www.samajalive.in
Monday, December 8, 2025
16.1 C
Bhubaneswar

ସରକାରୀ ବସରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଘରୋଇ ବସ କଥା ନ କହିବା ଭଲ

ସମ୍ବଲପୁର: ସରକାରୀ ବସରେ ରହୁନି ଅଗ୍ନି ନିରାପତ୍ତା ବ୍ୟବସ୍ଥା। ଘରୋଇ ବସ କଥା ନ କହିବା ଭଲ। ଯେଉଁଠି ସରକାରୀ କ୍ଷେତ୍ରରେ ପ୍ରଶାସନ ନିଜେ ନିୟମ ଉଲ୍ଲଂଘନ କରୁଛି, ସେଠି ଘରୋଇ କ୍ଷେତ୍ରକୁ ଜଗିବ କିଏ ? ଗତ ମାସ ୨୪ ତାରିଖରେ ଆନ୍ଧ୍ର ପ୍ରଦେଶରେ ଚଳନ୍ତା ଏସି ବସରେ ନିଆଁ ଲାଗି ୧୯ ଯାତ୍ରୀ ଜୀବନ୍ତ ଦଗ୍ଧ ହେବା ଘଟଣା ପରେ ଏବେ ଏହାକୁ ଚିନ୍ତା ପ୍ରକାଶ ପାଇଛି। ପ୍ରାଥମିକ ଯାଞ୍ଚ ସମୟରେ ବସରେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନ ଥିବା ଜଣାପଡ଼ିଥିଲା। ଯାହାକୁ ନେଇ ସାରା ଦେଶରେ ଯାତ୍ରୀବାହୀ ବସଗୁଡିକରେ ଅଗ୍ନି ନିରାପତ୍ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସମ୍ବଲପୁର ଜିଲାରେ ବସର ସୁରକ୍ଷାକୁ ଧର୍ମକୁ ଆଖି ଠାର ସଦୃଶ ହୋଇଥିବା ଦେଖିବାକୁ ମିଳିଛି।

ସାଧାରଣତଃ ଯାତ୍ରୀବାହୀ ବସଗୁଡିକରେ ଆରାମଦାୟକ ଯାତ୍ରା ନିମନ୍ତେ ବ୍ୟବହୃତ ଅନେକ ବସ୍ତୁ ଯଥା ସିଟ, ଫୋମ, ସିଟ କଭର, କାର୍ପେଟ, ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀ ଆଦି ବ୍ୟବହୃତ ହୋଇଥାଏ । ଏହି ବସ୍ତୁଗୁଡିକରେ ସାମାନ୍ୟ ଅଗ୍ନି ସ୍ପଲିଂ ଟିଏ ଲାଗିଲା ମାତ୍ରେ ଅତ୍ୟନ୍ତ ଦହନଶୀଳ ପଦାର୍ଥ ହୋଇଥିବାରୁ ଅଗ୍ନି ତୁରନ୍ତ ବ୍ୟାପି ଯାଇଥାଏ । ଏଣୁ ଯାତ୍ରୀବସଗୁଡିକ ମଧ୍ୟରେ ଅଗ୍ନି ନିର୍ବାପକ ସୁରକ୍ଷା, ସ୍ପ୍ରିଙ୍କଲର, ଆଲାର୍ମ ବ୍ୟବସ୍ଥା ଆଦି ରଖିବାକୁ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । ଏହି ମାର୍ଗଦର୍ଶିକାକୁ କାର୍ଯ୍ୟାନ୍ୱୟନ ଓ ପାଳନ କରିବା ଦାୟିତ୍ୱ ପରିବହନ ବିଭାଗ, ବସ ମାଲିକ ଓ ଅଗ୍ନିଶମ ବିଭାଗର ଗୁରୁଦାୟିତ୍ୱ ଅଟେ । କିନ୍ତୁ ବିଡମ୍ବନାର ବିଷୟ ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଦୁର୍ଘଟଣା ଘଟି ସାରିଥିବା ବେଳେ ଏଥି ପ୍ରତି କାହାରି ନିଘା ମଧ୍ୟ ନାହିଁ । ଏଣୁ କୌଣସି ଦୁର୍ଘଟଣା ହେଲେ, ତୁରନ୍ତ ଅଗ୍ନିକୁ ନିୟନ୍ତ୍ରଣ କରି ନ ପାରି ଜୀବନ ବଞ୍ଚାଇବାକୁ ଉଦ୍ୟମ ସତ୍ୱେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏ ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ସୁଦ୍ଧା ଯୋଗାଯୋଗ ସମ୍ଭବ ନ ହେବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରି ନାହିଁ ।

