ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲା: ଦୋଷୀଙ୍କ ଫାଶୀ ନିଷ୍ପତ୍ତି ଝୁଲୁଛି

0

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୁଇ ଜଣ ଦୋଷୀ ସେମାନଙ୍କ ମୃତ୍ୟୁ ଦଣ୍ଡାଦେଶର ସମୀକ୍ଷା ପାଇଁ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣି ଶେଷ କରି ରାୟ ସଂରକ୍ଷଣ ରଖିଛନ୍ତି। ଦୁଇ ଦୋଷୀ ବିନୟ ଶର୍ମା ଓ ପୱନ ଗୁପ୍ତାଙ୍କୁ ମିଳିଥିବା ମୃତ୍ୟୁ ଦଣ୍ଡାଦେଶର ସମୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ସହିତ ଅନ୍ୟ ଦୁଇ ବିଚାରପତି ଆର ଭାନୁମତି ଓ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ଏହି ଆବେଦନର ଶୁଣାଣି କରିଥିବାବେଳେ ରାୟ ସଂରକ୍ଷଣ ରଖିଛନ୍ତି।
୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀର ଏକ ଚଳନ୍ତା ବସ୍‌ରେ ଜଣେ ପାରା ମେଡିକାଲ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଡିସେମ୍ବର ୨୯ରେ ପୀଡିତା ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ନିର୍ଭୟା ନାମରେ ପରିଚିତ ଏହି ଗଣବଳାତ୍କାର ଓ ହତ୍ୟା ଘଟଣାରେ ସର୍ବୋଚ୍ଚ ଅଦାଲତ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏହି ୪ଦୋଷୀ ହେଲେ ମୁକେଶ (୨୯ବର୍ଷ), ପୱନ (୨୨ବର୍ଷ), ବିନୟ (୨୩ବର୍ଷ) ଓ ଅକ୍ଷୟ କୁମାର ସିଂହ (୩୧ବର୍ଷ)। ୨୦୧୭ ମେ ୫ ତାରିଖରେ ଦିଲ୍ଲୀ ହାଇକୋର୍ଟ ଓ ବିଚାର ବିଭାଗୀୟ ଅଦାଲତଙ୍କ ରାୟ ଆଧାରରେ ସର୍ବୋଚ୍ଚ ଅଦାଲତ ଏମାନଙ୍କ ଦୋଷୀ ସାବ୍ୟସ୍ତ ଓ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଥିଲେ। ସର୍ବୋଚ୍ଚ ଅଦାଲତଙ୍କ ମୃତ୍ୟୁ ଦଣ୍ଡାଦେଶ ଘୋଷଣା ହେବାର ଇତି ମଧ୍ୟରେ ଏକ ବର୍ଷ ବିତି ଗଲାଣି; ମାତ୍ର ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶ କାର୍ଯ୍ୟକାରୀ କରାଯାଇ ପାରୁ ନାହିଁ। ଅନ୍ୟପଟେ ଦୋଷୀମାନେ ସେମାନଙ୍କ ମୃତ୍ୟୁଦଣ୍ଡର ସମୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଦେଶରେ ବଳାତ୍କାର ଓ ହତ୍ୟା ଭଳି ଘଟଣାକୁ ରୋକିବା ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଉପରେ ଜୋର ଦିଆଯାଉଥିବାବେଳେ ଏହି ଦୋଷୀମାନଙ୍କୁ ଦଣ୍ଡ ଦେବା ସମୟ ଘୁଞ୍ଚି ଘୁଞ୍ଚି ଚାଲିଛି। ବିନୟ ଓ ପୱନଙ୍କୁ ନିଜର ମତ ଦେବା ଲାଗି ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଦିଆଯାଇଛି। ସେମାନଙ୍କ ମତ ମିଳିବା ପରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବେ।
