ଲାଞ୍ଜିଗଡ ବ୍ଲକରେ ନିରାମୟ ଯୋଜନା ଫେଲ୍‍, ରୋଗୀକୁ ନ ଦେଇ ଜଙ୍ଗଲରେ ଫିଙ୍ଗା ଯାଉଛି ସରକାରୀ ଔଷଧ

ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ବିଶ୍ୱନାଥପୁର ଡାକ୍ତରଖାନାରେ ତଦନ୍ତ

ଲାଞ୍ଜିଗଡ଼: ସରକାର ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ସ୍ୱାସ୍ଥ୍ୟ ବିଭାଗର କିଛି କର୍ମଚାରୀଙ୍କ ଯୋଗୁଁ ଏହି ଯୋଜନା ବାଟବଣା ହେବାରେ ଲାଗିଛି। ନିରାମୟ ଯୋଜନାରେ ସରକାର ବିଭିନ୍ନ ପ୍ରକାର ଔଷଧ ରୋଗୀଙ୍କ ପାଇଁ ଯୋଗାଇ ଦେଉଛନ୍ତି। ହେଲେ ଏହି ଔଷଧ ସବୁ ରୋଗୀଙ୍କୁ ନଦେଇ ଜଙ୍ଗଲରେ ଫୋପାଡୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲାଞ୍ଜି ପଞ୍ଚାୟତର ଖକ୍ସି ଗାଁ ନିକଟରେ। ଖକ୍ସି ଗାଁ ମୁଖ୍ୟ ରାସ୍ତାରେ ଥିବା ଜଙ୍ଗଲରେ ପେଟି ପେଟି ସରକାରୀ ଔଷଧ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ଏହି ଔଷଧ ମଧ୍ୟରେ ଗର୍ଭବତୀ ଓ ପ୍ରସୁତି ମହିଳାଙ୍କ ପାଇଁ ଆସୁଥିବା ଆଇରନ ଟାବଲେଟ,ଭିଟାମିନ ଏଭଳି ବିଭିନ୍ନ ପ୍ରକାର ଔଷଧ ରହିଛି। କିଛି ଔଷଧର ବ୍ୟବହାର ସମୟ ଅତିକ୍ରମ କରିସାରିଥିବା ବେଳେ ଆଉ କିଛି ଔଷଧର ବର୍ତ୍ତମାନ ମଧ୍ୟ ବ୍ୟବହାର ସମୟ ଥିବା ଦେଖିବାକୁ ମିଳିଛି। ରାସ୍ତାକଡରେ ଆସୁଥିବା ଲୋକମାନେ ଏହି ଔଷଧ ଫିଙ୍ଗା ଯାଇଥିବା ଦେଖିବା ପରେ ଲାଞ୍ଜିଗଡ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଇଦେଇଛି। ଏହି ଔଷଧ କିଏ ଫିଙ୍ଗିଛି, କାହିଁକି ଫିଙ୍ଗିଛି, କେଉଁ ଡାକ୍ତରଖାନାର ଔଷଧ ବୋଲି ସମସ୍ତ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏହି ଖବର ପ୍ରଚାର ହେବା ପରେ ଜିଲ୍ଲା ସ୍ୱାସ୍ଥ୍ୟଧିକାରୀ ପ୍ରତାପ ବେହେରା କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ କରୁଥିବା ଜଣାପଡିଛି।

prayash

ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସନ୍ଦେହ କରି ବିଶ୍ୱନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ତଦନ୍ତରେ ଆସିଥିଲେ। ଲାଞ୍ଜିଗଡ ବ୍ଲକ ସ୍ୱାସ୍ଥ୍ୟାଧିକାରୀ ଭବାନୀ ଶଙ୍କର ଲେଙ୍କାଙ୍କ ସହ ଆଲୋଚନା କରିବା ପରେ ଡାକ୍ତରଖାନାର ଗୋଟିଏ ପରେ ଗୋଟିଏ କର୍ମଚାରୀଙ୍କୁ ଡାକି ପଚରା ଉଚରା କରିଥିଲେ। ବିଶ୍ୱନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ମେଲ ଆଟେଣ୍ଟାଣ୍ଟ ଉଦିତ ସାହା ଓ ସଫେଇ କର୍ମଚାରୀ ଜତିନ୍ଦ୍ର ଭୋଇ ବିଶ୍ୱନାଥପୁର ସ୍ଥିତ ଗୋଦାମରୁ ଏକ ଗାଡିରେ ଏହି ଔଷଧ ସବୁକୁ ନେଇ ଖକ୍ସି ଗାଁ ଜଙ୍ଗଲରେ ଫିଙ୍ଗିଥିବା ତଦନ୍ତରୁ ଜଣାପଡିଥିଲା। ହେଲେ ଏହି ଚତୁର୍ଥଶ୍ରେଣୀ କର୍ମଚାରୀ ଦ୍ୱୟ କାହା ନିର୍ଦ୍ଦେଶରେ ଏହି ଔଷଧ ସବୁକୁ ଫୋଫାଡିଛନ୍ତି ତାହା ଏଯାଏଁ ସ୍ୱଷ୍ଟ ହୋଇନାହିଁ। ଏହି ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେବାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟଧିକାରୀ ପ୍ରକାଶ କରିଛନ୍ତି।ଡାକ୍ତରଖାନାରେ ରୋଗୀଙ୍କୁ ଔଷଧ ମିଳୁ ନ ଥିବା ବେଳେ ପେଟିପେଟି ଔଷଧ ଜଙ୍ଗଲରେ କାହିଁକି ଫିଙ୍ଗୁଛନ୍ତି ବୋଲି ପ୍ରଶ୍ନବାଚି ସୃଷ୍ଟି ହୋଇଛି। କାହା ନିର୍ଦ୍ଦେଶରେ ଏହି ଔଷଧ ଫିଙ୍ଗା ଯାଇଛି ତାହା ତଦନ୍ତର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ଔଷଧ ଫିଙ୍ଗା ଘଟଣା ପ୍ରଥମ ନୁହଁ ଲାଞ୍ଜିଗଡ ବ୍ଲକରେ ବାରମ୍ବାର ଏହି ସରକାରୀ ଔଷଧ ଫିଙ୍ଗା ଘଟଣା ଲାଗିରହିଛି। ଏହି ଘଟଣାରେ ଯେଉଁ ମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠନ ଗ୍ରହଣ ପାଇଁ ଦାବି ହେଉଛି।

kalyan agarbati

Comments are closed.