- Advertisement -

ଅପରପକ୍ଷରେ ସମ୍ବଲପୁରରେ ‘ଆମ ବସ’ ସେବା ପ୍ରଦାନ କରୁଥିବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ କମ୍ପାନୀ (କ୍ରୁଟ) ପକ୍ଷରୁ ମଧ୍ୟ ଯାତ୍ରୀଙ୍କ ଜୀବନକୁ ପୂର୍ଣ୍ଣ ରୂପେ ବାଜି ଲଗାଇ ଦିଆଯାଇଛି । ସହର ତଥା ଆଖପାଖ ଅଞ୍ଚଳରେ ଚାଲୁଥିବା ୨୫ଟି ବସରେ ସର୍ବନିମ୍ନ ଅଗ୍ନି ନିର୍ବାପକ ବ୍ୟବସ୍ଥାଟିଏ ନ ଥିବା ବେଳେ ବାକି ସରକାରୀ ନିର୍ଦ୍ଦେଶ ଅନୁଯାୟୀ ରହିଥିବା ଅଗ୍ନି ସୁରକ୍ଷା ବ୍ୟବସ୍ଥା ଭାବିବା ଦିବା ସ୍ୱପ୍ନ ଅଟେ । ଖୋଦ ସରକାରଙ୍କ ଦ୍ୱାରା ପରିଚାଳିତ ତଥା ଜନାଦୃତ ‘ଆମ ବସ’ ସେବାରେ ଯଦି ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅଗ୍ନି ସୁରକ୍ଷା ମାର୍ଗ ଦର୍ଶିକା ପାଳନ ହେଉ ନାହିଁ, ତାହା ହେଲେ ଅନ୍ୟ କାହା କଥା କହିବା କେତେ ଯୁକ୍ତିଯୁକ୍ତ ହେବ ? ଏ ସମ୍ପର୍କରେ କ୍ରୃଟ କମ୍ପାନୀର ସମ୍ବଲପୁର ପରିଚାଳକ ବିଶ୍ୱଜିତ ପଣ୍ଡାଙ୍କୁ ପଚରାଯିବାରୁ ସେ କୌଣସି ଉତ୍ତର ଦେଇ ପାରି ନ ଥିଲେ । ପରବର୍ତ୍ତୀ ସମୟରେ ସେ କିଛି ଅଗ୍ନି ନିର୍ବାପକ ଯନ୍ତ୍ର ରିଫିଲ୍ ପାଇଁ ଯାଇଥିବାର ଆଳ ଦେଖାଇଥିଲେ । ଏହା ପରେ ସେ ପରୋକ୍ଷରେ ବସଗୁଡିକରେ ଅଗ୍ନି ସୁରକ୍ଷା ନ ଥିବାର ସ୍ଵୀକାର କରି ତୁରନ୍ତ ସମସ୍ତ ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ପାଇବେ ବୋଲି ଉତ୍ତର ଦେଇଥିଲେ।

ଯଦି ସରକାରୀ ବସ ଗୁଡିକରେ ଏଭଳି ଅବ୍ୟବସ୍ଥା ରହିଛି, ତାହା ହେଲେ ବେସରକାରୀ ବସଗୁଡିକର ଅବସ୍ଥା ନ କହିବା ଭଲ । ଯାତ୍ରୀ ବସ ଗୁଡିକରେ ଯାତ୍ରୀ ମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି କି ନାହିଁ, ତାହା ଯାଞ୍ଚ କରିବାର ପ୍ରଥମ ଦାୟିତ୍ୱ ପରିବହନ ବିଭାଗର । କିନ୍ତୁ ସମ୍ବଲପୁର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଯାତ୍ରୀ ସୁରକ୍ଷା ପାଇଁ ତିଳେ ହେଲେ ଚିନ୍ତା ନାହିଁ । ବସ ଗୁଡିକରେ ଫାୟାର ଆଲାର୍ମ ସିଷ୍ଟମ, ଫାୟାର ଓ ସ୍ମୋକ ଡିଟେକ୍ସନ ସିଷ୍ଟମ, ଅଗ୍ନି ନିର୍ବାପକ ଯନ୍ତ୍ର, ହାତୁଡି ଆଦିର ବ୍ୟବସ୍ଥା ଅର୍ନିବାର୍ଯ୍ୟ ବୋଲି ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । କିନ୍ତୁ ସମ୍ବଲପୁର ଜିଲାରେ ସରକାରୀ ନିୟମକୁ ଫୁ କରି ଦିଆଯାଇଛି, କାହିଁକି ନା ପରିବହନ ବିଭାଗ ସବୁ ଦେଖି ନୀରବଦ୍ରଷ୍ଟା ସାଜିଛି । ଆନ୍ଧ୍ର ପ୍ରଦେଶ ଘଟଣା ପରେ ବସଗୁଡିକୁ ଯାଞ୍ଚ ନିମନ୍ତେ ରାଜ୍ୟରେ ଥିବା ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ସରକାର ଓ ପରିବହନ ବିଭାଗର ନିର୍ଦ୍ଦେଶକୁ ସମ୍ବଲପୁର ଆଞ୍ଚଳିକ ପରିବହନ ଅଧିକାରୀ ଯାତ୍ରୀବାହୀ ବସ ଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଯାଞ୍ଚ ନ କରି ଯାତ୍ରୀ ମାନଙ୍କ ଜୀବନ ସହ ଖେଳିବାରେ ଲାଗିଛନ୍ତି । ସମ୍ବଲପୁରରେ ଚାଲୁଥିବା ଅନେକ ଗାଡିରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନାହିଁ । ଗାଡି ଗୁଡିକର ଫିଟନେସ କରିବା ସମୟରେ ସବୁ ଠିକଠାକ ରହୁଥିବା ବେଳେ ଯାଞ୍ଚ ପରେ ଅଗ୍ନି ନିର୍ବାପକ ଯନ୍ତ୍ରଗୁଡିକୁ ଖୋଲି ଦିଆଯାଉଛି । କାରଣ ସରକାରଙ୍କ ଦ୍ୱାରା ପ୍ରଦତ୍ତ ମାର୍ଗ ଦର୍ଶିକା ଅନୁଯାୟୀ, ବସରେ ଲାଗୁଥିବା ଅଗ୍ନି ନିର୍ବାପକ ବ୍ୟବସ୍ଥା ଓ ଯନ୍ତ୍ର ଗୁଡିକର କିଣିବା ଏବଂ ରକ୍ଷଣାବେକ୍ଷଣରେ ବହୁ ଖର୍ଚ୍ଚ ହୋଇଥାଏ ।

