍ଦିର ପ୍ରାଙ୍ଗଣରେ ପହଂଚିଥିଲା ।ସେଠାରେ ମୁଖ୍ୟ ଅତିଥି ରୂପେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ଛାତ୍ରୀମାନେ କିପରି ନିଜ ଅଞ୍ଚଳର ବିକାଶ କ୍ଷେତ୍ରରେ ନିଜକୁ ଆଗେଇ ନେବେ ସେ ଦିଗରେ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଜିଲା ପରିଷଦ ସଭାପତି ମୋତିରାମ ନାୟକ, ଜିଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଶିଶିର ରଥି,ଜିଲା ଯୁବ ବିଜେଡି ସଭାପତି ଅବିନାଶ ମହାପାତ୍ର ଯୋଗଦେଇ ଛାତ୍ରୀଙ୍କ ଉନ୍ନତିରେ କିପରି ଦେଶର ଉନ୍ନତି ସେ ବିଷୟରେ ବୁଝାଇଥିଲେ । ଶିକ୍ଷା ବିଭାଗର ଅଧ୍ୟାପିକା ସଂଯୁକ୍ତା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

ଗୋପାଳପୁର: ନୂଆ-ଓ ଯୁବ ଓଡ଼ିଆ, ନବୀନ ଓଡିଶା ଅନ୍ତର୍ଗତ ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇ ଯାଇଛି। ବ୍ଲକ ଅଧିନସ୍ଥ ଚାରୋଟି ପଂଚାୟତରେ ବ୍ଲକ ସ୍ତରୀୟ କବାଡି, ଫୁଟବଲ, ଖୋ -ଖୋ, କ୍ରିକେଟ, ଭଳିବଲ ଓ ଅନ୍ୟ ଖେଳରେ ଛାତ୍ର ଓ ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ବିଧାୟକ ତଥା ଜିଲା ଯୋଜନା କମିଟିର ଅଧ୍ୟାକ୍ଷ ବିକ୍ରମ କୁମାର ପଣ୍ଡା, ବିଡ଼ିଓ ଅଂଶୁମାନ ମହାପାତ୍ର,ଗଞ୍ଜାମ ଜିଲା ପରିଷଦ ଉପସଭାନେତ୍ରୀ ଏସ ରାଜେଶ୍ୱରୀ ଦୋରା, ବ୍ଲକ ଅଧ୍ୟାକ୍ଷଙ୍କ ପ୍ରତିନିଧି ସିଏଚ ନରେଶ ପାତ୍ର ,ଉପାଧ୍ୟ୍ୟକ ଅନିତା ମାହାଙ୍କୁଡ,୫୪ ଜିଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ, ବିଇଓ ଦେବେନ୍ଦ୍ର ବେହେରା ଓ ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ଅଜିତ କୁମାର ଦାସ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।

Comments are closed.