ଏହା ପୂର୍ବରୁ ଅନ୍ୟତମ ଦୋଷୀ ମୁକେଶ ତାର ଦଣ୍ଡାଦେଶର ସମୀକ୍ଷା ପାଇଁ ଆବେଦନ କରିଥିôବା ବେଳେ ଏହାର ରାୟ ପ୍ରକାଶ ଅପେକ୍ଷାରେ ରହିଛି। ଏବେ ପୱନ ଓ ବିନୟଙ୍କ ସମୀକ୍ଷା ଆବେଦନର ରାୟ ସଂରକ୍ଷଣ ରହିଛି। ଅନ୍ୟତମ ଦୋଷୀ ଅକ୍ଷୟ କୁମାର ସମୀକ୍ଷା ଆବେଦନ କରିବାର ଅଛି। ଏସବୁ ସମୀକ୍ଷା ଆବେଦନର ନିଷ୍ପତ୍ତି ମିଳିବା ପରେ ଦୋଷୀମାନେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବାର ବ୍ୟବସ୍ଥା ରହିଛି। ରାଜକ୍ଷମା ଆବେଦନର ନିଷ୍ପତ୍ତି ପରେ ଫାଶୀ ପାଇଁ ଦିନ ଧାର୍ଯ୍ୟ ହେବ। ନିର୍ଭୟା ଘଟଣାକୁ ଇତି ମଧ୍ୟରେ ୬ବର୍ଷ ବିତିଗଲାଣି। ଦୋଷୀଙ୍କୁ ଫାଶୀ ମିଳିବାକୁ ଆଉ କେତେବର୍ଷ ଲାଗି ତାହା କହିବା ନିଶ୍ଚିତ ରୂପେ କଷ୍ଟକର। କାରଣ ଦେଶର ବ୍ୟବସ୍ଥା ଅନୁଯାୟୀ ଏହାକୁ ଆହୁରି ଅନେକ ବର୍ଷ ଲାଗିଯାଇପାରେ କିମ୍ବା ଦଣ୍ଡାଦେଶ ଅଟକି ଯିବାର ମଧ୍ୟ ଆଶଙ୍କା ରହିଛି। କାରଣ ଦୋଷୀଙ୍କ ପାଇଁ ମାମଲା ଲଢୁଥିବା ଓକିଲ ଏ ପି ସିଂହ କହିଛନ୍ତି ଯେ ପୱନ ଓ ବିନୟ ନିୟମିତ ଅପରାଧୀ ନୁହନ୍ତି। ସେମାନଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧ ମାମଲା ନାହିଁ। ତେଣୁ ଅଦାଲତ ସେମାନଙ୍କୁ ଠିକ୍‌ ବାଟକୁ ଆସିବା ଲାଗି ସୁଯୋଗ ଦେବା ଦରକାର। ତେବେ ସରକାରୀ ଓକିଲ ସିଦ୍ଧାର୍ଥ ଲୁଥ୍ରା ଏହି ଯୁକ୍ତିକୁ ଖଣ୍ଡନ କରିଛନ୍ତି। ଲୁଥ୍ରା କହିଛନ୍ତି ଯେ ଦୋଷୀଙ୍କ ଏପରି ଯୁକ୍ତି ଉପରେ ସୁପ୍ରିମକୋର୍ଟ ବିଚାର କରିସାରିଛନ୍ତି। ଦୋଷୀଙ୍କ ଏପରି ଯୁକ୍ତି ଉପରେ ସୁପ୍ରିମକୋର୍ଟ ବିଚାର କରି ମେ ୨୦୧୭ରେ ସେମାନଙ୍କ ମୃତ୍ୟୁଦଣ୍ଡ କାଏମ ରଖିଥିଲେ।
ନିର୍ଭୟା ମାମଲାରେ ମୋଟ ୬ଜଣ ଜଡିତ ଥିବାବେଳେ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଜଣେ ଦୋଷୀ ନାବାଳକ ଥିବାରୁ ସେ ତାର ୩ବର୍ଷର ଜେଲ୍‌ ଦଣ୍ଡ ଶେଷ କରି ଏବେ ମୁକ୍ତ ପାଇ ସାରିଲାଣି। ଅନ୍ୟ ଜଣେ ଦୋଷୀ ରାମ ସିଂହ ତିହାର ଜେଲ୍‌ରେ ଆତ୍ମହତ୍ୟା କରିଥିଲା।

Leave A Reply