ଏ ସମ୍ପର୍କରେ ଅଗ୍ନିଶମ ଅଧିକାରୀ ସୁଦାମ କିସକୋଙ୍କୁ ପଚରାଯିବାରୁ କହିଛନ୍ତି ଯେ, ଗତ ମାସ ଚଳନ୍ତା ବସରେ ଅଗ୍ନିକାଣ୍ଡ ପରେ ସରକାରଙ୍କ ତରଫରୁ ଯାତ୍ରୀବାହୀ ବସ ଗୁଡିକର ଅଗ୍ନି ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଚିଠି ଆସିଛି । ଏହି କ୍ରମରେ ଗତ ଶନିବାର ଦିନ ଅଇଁଠାପାଲି ବସଷ୍ଟାଣ୍ଡରେ ସ୍ୱତନ୍ତ୍ର ମକ ଡ୍ରିଲ କରାଯାଇଥିଲା । ଏବେ ଆମ ବିଭାଗ ତରଫରୁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସ୍ୱତନ୍ତ୍ର ରୂପେ ଯାତ୍ରୀ, ବସ ଚାଳକ, ସହାୟକମାନଙ୍କୁ ବସ ଯାତ୍ରା ସମୟରେ ଯଦି କୌଣସି ଅଗ୍ନିକାଣ୍ଡ ଘଟେ, ତାହା ହେଲେ କିଭଳି ତାକୁ ରୋକିବା, ପ୍ରତିକାର କିମ୍ବା ଜୀବନ ବଞ୍ଚାଇବା ସେ ଉପରେ ସଚେତନ ଓ ଲାଇଭ ଡେମୋ ଦେଇ ପ୍ରଶିକ୍ଷଣ କରିବୁ । ଏହା ପରେ ନିୟମ ଉଲ୍ଲଂଘନ କରିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ଅଧିକାରୀ କିସକୋ କହିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ପରିବହନ ବିଭାଗ ପକ୍ଷରୁ ଯାତ୍ରୀବାହୀ ବସ ଗୁଡିକରେ ଅଗ୍ନି ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ ସରକାରୀ ନିର୍ଦ୍ଦେଶକୁ ଖୋଲାଖୋଲି ରୁପେ ଉଲ୍ଲଂଘନ କରାଯାଉଛି । ଏଣୁ ଏ ସମ୍ପର୍କରେ କିଛି ଆଧିକାରିକ ପ୍ରତିକ୍ରିୟା ଦେବାକୁ ମଧ୍ୟ ଆଞ୍ଚଳିକ ପରିବହନ ଅଧିକାରୀ ଲୁଚି ବୁଲୁଛନ୍ତି । କିନ୍ତୁ ଦାୟିତ୍ୱହୀନ ପରିବହନ ବିଭାଗ ପାଇଁ ସମ୍ବଲପୁର ଜିଲାରେ ବସ ଯାତ୍ରୀ ମାନଙ୍କର ଜୀବନ ଖଣ୍ଡା ଧାରରେ ରହିଥିବା ବେଳେ ଏ ନେଇ ଜିଲା ପ୍ରଶାସନ ମଧ୍ୟ ସଚେତନ ନ ହେବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories